କେନ୍ଦୁଝର: ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଗଠନ ହୋଇଛି ସ୍ବୟଂସହାୟକ ଗୋଷ୍ଠୀ। ତେବେ ଏହି ଗୋଷ୍ଠୀରେ ଥିବା ମହିଳାଙ୍କ ଉପରେ ଋଣଭାର ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୩୦୦୮ଟି ଏସ୍ଏଚ୍ଜି ଉପରେ ୮୬ କୋଟିରୁ ଅଧିକ ଟଙ୍କା ଋଣ ରହିଥିବା ଜଣାପଡ଼ିଛି।
କେନ୍ଦୁଝର ଏକ ଆଦିବାସୀବହୁଳ ଜିଲ୍ଲା। ଜିଲ୍ଲାର ମହିଳାମାନେ ଚାଷ ନଚେତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ଜିଲ୍ଲାର ବିଭିନ୍ନ ଗ୍ରାମରେ ସ୍ବୟଂସହାୟକ ଗୋଷ୍ଠୀ ଗଠନ ହେବା ପରେ ଅଧିକାଂଶ ମହିଳା ବିଭିନ୍ନ କାମ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସରକାରୀ ସହାୟତା ସାଙ୍ଗକୁ ଧନ୍ଦାମୂଳକ ତାଲିମ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ ବହୁ ମହିଳା ଏସବୁ ସୁବିଧା ସୁଯୋଗର ଉପଯୁକ୍ତ ଲାଭ ପାଇନାହାନ୍ତି।
କେନ୍ଦୁଝର ଜିଲ୍ଲାରେ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୩୦୦୮ଟି ସ୍ବୟଂସହାୟକ ଗୋଷ୍ଠୀ ଗଠନ ହୋଇଛି। ପ୍ରତି ଗୋଷ୍ଠୀରେ ସର୍ବନିମ୍ନ ୧୦ଜଣ ହିସାବରେ ୩ ଲକ୍ଷରୁ ଅଧିକ ସଦସ୍ୟା ରହିଛନ୍ତି। ଏହି ଏସ୍ଏଚ୍ଜିମାନଙ୍କୁ ଗତ ୪ ବର୍ଷରେ ୮୬ କୋଟି ୬୭ ଲକ୍ଷ ୬ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୭୬୩ଟି ସ୍ବୟଂସହାୟକ ଗୋଷ୍ଠୀକୁ ୧୫ କୋଟି ୩୮ ଲକ୍ଷ ୫୬ ହଜାର ଟଙ୍କା, ୨୦୨୨-୨୩ ରେ ୯୬୯ଟି ସ୍ବୟଂସହାୟକ ଗୋଷ୍ଠୀକୁ ୨୫ କୋଟି ୪୯ ଲକ୍ଷ ୫୯ ହଜାର ଟଙ୍କା, ୨୦୨୩-୨୪ରେ ୧୦୨୮ଟି ସ୍ବୟଂସହାୟକ ଗୋଷ୍ଠୀକୁ ୩୬ କୋଟି ୭୩ ଲକ୍ଷ ୬୮ ହଜାର ଟଙ୍କା, ୨୦୨୪-୨୫ରେ ୨୪୮ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୯ କୋଟି ୫ ଲକ୍ଷ ୭୭ ହଜାର ଟଙ୍କା ଋଣ ଦିଆଯାଇଛି।
ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏହି ଋଣରେ ମହିଳାମାନେ ଛତୁଚାଷ, ଛେଳିପାଳନ, କୁକୁଡ଼ା ଫାର୍ମ, ସିଲେଇ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ସମୟରେ ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ଏହି ଋଣ ନେଇ ନିଜ ବ୍ୟବସାୟରେ ଲଗାଉଛନ୍ତି। ପରେ ପରିଶୋଧ ପାଇଁ ଗୋଷ୍ଠୀର ମହିଳାମାନଙ୍କୁ ବାଧ୍ୟ କରାଯାଉଛି। କେତେକ କ୍ଷେତ୍ରରେ ମହିଳାମାନେ ଋଣ ଟଙ୍କା ନେଇ ଘର ନିର୍ମାଣ କିମ୍ବା ଅନ୍ୟ କିଛି କାମରେ ବ୍ୟବହାର କରୁଛନ୍ତି। ଋଣ ପରିଶୋଧ କରିପାରୁ ନଥିବାରୁ ତାହା ବଢ଼ିବଢ଼ି ଚାଲିଛି। ଏ ସମ୍ପର୍କରେ କେସିସି ବ୍ୟାଙ୍କ ସଭାପତି କାନନବିହାରୀ ପହିଙ୍କୁ ପଚାରିବାରୁ ସେ କହିଥିଲେ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରୁ ବିଭିନ୍ନ ଏସ୍ଏଚ୍ଜିମାନଙ୍କୁ ୧୦୦ କୋଟି ଟଙ୍କା ଋଣ ଦିଆଯାଇଛି। ହାତଗଣତି କେତେକ ଘଟଣାକୁ ଛାଡ଼ିଦେଲେ, ପ୍ରାୟ ସମସ୍ତେ ନିୟମିତ ଋଣ କିସ୍ତି ପୈଠ କରୁଛନ୍ତି। ମହିଳା ଗୋଷ୍ଠୀଙ୍କୁ କେନ୍ଦ୍ର ସମବାୟ ବ୍ୟାଙ୍କ ଦେଉଥିବା ଋଣର ସୁଧ ବାବଦ ଅର୍ଥ ସରକାର ଦେଉଥିବାରୁ ମହିଳା ଗୋଷ୍ଠୀ ଋଣ ଟଙ୍କା ପରିଶୋଧ କରିଦେଉଛନ୍ତି। ବିଶେଷକରି କ୍ୟାସ୍ କ୍ରେଡିଟ୍ ଋଣ ଉପରେ କୌଣସି ସମସ୍ୟା ନଥିବା ବେଳେ ଟର୍ମ ଲୋନ୍ ଉପରେ କିଛି କ୍ଷେତ୍ରରେ କିସ୍ତି ଭରିବା ମହିଳାଙ୍କ ପକ୍ଷେ କଷ୍ଟକର ହେଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/12/loan20thSep._1505893192989_11.jpg)