ସାଇବର ଥାନାରେ ଦେବାଶିଷ ମହାନ୍ତିଙ୍କ ଅଭିଯୋଗ

ସୋସିଆଲ୍‌ ମିଡିଆରେ କ୍ରିକେଟର୍‌ଙ୍କ ଅଶ୍ଳୀଳ ଫଟୋ

କଟକ : କ୍ରିକେଟ ଖେଳାଳିଙ୍କ ଫଟୋକୁ ଏଡିଟିଂ କରି ତାହାକୁ ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଢଙ୍ଗରେ ପୋଷ୍ଟ୍‍ କରାଯାଉଛି। ଗଲା କିଛି ବର୍ଷ ମଧ୍ୟ ୪ ଜଣ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳିଙ୍କ କ୍ଷେତ୍ରରେ ଏଭଳି ଘଟିଲାଣି। ପୂର୍ବରୁ ଏହାକୁ ନେଇ ଖେଳାଳି ନଟରାଜ ବେହେରା ଅଭିଯୋଗ ଆଣିଥିବା ବେଳେ ଗତକାଲି ଅଭିଯୋଗ ଆଣିଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି। ଦେବାଶିଷଙ୍କ ଅଭିଯୋଗକୁ କ୍ରାଇମବ୍ରାଞ୍ଚ ସାଇବର ଥାନା ଗ୍ରହଣ କରିଥିବା ବେଳେ ଏହାକୁ ନେଇ ଛାନଭିନ୍‌ ଆରମ୍ଭ କରିଛି। ଖୁବଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସାଇବର୍‌ ଥାନା ସୂତ୍ରରୁ ସୂଚନା ମିଳିଛି।

୨୦୧୪ରେ ନଟରାଜଙ୍କ ଫଟୋକୁ ଏଡିଟିଂ କରାଯାଇ ବିଭିନ୍ନ ସୋସିଆଲ ମିଡିଆରେ ଛଡ଼ାଯାଇଥିଲା। ଫଟୋରେ ଅଶ୍ଳୀଳ ଭାଷାରେ ବିଭିନ୍ନ ବିଷୟ ଲେଖାଯାଇ ଛଡ଼ାଯାଇଥିଲା। ନଟରାଜଙ୍କ ସହିତ ସାଥୀ ଖେଳାଳି ବିପ୍ଳବ ସାନ୍ତରାୟ, ପରେଶ ପଟେଲ ଓ ପରେ ଦେବାଶିଷ ମହାନ୍ତିଙ୍କ ଫଟୋକୁ ନେଇ ମଧ୍ୟ ଦୁର୍ବୃର୍ତ୍ତ ଜଣକ ବିକୃତ କରି ବିଭିନ୍ନ ସୋସିଆଲ୍‌ ମିଡିଆରେ ଛାଡ଼ିଛି। ନଟରାଜଙ୍କ ଅଭିଯୋଗ ଉପରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଏଥିରେ ନିରାଶ ହୋଇ ନଟରାଜ ଏ ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି। କିନ୍ତୁ ଏଭଳି ଘଟଣା ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଅଲ୍‌ରାଉଣ୍ଡର ତଥା ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ।

ଏହି ଘଟଣାକୁ ସେ ସବୁବେଳେ ଏଡାଇ ଯିବାକୁ ପସନ୍ଦ କରୁଛନ୍ତି। ବିପ୍ଳବ କ’ଣ ତାହା ଲୋକମାନେ ଜାଣିଛନ୍ତି। ସୋସିଆଲ୍‌ ମିଡିଆ ଉପରେ କାହାର ଅଙ୍କୁଶ ନାହିଁ। ଏଠାରେ ସସସ୍ତେ କିଛି ବି କରିବାକୁ ସ୍ୱାଧୀନତା ପାଇଛନ୍ତି। ହେଲେ ତାହାର ଦୁରୂପଯୋଗ କରାଯିବା ଉଚିତ୍‌ ନୁହେଁ ବୋଲି ବିପ୍ଳବ କହିଛନ୍ତି। ଅନ୍ୟପକ୍ଷରେ ଦେବାଶିଷ ମହାନ୍ତି ଏଭଳି ଘଟଣାକୁ ନେଇ ମର୍ମାହତ ବୋଲି କହିଛନ୍ତି। ଆନ୍ତର୍ଜାତିକ କ୍ରିକେଟରେ ଯଶକୀର୍ତ୍ତି ଅର୍ଜନ କରିବା ପରେ କେହି ଜଣେ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋକୁ ବିକୃତ କରିବା ଓ ଅଶ୍ଳୀଳ କଥା ପ୍ରକାଶ କରିବା ଘଟଣା ତାଙ୍କୁ ଆଘାତ ଦେଇଛି ବୋଲି ସେ କହିଛନ୍ତି। ଏପରିକି ଦେବାଶିଷଙ୍କ ପାରିବାରିକ ଘଟଣାକୁ ମଧ୍ୟ ଅତ୍ୟନ୍ତ ଅଶାଳୀନ ଢଙ୍ଗରେ ସୋସିଆଲ ମିଡିଆରେ ଛଡା ଯାଇଛି। ତେଣୁ ଉକ୍ତ ଦୁର୍ବୃର୍ତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦେବାଶିଷ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର