ପର୍ଯ୍ୟଟକଙ୍କ ମନମୋହୁଛି ଦେବଝରଣ ଜଳପ୍ରପାତ

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ କୟାକୁଦ ପଞ୍ଚାୟତରେ ଥିବା ଦେବଝରଣ ଜଳପ୍ରପାତ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନ ଦେଇଛନ୍ତି। ପର୍ଯ୍ୟଟନ ଋତୁରେ ଏହି ଝରଣା ନିକଟରେ ପ୍ରତିଦିନ ଭିଡ଼ ଜମିଥାଏ।

ଝରଣାଠାରୁ କିଛି ଦୂରରେ ଥିବା ଦେବଝରଣ ଜଳଭଣ୍ଡାର ନିକଟରେ ଭୋଜିଭାତ କରିବା ଲାଗି ପ୍ରକୃଷ୍ଟ ସ୍ଥାନ ରହିଛି। ପିକ୍‌ନିକ୍‌ କରିବାକୁ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ।

ଏହି ପ୍ରାକୃତିକ ଜଳପ୍ରପାତ ଏବେ ବିପଦରେ। ପାହାଡ଼ ଉପରୁ ଝରି ଆସୁଥିବା ସୁଶୀତଳ ଜଳର ଧାରା ଏବେ ହ୍ରାସ ପାଉଥିବା ଦେଖାଯାଇଛି। ଯାହା ପ୍ରକୃତିପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ଜାତୀୟ ରାଜପଥ ୫୫ରୁ ପ୍ରାୟ ୫ କିଲୋମିଟର ଯିବା ପରେ ସବୁଜ ବନାନୀ ଘେରା ପାହାଡ଼ କୋଳରେ କୁଳୁକୁଳୁ ନାଦ କରି ବହି ଯାଉଛି ଏହି ଝରଣା। ସ୍ଥାନଟି ଲୋକଲୋଚନକୁ ଆସିବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଏଠାରେ ଅବସର ସମୟ କାଟିବାକୁ ଧାଇଁ ଆସୁଛନ୍ତି।

ବିଶେଷକରି ଶୀତ ଓ ବର୍ଷା ଦିନରେ ଏହି ଝରଣାର ଦୃଶ୍ୟ ଏବଂ ଏଠାକାର ସବୁଜ ପରିବେଶ ଲୋକମାନଙ୍କୁ ବାନ୍ଧି ରଖିଥାଏ। ହେଲେ ଖରା ସମୟରେ ଏହା ସତେ ଯେପରି ଶ୍ରୀହୀନ ହୋଇଯାଇଛି।

ପାହାଡ଼ ଉପରୁ ଝରି ଆସୁଥିବା ଏହି ସୁଶୀତଳ ଜଳକୁ ଅଟକାଇ ରଖି ତିଆରି କରାଯାଇଛି ଦେବଝରଣ ଜଳାଭଣ୍ଡାର। ଏହି ଜଳଭଣ୍ଡାର କୂଳରେ କିଛିକ୍ଷଣ ବସିଲେ ମନରେ ଶାନ୍ତି ଆସିଥାଏ।

ଏହି ଜଳକୁ ଆଖପାଖ ଅଞ୍ଚଳର ଚାଷଜମିକୁ ଯୋଗାଇ ଦିଆଯାଇ ଫସଲ ଉତ୍ପାଦନ କରାଯାଇଥାଏ। ବିଶେଷକରି କୟାକୁଦ ପଞ୍ଚାୟତର ଲୋକ ଏହାର ଜଳକୁ ବ୍ୟବହାର କରି ଅନେକ ଖରାଟିଆ ଫସଲ କରିଥାନ୍ତି।