ଆସନ୍ତାକାଲି ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେନି ଶଙ୍କରାଚାର୍ଯ୍ୟ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ଶଙ୍କରାଚାର୍ଯ୍ୟ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉଙ୍କ ଦର୍ଶନ କରୁନ ଥିବାର କାରଣ ହେଲେ ସେ ଏବେ ପୁରୀରେ ନାହାନ୍ତି। ତାଙ୍କର ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରାପଚାର ପାଇଁ ରାଜ୍ୟ ବାହାରେ ଅଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶଙ୍କରାଚାର୍ଯ୍ୟ ଆଗାମୀ ଜୁଲାଇ ୨ରେ ପୁରୀ ଫେରିବା ଏବଂ ଜୁଲାଇ ୪ରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରଥ ଉପରେ ଦିଅଁଙ୍କୁ ଦର୍ଶନ କରିବେ।

ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ହେଉଥିବାରୁ ସ୍ନାନବେଦୀ ସଜେଇ ହେଉଛି । ବର୍ଷକ ପରେ ସଜେଇ ହେଉଥିବା ସ୍ନାନବେଦୀକୁ ଦେଖିବା ପାଇଁ ଭକ୍ତମାନେ ବି ଭିଡ଼ ଲଗାଇଛନ୍ତି। ଆଜି ଚିତ୍ରକର ସେବକମାନେ ସ୍ନାନବେଦୀକୁ ତୁଳୀରେ ସୁସଜ୍ଜିତ କରିଛନ୍ତିଯ ବିଭିନ୍ନ ରଙ୍ଗ ଦେଇ ସେନ୍ଦର୍ଯ୍ୟ ଭରିଛନ୍ତି। ପୂର୍ବବର୍ଷ ଭଳି ଠାକୁରମାନଙ୍କ ବିଜେ ସ୍ଥାନକୁ ସଜାଯାଇଛି। ସେହିପରି ସେବକମାନେ ଗରାରେ ଜଳ ଆଣିବାରେ ଯେପରି କିଛି ଅସୁବିଧା ନ ହୁଏ, ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି। ମହାପ୍ରଭୁଙ୍କୁ ଖରାବର୍ଷାରୁ ରକ୍ଷା ପାଇଁ ସ୍ନାନବେଦୀ ଉପରେ ଭାରାବନ୍ଧା କାର୍ଯ୍ୟ ଚାଲିଛି।

ପଟିଦିଅଁ ପ୍ରସ୍ତୁତିରେ ଚିତ୍ରକର ସେବକ
୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱର ପୀଡ଼ିତ ମହାପ୍ରଭୁ ଅଣସରରେ ରହିବେ। ଏହି ସମୟରେ ଭକ୍ତଙ୍କୁ ଦର୍ଶନ ବନ୍ଦ ରହିବ। ଅଣସର ପିଣ୍ଡିରେ ବିଜେ ସମୟରେ ଅଣସର ତାଟି ନିକଟରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କୁ ଭକ୍ତମାନେ ଦର୍ଶନ କରିବେ। ପଟିଦିଅଁ ଭାବେ ଶ୍ରୀମନ୍ଦିରରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ଭଗବାନ ବି ପୂଜା ପାଇବେ। ଏ ନେଇ ଚିତ୍ରକର ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ପଟିଦିଅଁଙ୍କୁ ନୂଆ ରଙ୍ଗ ଦେଇ ସୁସଜ୍ଜିତ କରାଯାଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର