ବରଗଡ଼ : ଡେବ୍ରିଗଡ଼ ଅଭୟାରଣ୍ୟ କ୍ରମଶଃ ବନ ବିଭାଗର ହାତମୁଠାରୁ ଖସିବାକୁ ଲାଗିଛି। ଏଠାରେ ମାଫିଆ ଏବଂ ଶିକାରୀଙ୍କ ରାଜୁତି ଚାଲିଛି। ୨୦୧୮ ମସିହାରେ ଡେବ୍ରିଗଡ଼ରେ ବିଲୁପ୍ତପ୍ରାୟ ମହାବଳ ବାଘଟିଏ ଠାବ ହୋଇଥିଲା। ଜୀବଜନ୍ତୁପ୍ରେମୀ ମହଲରେ ଆନନ୍ଦ ଭରି ଯାଇଥିଲା। କିନ୍ତୁ ସେହିବର୍ଷ ନଭେମ୍ବର ମାସରେ ଶିକାରୀମାନେ ଅନାୟାସରେ ମହାବଳକୁ ମାରି ଦେଇଥିଲେ। ଘଟଣାର କେନ୍ଦ୍ରୀୟ ଟିମ୍ ଏବଂ ଭିଜିଲାନ୍ସ ବିଭାଗ ଖୋଳତାଡ଼ କଲେ। ଶିକାରୀ ଗିରଫ ହୋଇ ଜେଲ୍ ଗଲେ। କିନ୍ତୁ ଡେବ୍ରିଗଡ଼ରେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏଯାଏଁ କିଛି ଠୋସ୍ ବ୍ୟବସ୍ଥା ହୋଇନାହିଁ। ମହାବଳ ହତ୍ୟା ଘଟଣା ପରେ ବି ବନ ବିଭାଗ କିଛି ଶିକ୍ଷା ପାଇଲା ନାହିଁ।
ସୂଚନାଯୋଗ୍ୟ, ଡେବ୍ରିଗଡ଼ ଅଭୟାରଣ୍ୟ ପାଖରେ ଥିବା ଖଜୁରିଆ ଗାଁରେ ମହାବଳକୁ ହତ୍ୟା କରାଯାଇଥିଲା। ବୁଧବାର ସେହି ଡେବ୍ରିଗଡ଼ର ତିନି ଜଣ ଶିକାରୀ ଚିତା ବାଘ ଛାଲ, ନଖ ଓ ଦାନ୍ତ ସହ ଗିରଫ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଡେବ୍ରିଗଡ଼ରେ ଜନ୍ତୁ ଶିକାର ଏବଂ ଶିକାରୀଙ୍କ ଉପସ୍ଥିତି ଏବେ ବି ଜାରି ରହିଛି। ଅଭୟାରଣ୍ୟର ସୁରକ୍ଷା ପାଇଁ କୌଣସି ଟାସ୍କଫୋର୍ସ ଗଠନ ହୋଇନାହିଁ। ଏବେ ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ଓ ବିଦେଶୀ ପକ୍ଷୀ ରୁଣ୍ଡ ହୋଇଛନ୍ତି। ହେଲେ ଏହି ବିରଳ ଅତିଥି ପକ୍ଷୀମାନେ ଶିକାରୀଙ୍କ ଶିକାର ହେଉଛନ୍ତି। ପ୍ରତିଦିନ ଅଭୟାରଣ୍ୟରେ ଏହି କାରନାମା ଚାଲିଥିଲେ ହେଁ ପାଟ୍ରୋଲିଂ ପାଇଁ କିଛି ଠୋସ୍ ବନ୍ଦୋବସ୍ତ ହୋଇନାହିଁ। ଅଭୟାରଣ୍ୟର ସୀମା ବିବାଦକୁ ନେଇ ବରଗଡ଼ ଏବଂ ସମ୍ବଲପୁର ବନ ବିଭାଗ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି। ଅଭୟାରଣ୍ୟରେ କିଛି ଅଘଟଣ ଘଟିଲେ ଉଭୟ ଜିଲ୍ଲାର ବନ ବିଭାଗ ପରସ୍ପରକୁ ଦୋଷାରୋପ କରି ନିଜ ମୁଣ୍ଡରୁ ଅଠା ଛଡ଼ାଇଥାନ୍ତି। ପକ୍ଷୀ ଏବଂ ଜୀବଜନ୍ତୁ ସୁରକ୍ଷା ମଧ୍ୟ ଏହି ସୀମା ବିବାଦ କାରଣରୁ ସମ୍ଭବ ହେଉନାହିଁ। ଏହି ସୀମା ବିବାଦର ପରିଣାମ ଏଠାରେ ବସବାସ କରୁଥିବା ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଅଭୟାରଣ୍ୟର କେଉଁ ଜିଲ୍ଲାର, ତାକୁ ନେଇ ସବୁବେଳେ ଟଣାଓଟରା ଲାଗି ରହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/debrigarh-forest.jpg)