‘ସମ୍ବାଦ’ର ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା: ‘ମେରୀ ଆୱାଜ୍‌ ହି ପେହେଚାନ୍‌ ହେ…’ 

ସାରେଗାମାରେ ମନ ଜିଣିଲେ ଅଦିତି, ବିତର୍କରେ ରଶ୍ମିରଂଜନ

ବ୍ରହ୍ମପୁର: ‘ନାମ୍‌ ଗୁମ୍‌ ଯାଏଗା… ଚେହେରା ୟେ ବଦଲ୍‌ ଯାଏଗା… ମେରୀ ଆୱାଜ୍‌ ହି ପେହେଚାନ୍‌ ହେ…, ଅଭି ମୁଝ୍‌ମେ କହିଁ… ବାକି ଥୋଡ଼ି ସି ହେ ଜିନ୍ଦେଗୀ…, ମୟୁରୀ ଗୋ ତୁମେ ଆକାଶରେ ଦିନେ…, ବଂଶୀରେ ପ୍ରେମରେ ତୋ ସାତସୁରେ ବନ୍ଧା…’ ଭଳି ସଙ୍ଗୀତର ତାଳେତାଳେ ଝୁମି ଉଠିଥିଲେ ଶ୍ରୋତା। ଏଭଳି କିଛି ମନଛୁଆଁ ସ˚ଗୀତର ମୂର୍ଚ୍ଛନାରେ ବେଶ୍‌ ଉତ୍ସାହର ସହିତ ଆଜି ଶେଷ ହୋଇଛି ‘ସମ୍ବାଦ-ଆମ ଓଡ଼ିଶା’, ‘କନକ ଟିଭି-ରେଡ଼ିଓ ଚକଲେଟ୍‌-୧୦୪ ଏଫ୍‌ଏମ୍‌’ ପକ୍ଷରୁ ଆୟୋଜିତ ବ୍ରହ୍ମପୁର ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତା। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀଙ୍କ କଣ୍ଠରୁ ଭାସି ଆସିଥିବା ଓଡ଼ିଆ ଆଧୁନିକ ସଂଗୀତ ଠାରୁ ଆରମ୍ଭ କରି ଓଡ଼ିଆ ଚଳଚ୍ଚିତ୍ର, ହିନ୍ଦୀ ଚଳଚ୍ଚିତ୍ରର ଚିର ସବୁଜ ଗୀତ ଗୁଡ଼ିକ ମନଭରି ଉପଭୋଗ କରିଥିଲେ ଶ୍ରୋତା। ସେହିପରି ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’ ଶୀର୍ଷକ ବିତର୍କ ପ୍ରତିଯୋଗିତାରେ ମଧ୍ୟ ପ୍ରତିଯୋଗୀମାନେ ନିଜ ନିଜର ଯୁକ୍ତି ଉପସ୍ଥାପନ କରି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସ୍ଥାନୀୟ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ତପରେ ଆୟୋଜିତ ସାରେଗାମା ପ୍ରତିଯୋଗିତାରେ ୩ଟି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ୫୩ଜଣ ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିଥିଲେ। ପ୍ରଥମ ରାଉଣ୍ଡରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଦ୍ବିତୀୟ ରାଉଣ୍ଡ ପ୍ରତିଯୋଗିତା ହୋଇଥିଲା। ଏହାପରେ ୫ଜଣ ପ୍ରତିଯୋଗୀଙ୍କୁ ନେଇ ଫାଇନାଲ୍‌ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ବେଶ୍‌ ସ˚ଘର୍ଷମୟ ରହିଥିଲା। ଶେଷରେ ସମସ୍ତଙ୍କୁ ପଛରେ ପକାଇ ଖଲ୍ଲିକୋଟ ଜୁନିୟର କଲେଜ ଛାତ୍ରୀ ଅଦିତି ପାଢ଼ୀ ତାଙ୍କର ସୁର, ଲୟ ଓ ତାଳରେ ବିଚାରକଙ୍କ ମନ କିଣି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ‘କୁହୁକୁହୁ ବୋଲେ କୋୟଲିଆ…’ ତାଙ୍କର ଶ୍ରେଷ୍ଠ ଗୀତ ବୋଲି ସେ କହିଛନ୍ତି। ସେହିପରି ରୋଲାଣ୍ଡ ଫାର୍ମାସିର ଛାତ୍ର ଶୁଭଦୀପ ସମଦ୍ଦାର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୋନାଲି ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।

ସେହିପରି ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’ ଶୀର୍ଷକ ବିତର୍କ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜ ନିଜର ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପନ କରିଥିଲେ। ଆତ୍ମହତ୍ୟା ପାଇଁ କିଏ ପରିବାରକୁ ଦାୟୀ କରିଥିଲେ ତ ଆଉ କିଏ ଦୁର୍ବଳ ମାନସିକତା ଦାୟୀ କରି ନିଜର ଯୁକ୍ତି ରଖିଥିଲେ। ବିଚାରକ ମଣ୍ଡଳୀ ପ୍ରତିଯୋଗୀଙ୍କ ବିତର୍କ ଶୁଣିବା ପରେ ତାଙ୍କର ଫଳାଫଳ ଘୋଷଣା କରିଥିଲେ। ବିତର୍କ ପ୍ରତିଯୋଗିତାରେ ରୋଲାଣ୍ଡ ଫାର୍ମାସିର ଛାତ୍ର ରଶ୍ମିରଂଜନ ସାହୁ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ର ଅମ୍ବିକା ପ୍ରସାଦ ମହାପାତ୍ର ଦ୍ବିତୀୟ ଓ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଛାତ୍ରୀ ସୁଦୀପ୍ତି କୁମାରୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିତର୍କ ପ୍ରତିଯୋଗିତାରେ ୩୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଶେଷରେ ‘ସମ୍ବାଦ’ ବ୍ରହ୍ମପୁର ସ˚ସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇଥିଲେ। ‘ସମ୍ବାଦ’ ଖବର ପରିବେଷଣ କରିବା ସହିତ ସାମାଜିକ ଦାୟିତ୍ବବୋଧ ନିର୍ବାହ କ୍ଷେତ୍ରରେ ବେଶ୍‌ ଆଗରେ ରହିଛି। ଆମ ସମାଜରେ ରହିଥିବା ପ୍ରତିଭାଙ୍କୁ ଖୋଜି ବାହାର କରି ଏକ ନୂତନ ପରିଚୟ ପ୍ରଦାନ କରିବା ଦିଗରେ ‘ସମ୍ବାଦ’ର ଏହି ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଆଜିର ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭକାମନା ଜଣାଇଥିଲେ। ବ୍ରହ୍ମପୁର ମହାନଗର ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମୁଖ୍ୟ ସହସମ୍ପାଦକ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସହସମ୍ପାଦକ ମନୋଜ କୁମାର ସାମଲ ସାରେଗାମା ପ୍ରତିଯୋଗିତାରେ ସଂଯୋଜନା କରିଥିଲେ। ସେହିପରି ବ୍ରହ୍ମପୁର ମହାନଗର ପ୍ରତିନିଧି ଜ୍ଞାନେନ୍ଦ୍ର ନାରାୟଣ ରଥ ବିତର୍କ ପ୍ରତିଯୋଗିତାରେ ସଂଯୋଜନା କରିଥିଲେ। ‘ଆମ ଓଡ଼ିଶା’ ସଂଯୋଜକ ବସନ୍ତ ପଣ୍ଡାଙ୍କ ସମେତ ‘ସମ୍ବାଦ’ ଓ କନକ ଟିଭି ଏବଂ ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲ୍‌ ପରିବାରର ସମସ୍ତ ସହଯୋଗୀ ପରିଚାଳନାରେ ସହଯୋଗ କରିଥିଲେ। ବାଦ୍ୟଯନ୍ତ୍ର ଓ ସାଉଣ୍ଡ୍‌ ସିଷ୍ଟମ୍‌ରେ ଅଶୋକ ପଣ୍ଡା, ରିଙ୍କୁ, ଅମିନ, ବୁଡ଼ୁ ଓ ଦୀପକ ସହଯୋଗ କରିଥିଲେ। ସାରେଗାମା ପ୍ରତିଯୋଗିତାର ବିଚାରକ ଭାବେ ସଂଗୀତଜ୍ଞ ରାମ-ଲକ୍ଷ୍ମଣ, ନୀଳାଞ୍ଚଳ ବେହେରା ଓ ଅଶ୍ବିନୀ ମହାପାତ୍ର ଏବଂ ବିତର୍କ ପ୍ରତିଯୋଗିତାର ବିଚାରକ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଆଞ୍ଚଳିକ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝା, କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ, ନରେନ୍ଦ୍ରପୁରର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଡ. ହୃଷିକେଶ ପଣ୍ଡା ଓ ଇଚ୍ଛାପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡ. ସୁଶାନ୍ତ ଜେନା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର