୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି, ମହାପ୍ରଭୁଙ୍କ ହାତୀ ବେଶକୁ ଅପେକ୍ଷା

ପୁରୀ : ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ  ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ହାତୀ ବେଶରେ ମହାପ୍ରଭୁ ବିରାଜମାନ କରିବେ। କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ବାନ ପୂର୍ଣ୍ଣିମା। ସାଂପ୍ରତିକ ଇତିହାସରେ ଏହା ଏକ ବିରଳ ଘଟଣା।

ଆଜି ପୁରୀରେ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବଡ଼ଦାଣ୍ଡ ଏବଂଅନ୍ୟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି।ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭିଡ ଜମାଇବାର କୌଣସି ସମ୍ଭାବନା ନାହିଁ। କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ଭକ୍ତମଣି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା।

ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାତି ୧.୪୦ରୁ  ପହଣ୍ଡି ଆରମ୍ଭ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା। ରାତି ୧ .୨୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମଦନମୋହନ ବିଜେ (୩ . ୪୦), ମଙ୍ଗଳଆଳତି (୪ . ୨୦),ମଇଲମ ଓ ତଡପଲାଗି ( ୪ . ୩୫),ଅଧର ପୋଛା (୪ . ୫୦),ଅବକାଶ ଶେଷ( ୫ . ୩୦), ରୋଷହୋମ (୫ . ୪୦), ବେଶ ଶେଷ (୫ . ୫୫) ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ  ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରିସରରେ ଥିବା ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ଏହାପରେ  ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଛେରାପହଁରା ପରେ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ।  ଦିନ ୧୧ଟାରୁ ମଧ୍ୟାହ୍ଣ ୧୨ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହେବ। ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବେ । ଏହା ସହ ଶୁକ୍ରବାର ରାତି ୪ଟାରୁ ଅନବସର ନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।

ଦିନ ୧୧ଟା ରୁ ହାତୀବେଶ ଆରମ୍ଭ ହେବ ଓ ୧୨ଟା ଭିତରେ ବେଶ ଶେଷ ହୋଇ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ।କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଭକ୍ତ ଦର୍ଶନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। କଟକଣା ଭିତରେ ନୀତିକାନ୍ତି ସହ ସିଧାପ୍ରସାରଣ ଜରିଆରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦୃଶ୍ୟ ଭକ୍ତଙ୍କ ଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ସେପଟେ ଆଇନଶୃଙ୍ଖଳା ପାଇଁ ୩୮ ପ୍ଲାଟୁନ ଫୋର୍ସ ସହ ୨୨୮ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳିକନ୍ଦିକୁ ସିଲ୍‌ କରି ଦିଆଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।

ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରାପହଁରା ନୀତି ପରେ ପୂର୍ବାହ୍ଣ ୧୧ଟା ରୁ ୧୨ଟା ଭିତରେ ହାତୀବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା  ମହନ୍ତ ଶାଢ଼ିବନ୍ଧା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରେ ହାତୀବେଶ ମଇଲମ, ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ନୀତି ଅନୁଷ୍ଠିତ ହେବ। ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ, ରାତି ୯ଟା ରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାଢ଼େ ୧୨ଟାରେ ଦଶାବତାର ବିଜେ ନୀତି ଅନୁଷ୍ଠିତ ହେବ।

ରାତି ଗୋଟାଏରେ ମହାସ୍ନାନ ହେବ। ରାତି ସାଢ଼େ ଗୋଟାଏରେ ମଇଲମ, ବେଶ, ୨ଟା ରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ସାଢ଼େ ୩ଟାରେ ଦକ୍ଷିଣୀଘର ଭୋଗ, ଜୟ-ବିଜୟ ଦ୍ବାର ବନ୍ଦ, ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟ-ବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର