ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା: ପ୍ରୟାସଙ୍କ ଅକାଟ୍ୟ ତର୍କ, ଆଶିଷଙ୍କ ମନଜିଣା ସ୍ବର

ରାଉରକେଲା: ପ୍ରତିବର୍ଷ ପରି ଚଳିତ ଥର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ବାର୍ଷିକ ବିତର୍କ ଓ ସାରେଗାମାର ‌ପ୍ରଥମ ପାଦରେ ଜୋନ୍‌ସ୍ତରୀୟ ପ୍ରତିଯୋଗିତା ରାଉରକେଲା ସଂସ୍କରଣରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲାର ସେକ୍ଟର-୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିତର୍କରେ ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’ ପ୍ରସଙ୍ଗ ରଖା ଯାଇଥିଲା। ଏଥିରେ ଉଦିତନଗର ମ୍ୟୁନିସିପାଲ୍‌ କଲେଜର ଛାତ୍ର ପ୍ରୟାସ ପ୍ରୀତିରଞ୍ଜନ ବାରିକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ରାଉରକେଲା ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ଛାତ୍ରୀ ତେଜସ୍ବିନୀ ମିଶ୍ର ଦ୍ବିତୀୟ ଓ ସୁନ୍ଦରଗଡ ସରକାରୀ ମହିଳା କଲେଜର ଛାତ୍ରୀ ସୋନାଲି ଠାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସଙ୍ଗୀତ ‘ସାରେଗାମା’ ପ୍ରତିଯୋଗିତାରେ ରାଉରକେଲା ସେକ୍ଟର-୫ସ୍ଥ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଆଶିଷ ପାତ୍ର ଉଭୟ ଶ୍ରୋତା ଓ ବିଚାରକଙ୍କ ମନଜିଣି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଛେଣ୍ଡ କଲୋନିସ୍ଥ ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲର ଶ୍ରଦ୍ଧାଶ୍ରୀ ପାତ୍ର ଦ୍ବିତୀୟ ଓ ଉଦିତନଗର ମ୍ୟୁନିସିପାଲ କଲେଜ ଛାତ୍ର ସବ୍ୟସାଚୀ ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିତର୍କ ଓ ସାରେଗାମାରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ଅର୍ଥ ରାଶି ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ବିତର୍କରେ ବିଚାରକ ଭାବେ ଡାକ୍ତର ଅର୍ଚ୍ଚନା ବାରିକ୍, ସ୍ତମ୍ଭକାର ଇଂ ନଳିନୀକାନ୍ତ ଧର, ଓଡ଼ିଆ ଅଧ୍ୟାପକ ଡକ୍ଟର ନଗେନ କୁମାର ଦାସ ଦାୟିତ୍ବ ତୁଲାଇଥିଲେ। ଅନୁରୂପ ଭାବେ ସାରେଗାମାରେ ପରିଚିତ ସଙ୍ଗୀତ ଗୁରୁ ଶରତ ଚନ୍ଦ୍ର ପଣ୍ଡା, ଜ୍ୟୋର୍ତିମୟ ଆଚାର୍ଯ୍ୟ, କ୍ଷଣପ୍ରଭା ବି‌‌ଶୋଇ ଓ ସଂଯୁକ୍ତା ଜେନା ବିଚାରକ ଭାବେ ଦାୟିତ୍ବ ତୁଲାଇଥିଲେ। ବାଦ୍ୟଯନ୍ତ୍ରରେ ସଙ୍ଗୀତଗୁରୁ ଫକୀର ଚରଣ ପତି, ଦେବେନ୍ଦ୍ର ରଣା ଓ ବାପି ଦାସ ସହାୟତା କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ସହକାରୀ ପ୍ରବନ୍ଧକ (ନ୍ୟୁଜ୍‌) ଆଶିଷ ଗଡନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ‘ସମ୍ବାଦ’ ପରିବାର ପକ୍ଷରୁ ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ବିଚାରକ ଓ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଗତ ୧୧ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ରାଉରକେଲା ସହରର ୭ଟି ପରୀକ୍ଷା କେନ୍ଦ୍ରର ୬୩ ଜଣ ସଫଳ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଅଧ୍ୟକ୍ଷ ପ୍ରବୀଣ ଶର୍ମା ଅତିଥି ଭାବେ ଯୋଗଦେଇ କୃ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ‘ସମ୍ବାଦ’ର ସହ ସମ୍ପାଦକ ଅଶୋକ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ ପରିବାର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଜି ଅନୁଷ୍ଠିତ ଦୁଇଟି ପ୍ରତିଯୋଗିତା ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପ୍ରତିଯୋଗିତା ମଧ୍ୟ ତୀବ୍ର ହୋଇଥିଲା। ସେଥିପାଇଁ ଯୋଗ୍ୟଙ୍କୁ ବାଛିବାଲାଗି ବିଚାରକମାନଙ୍କୁ ବେଶ୍‌ ମାନସିକ କସରତ କରିବାକୁ ପଡ଼ିଥିଲା। ପ୍ରତିଯୋଗିତାର ସ୍ତର ଓ ପ୍ରତିତଯୋଗୀଙ୍କ ଦକ୍ଷତାକୁ ବିଚାରକମାନେ ଭୁରି ପ୍ରଶଂସା କରିବା ଦେଖା ଯାଇଥିଲା। ଉଲ୍ଲେଖନୀୟ ଆଜି ଅନୁଷ୍ଠିତ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ବିଜୟୀ ଉପରୋକ୍ତ ଛାତ୍ରଛାତ୍ରୀମାନେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର