ଭୁବନେଶ୍ୱର : ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିିଳିବା ୪ ବର୍ଷ ବିତିଲାଣି। ଅଥଚ ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବାକୁ ଯୋଗ୍ୟ ମଣିନାହାନ୍ତି ଭାରତ ସରକାର। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ପୁରସ୍କାର ତାଲିକାରେ ବି ଓଡ଼ିଶାର କୌଣସି ବିଦ୍ୱାନଙ୍କ ନାଁ ନାହିଁ। ରାଷ୍ଟ୍ରପତି ପୁରସ୍କାର, ଅନ୍ତର୍ଜାତୀୟ ପୁରସ୍କାର ଏବଂ ମହର୍ଷି ବାଦ୍ରାୟନ ବ୍ୟାସ ସମ୍ମାନ, କୋଉଥିରେ ବି ଓଡ଼ିଆ ଭାଷାବିତ୍‌ଙ୍କୁ ସମ୍ମାନ ଦେବାକୁ ଉଚିତ୍‌ ମଣିନାହିଁ ପୁରସ୍କାର ଚୟନ କମିଟି।

Advertisment

ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସରକାରଙ୍କ ତରଫରୁ ଓଡ଼ିଆଙ୍କ ନାଁ ପଠାଯାଉଛି। ବେସରକାରୀ ସୂତ୍ରରୁ ମଧ୍ୟ ନାମ ପଠାଯାଇଛି। ମାତ୍ର ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଶ୍ରେୟ ସ୍ୱରୂପ କାହାକୁ ପୁରସ୍କୃତ କରାଯାଉ ନାହିଁ। ଚଳିତ ବର୍ଷ ସଂସ୍କୃତ ଭାଷାରେ ୧୫ ଜଣ ଏବଂ ପାଲି, ପ୍ରାକୃତ, ଆରବିକ୍‌, ପର୍ସିଆନ, ଶାସ୍ତ୍ରୀୟ କନ୍ନଡ଼, ଶାସ୍ତ୍ରୀୟ ତେଲୁଗୁ ଭାଷା ପାଇଁ ନାମ ଘୋଷଣା ହୋଇଛି। କିନ୍ତୁ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ କାହାର ନାଁ ନାହିଁ। ଏନେଇ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପଚାରିବାରେ ସେ ପୁରସ୍କାର ଚୟନ ପ୍ରକ୍ରିୟା ଉପରକୁ ଅଙ୍ଗୁଳି ଉଠାଇଛନ୍ତି। କହିଛନ୍ତି, ଓଡ଼ିଶାରୁ ସରକାର ଏବଂ ବେସରକାରୀ ସୂତ୍ରରୁ ନାଁ ଚୟନ କରି ଭାରତ ସରକାରଙ୍କୁ ନିକଟକୁ ପଠାଯିବା ପରେ ଏକ୍ସପର୍ଟ କମିଟି ପୁରସ୍କାର ପାଇଁ ନାମ ଚୟନ କରିବା କଥା। କିନ୍ତୁ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବା ପରେ ଆଉ ଏକ କମିଟି ନାଁ କାଟି ଦେଉଛି। ଏହା ଅନ୍ୟ ଭାଷା କ୍ଷେତ୍ରରେ ହୋଇଛି କି ନାହିଁ ମୁଁ ଜାଣେନାହିଁ। କିନ୍ତୁ ଓଡ଼ିଆ ଭାଷା କ୍ଷେତ୍ରରେ ଏପରି ହୋଇଛିି ବୋଲି ସେ କହିଛନ୍ତି। ତେଣୁ ପୁରସ୍କାର ଚୟନର ଏହି ପ୍ରକ୍ରିୟାକୁ ବିରୋଧ କରି ସେ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି।

ସେ ଏକଥା ବି କହିଛନ୍ତି ଯେ, ଭାଷା ପାଇଁ ଜୀବନବ୍ୟାପୀ ସମ୍ମାନ, ୨ଟି ଅନ୍ତର୍ଜାତୀୟ ସମ୍ମାନ, ୩୫ରୁ ୪୫ ବର୍ଷ କାମ କରୁଥିବା ଗବେଷକଙ୍କ ପାଇଁ ୫ଟି ସମ୍ମାନ ପ୍ରଦାନ କରାଯାଏ। ତେବେ ଆମ ରାଜ୍ୟରୁ କେବେ ସମ୍ପୂର୍ଣ୍ଣ ୮ଟି ବର୍ଗରେ ନାଁ ପଠାଯିବା ମୁଁ କେବେ ଶୁଣିନାହିଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। କେତେକ ବର୍ଗରେ ନାଁ ଯାଉଥିବା ବେଳେ କଟିଯାଉଛି ତ କେତେକ ବର୍ଗରେ ବିଲ୍କୁଲ ନାଁ ପଠାଯାଉନାହିଁ।

ଏନେଇ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କୁହନ୍ତି, ନାଁ ପଠାଯାଇଥିଲା। କିନ୍ତୁ କୌଣସି ସମ୍ମାନ କିମ୍ବା ପୁରସ୍କାର ଏଥିପାଇଁ ଓଡ଼ିଶାକୁ ମିଳିପାରିନାହିଁ। ବାସ୍ତବରେ ସରକାର କିମ୍ବା ବେସରକାରୀ ସୂତ୍ରରୁ ଯାଉଥିବା ଗବେଷକ ଓ ଭାଷାବିଜ୍ଞାନୀଙ୍କ ନାମ ଠିକ୍‌ ଢଙ୍ଗରେ ଏକ୍ସପର୍ଟ କମିଟି ନିକଟରେ ଉପସ୍ଥାପନ କରାଯାଇ ପାରୁନାହିଁ ନା ନାମ ଯାଉଥିଲେ ବି ଚୟନ କରିବାରେ କୌଣସି ସମସ୍ୟା ରହୁଛି ତାହା ପ୍ରଶ୍ନବାଚୀ।