ଦେବାଶିଷଙ୍କ ପ୍ରତି ଅସମ୍ମାନ ଉଚିତ ହୋଇନାହିଁ: କଂଗ୍ରେସ

ଭୁବ‌େନଶ୍ବର : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଜଣେ ବିଶିଷ୍ଟ ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ତାଙ୍କୁ ଯେଉଁଭଳି ସମ୍ମାନ ଦେବା କଥା ଦେଇନାହାନ୍ତି। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ସ୍ବର୍ଗତ ପାଣିଗ୍ରାହୀ କର୍ତ୍ତବ୍ୟରେ ଥିଲାବେଳେ କରୋନା ଆକ୍ରାନ୍ତ ହେଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ। ସେ ଜଣେ ସଚ୍ଚୋଟ ପୁଲିସ ଅଫିସର ଥିବାବେଳେ ଉଚ୍ଚକୋଟୀର ସାହିତ୍ୟିକ ମଧ୍ୟ ଥିଲେ। ତେଣୁ ତାଙ୍କର ମୃତ୍ୟୁ ପରେ ଗାର୍ଡ ଅଫ୍ ଅନର୍ ଦିଆନଯିବା ବହୁ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଏପରିକି ତାଙ୍କୁ ଶେଷ ଦର୍ଶନ ଓ ସମ୍ମାନ ଜଣାଇବା ପାଇଁ ପୁଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ଅନ୍ୟ ସରକାରୀ ବରିଷ୍ଠ ପଦାଧିକାରୀ ଉପସ୍ଥିତ ନହେବା ସ୍ବର୍ଗତ ‌ପାଣିଗ୍ରାହୀଙ୍କ ପ୍ରତି ଅସମ୍ମାନ। ଏହାଦ୍ବାରା ପୁଲିସ ବିଭାଗରେ ଏକ ଖରାପ ଓ ନକାରାତ୍ମକ ପରମ୍ପରା ସୃଷ୍ଟି ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର