ସାବାସ୍‌ ଦେବେନ୍ଦ୍ର, ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୧୦ ଜୀବନ

ବ୍ରହ୍ମପୁର/ଗୋଳନ୍ଥରା: ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ବସ୍‌ ଭିତରୁ ତରତରରେ ଓହ୍ଲାଇବାକୁ ଯାଇ ଜଣକ ପରେ ଜଣେ ଜିଅନ୍ତା ଜଳି ଯାଉଥିଲେ। ଆଖି ସାମ୍ନାରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଉଥିଲେ। ଏଭଳି ଏକ ସଂକଟବେଳେ ବସ୍‌ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ ସ୍ଥାନୀୟ କିଛି ସା‌ହସୀ ଯୁବକ। ସେମାନଙ୍କ ଭିତରୁ ଦେବେନ୍ଦ୍ର ସାହୁ ଏବଂ ଜିତୁ ରେଡ୍ଡି ନିଜ ଜୀବନକୁ ବାଜି ଲଗାଇ ବସ୍‌ରେ ଫସି ରହିଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ବ ପୁରୁଷ, ମହିଳା ଓ ଛୋଟ ପିଲାଙ୍କୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର ସମୟରେ ଦେବେନ୍ଦ୍ର ଓ ଜିତୁ ମଧ୍ୟ ବିଦ୍ୟୁତ ଝଟ୍‌କା ଖାଇ ଆହତ ହୋଇଛନ୍ତି। ଦେବେନ୍ଦ୍ରଙ୍କ ମୁଣ୍ଡ ଓ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିବା ବେଳେ ଜିତୁଙ୍କ ହାତ ମଧ୍ୟ ପୋଡ଼ି ଯାଇଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ଦେବେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଦମକଳ, ଆମ୍ବୁଲାନସ୍‌କୁ ଅପେକ୍ଷା ନ କରି ସେମାନଙ୍କ ଏହି ଦୁଃସାହସିକ ଉଦ୍ୟମରୁ ଅନେକ ଜୀବନ ବଞ୍ଚି ଯାଇଛି। ତେଣୁ ଉଭୟଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେହିପରି ଏମାନଙ୍କ ଯୋଗୁଁ ନୂଆ ଜୀବନ ପାଇଥିବା ଯାତ୍ରୀମାନେ ମଧ୍ୟ ଉଭୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ବସ୍‌ଟି ମେଣ୍ଡରାଜପୁର ଛକ ଦେଇ ଆସୁଥିବା ବେଳେ ଗାଡ଼ିରେ ତାର ଛାତ ଉପର କ୍ୟାରିୟର୍‌ ହୁକ୍‌ରେ ଲାଗି ଯାଇଥିଲା। ଏଥିରେ ବସ୍‌ରେ ବସିଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ନିକଟରେ ଥିବା ଦେବେନ୍ଦ୍ର ଓ ଜିତୁ ଲୋକଙ୍କ ଚିତ୍କାର ଶୁଣି ତୁରନ୍ତ ସେଠାକୁ ଧାଇଁଥିଲେ। ବସ୍‌ରୁ ଓହ୍ଲାଉଥିବା ଯାତ୍ରୀ ଜଳି ଯାଉଥିବା ଭଳି ଛାତିଥରା ଦୃଶ୍ୟ ଦେଖିବା ସତ୍ତ୍ବେ ଉଭୟ ଅଦମ୍ୟ ସାହସ ଦେଖାଇ ବସ୍‌ ଭିତରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ବସ୍‌ର କାଚ ଭାଙ୍ଗି ଛୋଟ ପିଲାମାନଙ୍କୁ ବାହାର କରିଥିଲେ। ଏହାପରେ ବସ୍‌ ଭିତରୁ ବୁଢ଼‌ାବୁଢ଼ୀମାନଙ୍କୁ ଟେକି ବାହାରକୁ ଆଣିଥିଲେ। ଉଦ୍ଧାର ସମୟରେ ଦେବେନ୍ଦ୍ର ଓ ଜିତୁ ମଧ୍ୟ ଆହତ ହୋଇଥିଲେ। ଏପରିକି ବିଦ୍ୟୁତ ଝଟ୍‌କାରେ ଦେବେନ୍ଦ୍ର ଅଚେତ ହୋଇ ପଡ଼ି ଯାଇଥିଲେ। ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି କେଲୁଆପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ।

ସମ୍ବନ୍ଧିତ ଖବର