ପାଇଖାନାରେ ଏକାନ୍ତବାସରେ ଅନ୍ତର୍ଜାତୀୟ ଓଡ଼ିଆ ଅଭିନେତା ଦେବେଶ ରଞ୍ଜନ

ଭୁବନେଶ୍ବର : ସମ୍ବାଦର ଶୀର୍ଷକଟି ହିଁ ଆପଣଙ୍କୁ ଟିକେ ଭାବିବାକୁ ବାଧ୍ୟ କରୁଥିବ। ‌ଦେବେଶ ଯଦି ଜଣେ ଅନ୍ତର୍ଜାତୀୟ ଅଭିନେତା, ତେବେ ସେ ଭଲ ରୋଜଗାର ମଧ୍ୟ କରୁଥିବେ। ‌ତେବେ ସେ ପାଇଖାନାରେ ଏକାନ୍ତବାସରେ କାହିଁକି? ହୁଏତ ସେ ପାଇଖାନାରେ ରହୁଛନ୍ତି, ମାତ୍ର ସେ ପାଇଖାନାଟି ବି କୋଉ ବେଡ୍‌ରୁମ୍‌ଠୁ କମ୍‌ ନୁହେଁ। ଏଠାରେ କୁହାଯାଇଥିବା ଦେବେଶ ରଞ୍ଜନଙ୍କ ନାମଟି ସହ ହୁଏତ ଅନେକ ପରିଚିତ ନଥିବେ। ମାତ୍ର ଏହି ଓଡ଼ିଆ ପୁଅ ଦେବେଶ ରଞ୍ଜନ ଇଂରାଜୀ ଚଳଚ୍ଚିତ୍ର ‘ଭାରା: ଏ ବ୍ଲେସିଙ୍ଗ’ ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରି ହଂକଂ, ତାଇୱାନ, ଭୁଟାନ, ନେଦରଲାଣ୍ଡ, ଆମେରିକାରେ ବେଶ ପ୍ରଶଂସା ସାଉଁଟି ସାରିଛନ୍ତି। ବଲିଉଡ୍‌ରେ ‘ଭୋର’ ଚଳଚ୍ଚିତ୍ରରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ରେଡ୍‌ କାର୍ପେଟରେ ଚାଲିବାର ସୁଯୋଗ ପାଇଛନ୍ତି। ଦେବେଶ କେବଳ ଯେ ଏହି ଦୁଇଟି ଫିଲ୍ମ କରିଛନ୍ତି ତାହା ନୁହେଁ, ଆଗକୁ ମଧ୍ୟ ସେ କିଛି ଇଂରାଜୀ ଓ ହିନ୍ଦୀ ଭାଷାର ଚଳଚ୍ଚିତ୍ର ପାଇଁ ଡାକରା ପାଇଛନ୍ତି। ସୌଭାଗ୍ୟବଶତଃ ‘ଭୋର’ ଚଳଚ୍ଚିତ୍ରଟି ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲେ ହେଁ ତାହାକୁ ଘୁଞ୍ଚାଇ ଦିଆଯାଇଛି। ଏହା ବ୍ୟତୀତ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟ ଚାତୁରୀ ପ୍ରମାଣିତ କରିଛନ୍ତି।

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜରଦା ଗ୍ରାମର ବାସିନ୍ଦା ଦେବେଶ ରଞ୍ଜନ ଗତ ୨୨ ତାରିଖରେ ମୁମ୍ବାଇରୁ ନିଜ ଘରକୁ ଆସିବା ପରେ ସେଲ୍‌ଫ-କ୍ବାରାଣ୍ଟିନ ତଥା ଏକାନ୍ତବାସରେ ରହିଛନ୍ତି। କରୋନା ପାଇଁ ବିଦେଶ ଓ ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିବିଶେଷଙ୍କୁ ଏକାନ୍ତବାସରେ ରହିବାକୁ କୁହାଯାଇଥିବା ବେଳେ ସେ ବି ସରକାରଙ୍କ ଏହି ନିର୍ଦେଶ ପାଳନ ମୁତାବକ ଏକାନ୍ତବାସରେ ରହିଛନ୍ତି। ଦେବେଶଙ୍କ କହିବା ମୁତାବକ, ମୁମ୍ବାଇରେ ଯେଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ମୁଁ ଓଡ଼ିଶା ଫେରିବାକୁ ଚାହୁଁନଥିଲି। ମାତ୍ର ମୋ’ ବାପାଙ୍କର ଶ୍ରାଦ୍ଧ ବାର୍ଷିକ ଥିବାରୁ ଏବଂ ମୁଁ ଏକ ମାତ୍ର ପୁଅ ହୋଇଥିବାରୁ କିଛି କର୍ମକାଣ୍ଡ ପାଇଁ ଆସିବାକୁ ବାଧ୍ୟ ଥିଲି। ମାତ୍ର ଗତ ୨୨ ତାରିଖରେ ଘରେ ପହଞ୍ଚିବା ପରେ ମୁଁ ନିଷ୍ପତ୍ତି ନେଲି, ଘର ମଧ୍ୟକୁ ପ୍ରବେଶ କରିବି ନାହିଁ। ବରଂ ଘରେ ପହଞ୍ଚିବା ପରେ ମା’ କରିଥିବା ନିମ୍ବ ପତ୍ର ପାଣିରେ ନିଜକୁ ବିଶୋଧନ କରିବା ସହ ମୋ ସାଥିରେ ଆଣିଥିବା ସମସ୍ତ ଡ୍ରେସ ବିଶୋଧନ କଲି। ସରକାରଙ୍କ ନିର୍ଦେଶ ଓ ନିଜ ସ୍ବାସ୍ଥ୍ୟକୁ ଗୁରୁତ୍ବପୂର୍ବକ ମୁଁ ଏକାନ୍ତବାସରେ ରହିବା ପାଇଁ ଘରଠୁ ୨୫ ମିଟର ଦୂରରେ ଥିବା ଏକ ପାଇଖାନାକୁ ବାଛିଥିଲି। ଏଇ ପାଇଖାନାଟି ବି ଜଣେ ବ୍ୟକ୍ତି ରହିବା ପାଇଁ କୌଣସି ବେଡ୍‌ରୁମ୍‌ଠାରୁ କମ୍‌ ନଥିବାରୁ ଏଠାରେ ରହିବା ଅସମ୍ଭବ ହେଲା ନାହିଁ। ଏମିତି ବି ମୋର ମା’ ବୟସ୍କ ହୋଇଥିବାରୁ ମୁଁ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନଥିଲି। ତେଣୁ ଏଯାବତ ୧୨ ଦିନ ହେଇଗଲା ମୁଁ ସେଇ ପାଇଖାନା ଘରେ ରହୁଥିବା ବେଳେ ମା’ ଦୂରରେ ପତ୍ରଖଲି ଓ ଦନାରେ ରଖି ଦେଇ ଯାଉଥିବା ଖାଦ୍ୟ ଖାଇ ରହୁଛି। ବାହାରକୁ ବାହାରୁ ନାହିଁ। ଧ୍ୟାନ, ଯୋଗାସନ, ପ୍ରାଣାୟମଠୁ ନେଇ ଡାଏଟିଂ କରୁଛି। ୧୦୪କୁ କଲ୍‌ କରି ପରାମର୍ଶ ନେବା ସହିତ ସମସ୍ତ ନିୟମ ପାଳନ କରୁଛି ବୋଲି ସେ କହିଛନ୍ତି।

ଭଗବାନଙ୍କ କୃପାରୁ ଏପର୍ଯ୍ୟନ୍ତ ମୋ’ଠାରେ କରୋନାର ସେପରି କୌଣସି ଲକ୍ଷଣ ଦେଖା ଦେଇନାହିଁ। ତେବେ ବି ମୁଁ ୧୪ ଦିନ ପରିବର୍ତେ ୨୧ ଦିନ କ୍ବାରାଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛି। କାରଣ ଏ ସମୟରେ ପ୍ରତିରୋଧ ହିଁ ପ୍ରତିକାର। କୌଣସି ଆସନ୍ନ ବିପଦ ପୂର୍ବରୁ ସାବଧାନ ହେବା ବୁଦ୍ଧିମାନର ଲକ୍ଷଣ। ତେଣୁ ମୁଁ ବି ଚାହିଁବି ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ମୋ’ ଭଳି ଏକାନ୍ତବାସରେ ରୁହନ୍ତୁ। ନିଜ ଘର ଲୋକ କିମ୍ବା ‌ସାହି ପଡ଼ିଶା କାହାରିକୁ କରୋନା ଭଳି ମହାମାରୀ ବ୍ୟାପିବାରେ ଭାଗୀଦାରି ନହୁଅନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର