ଜୟପୁର: ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତଥ୍ୟ ତଥା ଯୁକ୍ତି ଭତ୍ତିରେ ମତ ରଖିଲେ କଲେଜ ଛାତ୍ରଛାତ୍ରୀ। ସରକାରୀ ତଥା ବେସରକାରୀ ସଂସ୍ଥାର ସର୍ବେକ୍ଷଣକୁ ଉପସ୍ଥାପନ କରି ମାନସିକ ଚାପ, ଅବସାଦ, ଦୁଶ୍ଚିନ୍ତା, ଦୂରାରୋଗ, ସାମାଜିକ ନିନ୍ଦା, ସାମାଜିକ ପ୍ରତାରଣା, ଦୁର୍ଷ୍କମ, ନିର୍ଯାତନା, ଯେ କୌଣସି କର୍ମକ୍ଷେତ୍ରରେ ଅପଦସ୍ତ ଯୋଗୁ ଜଣେ ଆହତ୍ମତ୍ୟା କରୁଥିବା ପ୍ରତିଯୋଗୀ ଯୁକ୍ତି ବାଢ଼ିଥିଲେ। ଆଜିର ବିଜ୍ଞାନ ଯୁଗରେ ବସ୍ତୁବାଦି ହୋଇ ବାପାମା’ ପିଲାଙ୍କ ଉପରେ ନିଜର ଇଚ୍ଛାକୁ ଲଦି ଦେଉଥିବା ବେଳେ ଚାପଗ୍ରସ୍ତ କିଶୋରକିଶୋରୀ ପଥଭ୍ରଷ୍ଟ ହୋଇ ଆହତ୍ମତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ପ୍ରତ୍ୟେକ୍ଷ ହେଉ କିମ୍ବା ପରୋକ୍ଷ ଆଚରଣ ହିଁ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ବାର୍ଷିକ ଜୋନ୍ସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଚର୍ଚ୍ଚା ହୋଇଥିଲା।
ଏଥିରେ ବିଚାରକ ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ନୟନ କିଶୋର ମହାନ୍ତି, ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ଡମ୍ବରୁଧର ଦାସ, ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟ ସମାଜିକ ବିଜ୍ଞାନ ବିଭାଗ ମୁଖ୍ୟ ଡ. ସାଗରିକା ମିଶ୍ର, ବୋରିଗୁମ୍ମା ଭୈରବ ଡିଗ୍ରି ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ଡ. ସଦାଶିବ ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ଛାତ୍ରଛାତ୍ରୀଙ୍କୁ ମତ ରଖିବା ପାଇଁ ବହୁତ ବଡ଼ ମଞ୍ଚ ପ୍ରଦାନ କରୁଛି, ଯାହା ଫଳରେ ଅବିଭକ୍ତ କୋରାପୁଟ ଅଞ୍ଚଳର ବିଦ୍ୟାର୍ଥୀମାନେ ଖୋଲା ବିଚାର ରଖିବା ପାଇଁ ସୁଯୋଗ ପାଉଥିବା ବିଚାରକ ମତ ରଖିଥିଲେ। ଏଥିସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇଁ ଉପସ୍ଥିତ ପ୍ରତିଯୋଗୀଙ୍କ ମାର୍ଗଦର୍ଶନ କରିଥିଲେ। ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୫୪ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଜୟପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ରର ରାଜେଶ ରାୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରକାଶମ ଅଞ୍ଚଳର ଗୌତମ କଲେଜ ଅଫ୍ ଏଜୁକେସନର ଛାତ୍ରୀ ସ୍ମୃତିସୁଧା ସାହୁ ଦ୍ବିତୀୟ ଓ ଜୟପୁର ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟ ମନ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/43-13.jpg)