ଦେବାଶିଷ ମହାନ୍ତି ଜାତୀୟ ଚୟନକର୍ତ୍ତା

କଟକ/ନୂଆଦିଲ୍ଲୀ : ରାଜ୍ୟର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କୁ ବିସିସିଆଇର ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନୂଆ ନିଯୁକ୍ତି ମିିଳିଛି। ପ୍ରଶାସନିକ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏ ଆଜି ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଉଥିବା ଦେବାଶିଷ ୨୦୧୩ ମସିହାରୁ ବିସିସିଆଇର ବୈଷୟିକ ସମିତିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଭେଙ୍କଟେଶ ପ୍ରସାଦଙ୍କ ଇସ୍ତଫା ପରେ ଏହି ସ୍ଥାନ ପୂରଣ ପାଇଁ ଦେବାଶିଷଙ୍କୁ ବଛାଯାଇଛି। ଏଥି ସହିିତ ରାଜ୍ୟର ତୃତୀୟ କ୍ରିକେଟର୍‌ ଭାବେ ଦେବାଶିଷ ଏକ ଜାତୀୟ କ୍ରିକେଟ୍‌ ଦଳର ଚୟନକର୍ତା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ରଂଜୀବ ବିଶ୍ୱାଳ ଏବଂ ଜୀମୂତ ମହାନ୍ତି ଏଭଳି ଦାୟିତ୍ୱ ତୁଲାଇ ସାରିଛନ୍ତି। ରଂଜୀବ କନିଷ୍ଠ ଚୟନ ସମିତିର ଅଧ୍ୟକ୍ଷ ପଦକ ସହିତ ବରିଷ୍ଠ ଦଳର ଚୟନକର୍ତା ମଧ୍ୟ ରହିଥିଲେ। ଏବେ ଦେବାଶିଷ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି। ବିସିସିଆଇ ପରାମର୍ଶଦାତା ରହିଥିବା ୩ ପୂର୍ବତନ କ୍ରିକେଟର୍‌ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍‌ ଲକ୍ଷ୍ମଣ ଏହି ଦାୟିତ୍ୱ ମନା କରିଦେବା ପରେ ସର୍ବାଧିକ ଅନ୍ତର୍ଜାତୀୟ ଅଭିଜ୍ଞତା ରଖିଥିବା ଉପଲବ୍‌ଧ ଖେଳାଳିଙ୍କ ମଧ୍ୟରେ ଦେବାଶିଷ ଆଗୁଆ ଥିବାରୁ ତାଙ୍କୁ ମନୋନୀତ କରାଯାଇଥିବା ରାଏ କହିଛନ୍ତି। ୧୯୯୭ରୁ ୨୦୦୧ ମସିହା ମଧ୍ୟରେ ଦେବାଶିଷ ଦେଶ ପାଇଁ ୨ ଟେଷ୍ଟ୍‍ ଏବଂ ୪୫ ଦିନିକିଆ ଖେଳିବା ସହ ୧୯୯୯ ଦିିନିକିଆ ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିଲେ।

ପୂର୍ବରୁ ଲୋଧା ସମିତି ସୁପାରିସ ଅନୁଯାୟୀ, ଚୟନ ସମିତି ସଭ୍ୟସଂଖ୍ୟା ୫ରୁ ୩କୁ ହ୍ରାସ କରାଯାଇଥିଲା। ହେଲେ ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ପୁଣି ଥରେ ଚୟନ ସମିତି ୫କୁ ବୃଦ୍ଧି ପାଇଛି। ଯେଉଁମାନେ ପୂର୍ବରୁ ଏହି ସମିତିରେ ଥିଲେ ସମସ୍ତେ ତାଙ୍କ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ପ୍ରସାଦ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନ ଖାଲି ପଡ଼ିଥିଲା। ଖାଲିସ୍ଥାନ ପୂରଣ ପାଇଁ ଦେବାଶିଷଙ୍କ ସହିତ କର୍ଣ୍ଣାଟକର ସୁଜିତ ସୋମସୁନ୍ଦର ଓ ଆସାମର ଜାକାରିଆ ଜୁଫରିଙ୍କ ନାମକୁ ପ୍ରଶାସନିକ ସମିତି ସୁପାରିସ କରିଥିଲା। ଦେବାଶିଷଙ୍କୁ ଦିଆଯାଇଥିବା ଉକ୍ତ ପ୍ରସ୍ତାବ ଉପରେ ସେ ସହମତି ପ୍ରକାଶ କରିଥିଲେ। ଫଳରେ ଦେବାଶିଷଙ୍କ ସହିତ ଏହି ସମିତିରେ ବର୍ତ୍ତମାନ ଆଶିଷ କପୁର, ରାକେଶ ପାରିଖ, ଜ୍ଞାନେନ୍ଦ୍ର ପାଣ୍ଡେ ଓ ଅମିତ ଶର୍ମା ଆଗାମୀ ଜାତୀୟ କନିଷ୍ଠ କ୍ରିକେଟ ଦଳ ଚୟନ କରିବେ। ଆଗକୁ ସେପ୍ଟେମ୍ବର ୯ ତାରିଖରୁ ୧୯ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଆରମ୍ଭ ହେବ। ଏହାପରେ ସେପ୍ଟେମ୍ବର ୨୭ରୁ ଢାକାରେ କନିଷ୍ଠ ଏସିଆ କପ୍‌ ଖେଳାଯିବ। ଏଥିପୂର୍ବରୁ ନୂଆ କନିଷ୍ଠ ଚୟନ ସମିତି ଭାରତୀୟ ଦଳର ଚୟନ କରିବ।

ସମ୍ବନ୍ଧିତ ଖବର