କଟକ : ରାଜ୍ୟ ଭିଜିଲାନ୍‌ସ ବିଭାଗର ନିର୍ଦ୍ଦେଶକ, ପୁଲିସ ବିଭାଗର ଅତିରିକ୍ତ ଡିଜି ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କର ଶେଷକୃତ୍ୟ ଶନିବାର ଅପରାହ୍ନରେ କଟକ ସ୍ଥିତ ଖାନନଗର ଶ୍ମଶାନରେ ସଂପନ୍ନ ହୋଇଛି। ଗତକାଲି କୋଲକାତାର ମେଡିକା ହସ୍ପିଟାଲରେ ଡକ୍ଟର ପାଣିଗ୍ରାହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ ଆଜି କଟକ ଅଣାଯାଇଥିଲା। ଦିନ ପାଖାପାଖି ୧୨ଟା ୫୦ ସୁଦ୍ଧା ତାଙ୍କ ମରଶରୀର କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବା‌ସଭବନରେ ପହଞ୍ଚି ସ୍ବର୍ଗତ ଡକ୍ଟର ପାଣିଗ୍ର‌ାହୀଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ଖାନ୍‌ନଗର ଶ୍ମଶାନକୁ ନିଆ ଯାଇଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ପ୍ରତ୍ୟୟ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ ପତ୍ନୀ ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଝୁମ୍‌କି ରଥ, ଝିଅ ପଲ୍ଲବୀ ପାଣିଗ୍ରାହୀ, ଭିଣୋଇ ଜଷ୍ଟିସ୍ ବୀରକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ପୁଲିସ ଡିଜି ଅଭୟ, ଗୃହ ସଚିବ ସନ୍ଦୀପ ଚୋପ୍ରା, ଅଗ୍ନିଶମ ଡିଜି ଏମ.ଅକ୍ଷୟ, ଓପିଏସ୍‌ସିର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି, ପୁଲିସ ହାଉସିଂ କର୍ପୋରେସନ ଅଧ୍ୟକ୍ଷ ତଥା ଅତିରିକ୍ତ ଡିଜି ଡକ୍ଟର ସୁଧାଂଶୁ ଷଡଙ୍ଗୀ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଘନଶ୍ୟାମ ଉପାଧ୍ୟାୟ, ଡିଆଜି ସଂଜୟ ‌କୌଶଲ, କଟକ ଡିସିପି ପ୍ରତୀକ ସିଂହ, ସିଏମସି କମିସନର ଅନନ୍ୟା ଦାସ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ଭିଜିଲାନ୍‌ସ ବିଭାଗର ବହୁ ବରିଷ୍ଠ ପଦାଧିକାରୀ, କର୍ମଚାରୀ, ଦେବାଶିଷଙ୍କ ପ୍ରଶଂସକ ଉପସ୍ଥିତ ଥିଲେ।

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର : ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ଡ. ପାଣିଗ୍ରାହୀ ଜଣେ ଦକ୍ଷ ପୁଲିସ ଅଫିସର ଏବଂ ବାଗ୍ମୀ ଲେଖକ ଥିଲେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ପୁଲିସ ଅଫିସର ଭାବରେ ଉତ୍ସର୍ଗୀକୃତ ସେବାର ସେ ଏକ ଅଲିଭା ଚିହ୍ନ ଛାଡ଼ି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦେବାଶିଷ କେବଳ ଜଣେ ଦକ୍ଷ ଓ ଅଭିଜ୍ଞ ପୁଲିସ ଅଫିସର ନଥିଲେ, ବରଂ ଜଣେ ସୁଲେଖକ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ଘଟିଛି। ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ବିଧାୟକ ଅମର ଶତପଥି କହିଛନ୍ତି, ଦେବାଶିଷଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ଜୀବନଯାତ୍ରାରେ ଆହୁରି ଉଚ୍ଚ ସ୍ଥାନକୁ ଯିବାପାଇଁ ସୁଯୋଗ ଥିଲା। ରାଜ୍ୟ ଜଣେ ସଚ୍ଚୋଟ, ଦକ୍ଷ ପୁଲିସ ଅଧିକାରୀଙ୍କୁ ହରାଇଲା। ଏହି ଦୁଃଖ ସମୟରେ ଈଶ୍ବର ତାଙ୍କ ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।

ଆଇପିଏସ୍‌ ଆସୋସିଏସନ(ଓଡିଶା ଶାଖା) ମଧ୍ୟ ଶୋକ ବ୍ୟକ୍ତ କରିଛି। ଆଜି ଏକ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଡିଜି ଶ୍ରୀ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଆର କେ ଶର୍ମା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଅପରେସନ ଅମିତାଭ ଠାକୁର ପ୍ରମୁଖ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଓଡ଼ିଶା ସୂଚନା ସେବା ସଂଘ ମଧ୍ୟ ଶୋକ ପ୍ରକାଶ କରି କହିଛି ଯେ‌ କେବଳ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ନୁହନ୍ତି, ଡ.ପାଣିଗ୍ରାହୀ ଜଣେ ସୁଲେଖକ ଭାବରେ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ଦୁଃଖ ସମୟରେ ଈଶ୍ବର ତାଙ୍କର ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।