ମେୟର ସୁବାସ ସିଂହଙ୍କୁ ଘେରିଲେ ଦେବାଶିଷ

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ବାଲିଯାତ୍ରାର ରାଜନୀତିକରଣ ନୁହେଁ

କଟକ : କଟକ ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଯଦି କିଏ ଗୀତ ଗାଇଲା, ତେବେ ସେଥିରେ ବାଲିଯାତ୍ରାର ରାଜନୀତିକରଣ କେମିତି ହେଲା? ଏଭଳି ପ୍ରଶ୍ନ କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଏହି ପ୍ରସଙ୍ଗରେ ଶ୍ରୀ ସାମନ୍ତରାୟ ସିଧାସଳଖ ଭାବେ କଟକ ମେୟର ସୁବାସ ସିଂହଙ୍କୁ ବି ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ କୌଣସି ବ୍ୟକ୍ତି ଏଥର ବାଲିଯାତ୍ରାକୁ ଯଦି ଆସିଥିବେ, ତେବେ ବ‌ାଲିଯାତ୍ରାର ସଫଳ ଆୟୋଜନ ପଛରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ଅନୁଭବ କରିଥିବେ। ଏହାକୁ ଅନୁଭବ କରି ଯଦି କୌଣସି ଯୁବକ ମଂଚରେ ତାଙ୍କର ପ୍ରଶଂସା କଲା ତେବେ ତାହା ବାଲିଯାତ୍ରାର ରାଜନୀତିକରଣ କେମିତି ହେଲା? ପୁଣି ମେୟର ସୁବାସ ସିଂହ ଏହି ପ୍ରସଙ୍ଗରେ ମତ ରଖି ଏଭଳି ରାଜନୀତିକରଣ ହେବା ଅନୁଚିତ ବୋଲି କହିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବାଲିଯାତ୍ରା ସଫଳ ଆୟୋଜନ ପାଇଁ ଏଥର ରାଜ୍ୟ ସରକାର ଅଧିକ ଅର୍ଥ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆୟୋଜନ ‌ଏତେ ବାଟ ଗଲା। କିନ୍ତୁ ମେୟର ବାଲିଯାତ୍ରା ମଞ୍ଚରେ ‌କେତେ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଏଥିପାଇଁ ଉଲ୍ଲେଖ କରିଛନ୍ତି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି। ସୁବାସ ସିଂହ କେଉଁ ଦଳରୁ ଜିତି ମେୟର ହୋଇଛନ୍ତି, ତାହା କଣ ସେ ଭୁଲି ଯାଉଛନ୍ତି କି?

ତେବେ ବାଲିଯାତ୍ରା ଆୟୋଜନରେ କଟକର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ବିଶେଷକରି ପୂଜା କମିଟି, ଶାନ୍ତି କମିଟି କର୍ମକର୍ତ୍ତାଙ୍କୁ ସାମିଲ କରାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି। କଟକର ସଂସ୍କୃତି, ପରଂପରା ଭିନ୍ନ। ଏଠି ସହଯୋଗରେ କାର୍ଯ୍ୟ ହୁଏ। ତେଣୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷ ଏହାର ଶ୍ରେୟ ନେବାକୁ ଉଦ୍ୟମ ନ କରି ସମସ୍ତଙ୍କ ସହ‌ଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ ଥିଲା ବୋଲି ଦେବାଶିଷ କହିଛନ୍ତି।

ସମ୍ବନ୍ଧିତ ଖବର