ଭୁବନେଶ୍ୱର, (ଗଣେଶ ନାୟକ): ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ୧୯୯୫ରେ କ୍ଷମତାଚ୍ୟୁତ ହେବା ବେଳକୁ ରାଜ୍ୟର ଋଣ ଭାର ଥିଲା ୯,୨୧୯ କୋଟି ୯୧ ଲକ୍ଷ ଟଙ୍କା। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ (୪ ବର୍ଷ) ଓ ଗିରିଧର ଗମାଙ୍ଗ (୧ ବର୍ଷ)ଙ୍କ କଂଗ୍ରେସ ସରକାର ଅବଧିରେ ଋଣ ପରିମାଣ ୧୮,୧୦୦ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ୫ ବର୍ଷରେ ତତ୍କାଳୀନ କଂଗ୍ରେସ ସରକାର ୮,୮୮୦ କୋଟି ୮୯ ଲକ୍ଷ ଟଙ୍କା ଋଣ କରିଥିଲେ; ଯାହାର ସିଂହଭାଗ ଜଳ ସଂପଦ ବିଭାଗ ପାଇଁ ଉଦ୍ଦିଷ୍ଟ ଥିଲା।

Advertisment

ତତ୍କାଳୀନ ଜନତା ଦଳ ଓ ବିଭାଜନ ପରବର୍ତ୍ତୀ ବିଜୁ ଜନତା ଦଳ (ବିଜେଡ଼ି)ର ତୁଙ୍ଗ ନେତାମାନେ ବିଧାନସଭାରେ ଓ ଏହା ବାହାରେ ଏହି ଋଣ ଓ ତଥାକଥିତ ଜଳ ସଂପଦ ବିଭାଗ ଦୁର୍ନୀତିକୁ ମୁଖ୍ୟ ଆୟୁଧ କରି ନିର୍ବାଚନ ବୈତରଣୀ ପାରି ହୋଇଥିଲେ। ପରବର୍ତ୍ତୀ ଦୁଇ ଦଶନ୍ଧିରେ ଅର୍ଥାତ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୮ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ରାଜ୍ୟର ମୁଣ୍ଡପିଛା ଋଣ ୨୪ ହଜାର ଟଙ୍କା ଛୁଇଁଛି।

ମାତ୍ର ବିସ୍ମୟଜନକ ହେଲା-କ୍ରମବର୍ଧିଷ୍ଣୁ ସରକାରୀ ଋଣ ଆଉ ରାଜନୈତିକ ପ୍ରସଙ୍ଗ ହୋଇ ରହିନାହିଁ। ଅଧିକ ବିଡ଼ମ୍ବନା ହେଲା ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାକୁ ଟପିବା ଆଶଙ୍କା ଘନୀଭୂତ ହୋଇଛି; ଯାହା ଅର୍ଥ କମିସନ୍‌ଙ୍କ ଦ୍ୱାରା ଧାର୍ଯ୍ୟ ସୀମା (ଜିଏସ୍‌ଡ଼ିପିର ୨୫% ମଧ୍ୟରେ)କୁ ଟପିବ। ଏହାକୁ ଅବଶ୍ୟ କରୋନା ସଂକ୍ରମଣଜନିତ ବାଧ୍ୟବାଧକତା ଭାବେ ଧରି ନିଆଯାଇପାରେ।

publive-image

ସୂଚନାଯୋଗ୍ୟ, ପୂର୍ବ ବର୍ଷ ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୬.୧୬%କୁ ହ୍ରାସ ପାଇ ମୋଟ ଆଭ୍ୟନ୍ତରୀଣ ଉତ୍ପାଦ (ଜିଏସ୍‌ଡ଼ିପି) ଆକାର ୫ ଲକ୍ଷ ୩୪ ହଜାର କୋଟି ଆକଳନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ବଜେଟ୍‌ରେ ରାଜ୍ୟ ସରକାର ୨୪୪୫୦ କୋଟି ଟଙ୍କା ଋଣ କରିବାକୁ ମଞ୍ଜୁରି ଲାଭ କରିଥିବା ବେଳେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) କ୍ଷତି ଭରଣା ନିମନ୍ତେ ଆଉ ୩୫୦୦ କୋଟି ଟଙ୍କା ଋଣ କରିବାକୁ କେନ୍ଦ୍ରୀୟ ଅନୁମତି ପାଇଛନ୍ତି।

କରୋନା ସଂକ୍ରମଣଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଗତିଶୀଳ କରିବା ଲାଗି ରାଜ୍ୟ ସରକାର ଉପରୋକ୍ତ ୨୭,୯୫୦ କୋଟି ଟଙ୍କାଠାରୁ ଅଧିକ ଋଣ କରିବା ଆଶଙ୍କାକୁ ସହଜରେ ଏଡ଼ାଇ ଦିଆଯାଇ ନପାରେ। କାରଣ, ବର୍ଷ ଶେଷକୁ ଜାତୀୟ ଅର୍ଥନୀତି ୯.୫% ସଙ୍କୁଚିତ ହେବ ବୋଲି ରିଜର୍ଭ ବ୍ୟାଙ୍କ ଇତିମଧ୍ୟରେ ଆକଳନ କରିଛନ୍ତି। ଓଡ଼ିଶାର ଅର୍ଥନୀତି ଯଦି ସେହି ପରିମାଣରେ ସଙ୍କୁଚିତ ହୁଏ, ତେବେ ଜିଏସ୍‌ଡ଼ିପି ଆକାର ପାଖାପାଖି ୫୦ ହଜାର କୋଟି ଟଙ୍କା ହ୍ରାସ ପାଇ ୪ ଲକ୍ଷ ୮୫ ହଜାର କୋଟିକୁ ଖସିବ। ସେତେବେଳେ ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୪୦ ହଜାର କୋଟି ହେଲେ ତାହା ୨୫% ସୀମା ଅତିକ୍ରମ କରି ଜିଏସ୍‌ଡ଼ିପିର ୩୫% ଛୁଇଁବା ବିଚିତ୍ର ନୁହେଁ।

କରୋନା ସଂକ୍ରମଣଜନିତ ଅପ୍ରତ୍ୟାଶିତ ମାନ୍ଦାବସ୍ଥାରେ ରାଜ୍ୟ ଅର୍ଥନୀତି ଗୁରୁତର ଭାବେ ସଙ୍କୁଚିତ ହେବ-ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ଏଭଳି ସଙ୍କେତ ମଧ୍ୟ ଦେଇଛନ୍ତି। ଚଳିତ ବର୍ଷ (୨୦୨୦-୨୧)ର ଦେଢ଼ ଲକ୍ଷ କୋଟି ଟଙ୍କା ବଜେଟ୍‌ରେ ନିଜସ୍ୱ ଟିକସ ଓ ଅଣଟିକସରୁ ଯଥାକ୍ରମେ ୩୮,୩୫୦ କୋଟି ଓ ୧୭,୬୫୦ କୋଟି ଟଙ୍କା ଆୟ ହେବ ବୋଲି ସରକାର ଆକଳନ କରିଥିବା ବେଳେ କେନ୍ଦ୍ରୀୟ ଟିକସ ଓ ଅଣଟିକସକୁ ମିଶାଇ ମୋଟ ଟିକସ ଓ ଅଣଟିକସ ବାବଦରେ ଯଥାକ୍ରମେ ୭୪,୬୪୯ କୋଟି ୭୪ ଲକ୍ଷ ଓ ୪୯,୬୫୦ କୋଟି ୨୬ ଲକ୍ଷ ଟଙ୍କା ପାଇବାକୁ ଆଶା ରଖିଥିଲେ।

ସେହିପରି କେନ୍ଦ୍ରୀୟ ଟିକସରୁ ଅଂଶ ବାବଦରେ ୩୬,୨୯୯ କୋଟି ୭୪ ଲକ୍ଷ ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୧୨ ହଜାର କୋଟି ୨୬ ଲକ୍ଷ ଟଙ୍କା ପାଇବାକୁ କ୍ଷ୍ୟ ରଖି ବଜେଟ୍‌ ପ୍ରସ୍ତୁତ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ଜାତୀୟ ଅର୍ଥନୀତି ୯.୫% ସଙ୍କୁଚିତ ହେଲେ ରାଜ୍ୟ ବଜେଟ୍‌ରେ ଆକଳିତ କେନ୍ଦ୍ରୀୟ ସହାୟତା ପ୍ରାୟ ୧୨,୩୦୦ କୋଟି ଟଙ୍କା କମିବ। ଏଣେ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ଓ ଅଣଟିକସ ଆୟ ଗୁରୁତର ଭାବେ ହ୍ରାସ ପାଇବା ଆଶଙ୍କା ଅଛି। ଗତ ଆର୍ଥିକ ବର୍ଷରେ ଜିଏସ୍‌ଡ଼ିପିକୁ ଖଣି ଓ ଶିଳ୍ପ କ୍ଷେତ୍ରର ଅବଦାନ ୩୯.୬% ଥିବା ବେଳେ ସେବା କ୍ଷେତ୍ରର ଅନୁଦାନ ଥିଲା ୪୦.୫୧%। ସେହିପରି କୃଷି ଓ ପର୍ଯ୍ୟଟନ କ୍ଷେତ୍ରର ଅବଦାନ ଥିଲା ଯଥାକ୍ରମେ ୧୯.୯% ଓ ୧୦%। ବନ୍ୟା ଯୋଗୁଁ ଏ ବର୍ଷ କୃଷି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ବାତ୍ୟା ଦୁର୍ବିପାକ ଆଶଙ୍କାର ସମୟ ଟଳିନି। କରୋନାଜନିତ ଲକ୍‌ଡ଼ାଉନ୍‌ ଯୋଗୁଁ ହୋଟେଲ୍‌-ରେସ୍ତୋରାଁ, ରିଏଲ୍‌ ଇଷ୍ଟେଟ୍ ପରିବହନ ଆଦି ସେବା କ୍ଷେତ୍ରରେ ଗତ ମାର୍ଚ୍ଚରୁ ଅଚଳାବସ୍ଥା ଲାଗି ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ। ଏଭଳି ପରିସ୍ଥିତିରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ସରକାର ଅଧିକ ଋଣ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।