ଦେବୀପ୍ରସନ୍ନଙ୍କୁ ‘ଜାନକୀ ବଲ୍ଲଭ ସ୍ମୃତି’ ସମ୍ମାନ

ଭୁବନେଶ୍ବର : ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ, ୨୦୧୯ ପ୍ରଦାନ କରାଯିବ। ସେହିପରି ଜୀବନବ୍ୟାପୀ ସମାଜସେବା ନିମନ୍ତେ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ, ୨୦୧୯ ପ୍ରଦାନ କରାଯିବ।

ଏ ନେଇ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ସାଧାରଣ ସଂପାଦକ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର। ସୂଚନାଯୋଗ୍ୟ, ଏହି ଚୟନ କମିଟିରେ ପୂର୍ବତନ ନଗରପାଳ ଡା. ଜଗନ୍ନାଥ ମହାପାତ୍ର, ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ଓ ପୂର୍ବତନ କର୍ପୋରେଟର ପ୍ରତାପ ଜେନା ସଦସ୍ୟ ରହିଛନ୍ତି। ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୪ର୍ଥ ଶ୍ରାଦ୍ଧ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ଉତ୍ସବରେ ଏହି ସମ୍ମାନ ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର