ରାଜ୍ୟର ପ୍ରଥମ ନିର୍ବାଚନ କମିସନର ଦେବେନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର/ସୋନପୁର : ଓଡ଼ିଶାର ପ୍ରଥମ ନିର୍ବାଚନ କମିସନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଶନିବାର ମଧ୍ୟାହ୍ନ ୧୨ଟା ୩୦ମିନିଟରେ ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯୋଗୁଁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।

ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସୁବର୍ଣ୍ଣପୁର ଅଧିବାସୀ ଶ୍ରୀ ମିଶ୍ର ଜିଏମ କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେଠାରେ କଲେଜ ଛାତ୍ର ସଂଘର ସଦସ୍ୟ ଥିଲେ। ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ୱତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ହ୍ୟାଣ୍ଡଲୁମ୍ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ପଦରେ ସଫଳତାର ସହ କାର୍ଯ୍ୟ କରିଥିଲେ। ୧୯୯୪ ମସିହାରେ ରାଜ୍ୟରେ ନିର୍ବାଚନ କମିସନ ଗଠନ ହୋଇଥିଲା। ସେହି ସମୟରେ ସ୍ବର୍ଗତ ମିଶ୍ର ଆଇଏଏସ ପଦୋନ୍ନତି ପାଇଥିଲେ। ଏଥିଯୋଗୁଁ ରାଜ୍ୟ ନିର୍ବାଚନ କମିସନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ସେ ଭୁବନେଶ୍ୱର ଓ ସୋନପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ। ଅବସର ପରେ ଭୁବନେଶ୍ବରରେ ପଶ୍ଚିମ ଓଡ଼ିଶାର ଅଧିବାସୀଙ୍କୁ ନେଇ ପଶ୍ଚିମ ଓଡ଼ିଶା ଫୋରମ ଗଠନ କରିଥିଲେ। ଏହି ଫୋରମର ନେତୃତ୍ବରେ ମରୁଡ଼ି, ପାଣି ସମସ୍ୟା, ଚାଷୀ ଆତ୍ମହତ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା। ୧୯୯୬ ମସିହାରେ ବୁର୍ଲା ମେଡିକାଲକୁ ସ୍ବୟଂଶାସିତ କରିବା ପାଇଁ ବିଧାନସଭା ସମ୍ମୁଖରେ ହୋଇଥିବା ଧାରଣାରେ ସେ ମୁଖ୍ୟ ପୁରୋଧା ଥିଲେ। ଇନ୍‌ଟାକ ସହ ମଧ୍ୟ ସେ ଜଡ଼ିତ ଥିଲେ।

ସ୍ବର୍ଗତ ମିଶ୍ର ସୋନପୁର ଘୋଡ଼ାଘାଟପଡ଼ାରେ ଜନ୍ମ ଗ୍ରହଣ କରିଥିଲେ। ବାପା ରାମଶଙ୍କର ମିଶ୍ର ଏବଂ ମା ଜନକସୂତାଙ୍କ ସେ ଥିଲେ ତୃତିୀୟ ପୁତ୍ର। ସ୍ବର୍ଗତ ମିଶ୍ର ମହାରାଜା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ ପାସ୍‌ କରିବା ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ବି.କମ୍. ଏବଂ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଏମ୍‌.କମ୍‌. ପାସ କରିଥିଲେ। ସେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ୍‌ ଅଧିକାରୀ ଅଟନ୍ତି। ଓଏଏସ୍‌ ପାଇବା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପଦରେ ରହି ଦକ୍ଷତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ଗୁଣପୁର ବିଡିଓ ଥିବାବେଳେ ‌ରାଜ୍ୟର ଶ୍ରେଷ୍ଠ ବିଡିଓ ଭାବରେ ପୁରସ୍କୃତ ହୋଇଥିଲେ। ଜଣେ କ୍ରୀଡ଼ାବିତ୍‌ ଭାବରେ ସୁନାମ ଅର୍ଜନ କରିଥିବା ସ୍ବର୍ଗତ ମିଶ୍ର ଅବସର ପରେ ସେ ବିଭିନ୍ନ କ୍ରୀଡ଼ା ସଂଗଠନ ସାଙ୍ଗକୁ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ଥିଲେ।

ଶ୍ରୀ ମିଶ୍ରଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସୁହାସିନୀ ମିଶ୍ର, ପୁଅ ଅସିତ୍ ମିଶ୍ର, ବୋହୂ, ଜ୍ବାଇଁ ବିଭୁଦତ୍ତ ପଟେଲ ଓ ସାନ ପୁଅ ବ୍ରଜେନ୍ଦ୍ର ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। କିଛି ବର୍ଷ ପୂର୍ବରୁ ତାଙ୍କର ଏକମାତ୍ର ଝିଅ ଅମ୍ରିତାଙ୍କ ପରଲୋକ ହୋଇଛି। ଆସନ୍ତାକାଲି ସକାଳେ ଶ୍ରୀ ମିଶ୍ରଙ୍କ ସହିଦନଗରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ରଖାଯିବ। ଆସନ୍ତା ୧୩ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର