କଟକ: ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବି ନିର୍ବାଚନ ହାରିଛନ୍ତି। ତେଣୁ କେଉଁ ବରିଷ୍ଠ ନେତା ନିର୍ବାଚନ ହାରିଗଲେ ବୋଲି ତାଙ୍କର ଗୁରୁତ୍ବ କମି ଯାଏନି ବୋଲି ବକ୍ତବ୍ୟ ଦେଇ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ବିଜେଡି ରାଜନୀତିରେ ନିଆଁ ଲଗାଇ ଦେଇଛନ୍ତି। ଦେବାଶିଷ ନିଜ ଚିରାଚରିତ ଢଙ୍ଗରେ ଖୋଲାଖୋଲି ମତ ରଖି କହିଛନ୍ତି ଯେ ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ, ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଅନ୍ୟାୟ ହୋଇଛି। ଦଳ ପ୍ରତି ସେମାନଙ୍କ ଅବଦାନକୁ ଭୁଲି ସେମାନଙ୍କୁ ଅଣଦେଖା କରାଯାଇଛି। ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ବରରୁ ଟିକେଟ୍ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ଏ ପ୍ରସଙ୍ଗରେ ଅନ୍ୟମାନଙ୍କୁ ବି ସୂଚନା ଦିଆଯାଇଥିଲା। କିନ୍ତୁ ଏକପ୍ରକାର ନିର୍ଯାତନା ଦେବା ଭଳି ତାଙ୍କ ଅବଦାନକୁ ଭୁଲିଗଲେ। ଟିକଟ ତ ମିଳିଲାନି, ଓଲଟା ତାଙ୍କୁ କୋଣଠେସା କରି ଦିଆଗଲା। 

Advertisment

ଏକ ଗଣତାନ୍ତ୍ରିକ ଦଳରେ ସମସ୍ତଙ୍କର କହିବାର ଅଧିକାର ରହିଛି। କିନ୍ତୁ କିଏ ନିଜର ଦୁଃଖ ଓ କ୍ଷୋଭ ପ୍ରକାଶ କଲା ବୋଲି ତାଙ୍କୁ ବହିଷ୍କାର କରାଯିବା ଆଦୌ ଉଚିତ ହେଉ ନାହିଁ। ଦେବାଶିଷ କହିଛନ୍ତି ଯେ ଭାସ୍କର ରାଓ କହିଲେ ଦକ୍ଷିଣ ଓଡ଼ିଶାରେ ବିଜେଡି ସଙ୍ଗଠନକୁ ବୁଝାଉଥିଲା। ସବୁ ବରିଷ୍ଠ ନେତା ଚାହୁଛନ୍ତି ଯେ ନବୀନ ପଟ୍ଟନାୟକ ସେମାନଙ୍କ କଥା ଶୁଣନ୍ତୁ। ସେମାନଙ୍କ ଦୁଃଖ ବୁଝନ୍ତୁ। କିନ୍ତୁ ତାହା ଏବେ ହୋଇପାରୁ ନାହିଁ। ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ବରିଷ୍ଠ ନେତା ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଛନ୍ତି। କେନ୍ଦୁପତ୍ର ଶ୍ରମିକ ଆନ୍ଦୋଳନରୁ ତାଙ୍କର ରାଜନୈତିକ ଭିତ୍ତିଭୂମି ପଡ଼ିଛି। ସେ ନିଜର କ୍ଷୋଭ ଜାହିରି କରି ଯାହା କହିଛନ୍ତି, ତାହା ଠିକ। କିନ୍ତୁ ତାଙ୍କୁ ସମାଲୋଚନା କରି ପ୍ରତାପ ଜେନା ଭୁଲ କରିଛନ୍ତି। ପ୍ରତାପ ଜେନା ବି ତାଙ୍କର ଭୁଲ ବୁଝିଲେଣି। ତେଣୁ ନବୀନ ବାବୁ ନିଜେ ସବୁ କଥା ବୁଝନ୍ତୁ। ନବୀନ ବାବୁ ବୁଝିଲେ ଦଳର ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଦେବାଶିଷ କ‌ହିଛନ୍ତି। 

ଭାସ୍କର, ପ୍ରଫୁଲ୍ଲ, ଶ୍ରୀମୟୀଙ୍କ ପ୍ରତି ଅନ୍ୟାୟ ହୋଇଛି
ପ୍ରଫୁଲ୍ଲଙ୍କୁ ସମାଲୋଚନା କରି ପ୍ରତାପ ଜେନା ଭୁଲ୍ କରିଛନ୍ତି
ମେୟର ସୁବାସ ସିଂହଙ୍କ ପ୍ରତିକ୍ରିୟା: ଦଳର ଶୃଙ୍ଖଳା 
କମିଟି ଦେବାଶିଷଙ୍କ ମନ୍ତବ୍ୟ ଉପରେ ପଦକ୍ଷେପ ନେବ

ଅନ୍ୟପ‌ଟେ ତାଙ୍କୁ ସୁଯୋଗ ମିଳୁ ନଥିବା ଅଭିଯୋଗକୁ ଦେବାଶିଷ ଖଣ୍ଡନ କରିଛନ୍ତି। ଦଳରେ ତାଙ୍କୁ ସୁଯୋଗ ମିଳୁଛି। ରାଜା ସ୍ବାଇଁ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ବି ଦଳରେ ସୁଯୋଗ ମିଳି ଆସିଛି। କିନ୍ତୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଯେଉଁ ଦୂରତ୍ବ ସୃଷ୍ଟି କରାଯାଉଛି, ତାହା ହିଁ ସବୁ ସମସ୍ୟାର ମୂଳ ବୋଲି ଦେବାଶିଷ ସ୍ପଷ୍ଟ କରିଛନ୍ତି।

ଦେବାଶିଷଙ୍କ ଏଭଳି ମନ୍ତବ୍ୟ ଉପରେ କଟକ ମେୟର ସୁବାସ ସିଂହ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦେବାଶିଷ ବାବୁ କେତେବେଳେ କେଉଁ ଅବସ୍ଥାରେ କ’ଣ କୁହନ୍ତି, ତାହା ତାଙ୍କୁ ଜଣା। ତାଙ୍କ ମନ୍ତବ୍ୟ ଉପରେ କିଛି କହିବା ଠିକ ହେବ ନାହିଁ। ଦଳର ଶୃଙ୍ଖଳା କମିଟି ତାଙ୍କ ବକ୍ତବ୍ୟ ଉପରେ ଯାହା ନି‌ଷ୍ପତ୍ତି ନେବ। କିନ୍ତୁ ବିଜେଡି ଏକ ଶୃଙ୍ଖଳିତ ଦଳ। ଦଳ ଭିତରେ ସବୁ କିଛି ଠିକ୍‌ ଚାଲିଛି। ଭାସ୍କର ରାଓ, ପ୍ରଫୁଲ୍ଲ ମଲ୍ଲିକ ଅଥବା ଶ୍ରୀମୟୀ ମିଶ୍ର, ଦଳ କ୍ଷମତାରେ ଥିବା ବେଳେ ଠିକ୍‌ ଥିଲେ। ଦଳ କ୍ଷମତାରୁ ଚାଲିଯିବାରୁ ଏବେ ବିଶୃଙ୍ଖଳା ସାମନାକୁ ଆସୁଛି। ଅତି ବିଶୃଙ୍ଖଳିତ ନ ହେଲେ ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ ବୋଲି ସୁବାସ କହିଛନ୍ତି।