ଜଳେଶ୍ବର: ଜଳେଶ୍ବର ବିଦ୍ୟୁତ୍ ଉପଖଣ୍ଡ ଅଧୀନରେ ମୋଟ ୧ ଲକ୍ଷ ୪୫ ହଜାର ୯୬୦ଟି ବିଦ୍ୟୁତ୍ ସଂଯୋଗ ଥିବା ବେଳେ ସେଗୁଡ଼ିକ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଉପଭୋକ୍ତାଙ୍କ ଉପରେ ୮୦ କୋଟିର ବିଲ୍ ବର୍ଷ ବର୍ଷ ଧରି ବକେୟା ପଡ଼ିଛି। ଅନ୍ୟପଟେ ସରକାରୀ ଭାବେ ୨୫୦୦ ଜଣ ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହେବ ବୋଲି ଜଣାପଡ଼ିଛି।
ଜଳେଶ୍ବର ଓ ଭୋଗରାଇ ବ୍ଲକ୍କୁ ନେଇ ଜଳେଶ୍ବର ବିଦ୍ୟୁତ୍ ଉପଖଣ୍ଡ ଗଠିତ। ଏହି ଦୁଇ ବ୍ଲକ୍ରେ ୧.୧୧ ଲକ୍ଷ ସିଙ୍ଗଲ୍ ଫେଜ୍ ବିଦ୍ୟୁତ୍ ସଂଯୋଗ ରହିଛି। ସେହିପରି ୧୦୬ଟି ଷ୍ଟ୍ରିଟ୍ ଲାଇଟ୍ ଓ ୨୪୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସିଙ୍ଗଲ୍ ଫେଜ୍ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ଏହାର ବିଲ୍ ଦେଇଥାଏ। ତେବେ ସିଙ୍ଗଲ୍ ଫେଜ୍ ସଂଯୋଗ ଉପରେ ମୋଟ ୬୩ କୋଟି ୫୬ ଲକ୍ଷ ୪ ହଜାର ୨୮୦ ଟଙ୍କା ବିଲ୍ ବାକି ପଡ଼ିଛି। ୩୪୯୬ଟି ଥ୍ରି ଫେଜ୍ ସଂଯୋଗ ଥିବା ବେଳେ ୧୧ କୋଟି ୪୮ ଲକ୍ଷ ୯୫ ହଜାର ୭୨୦ ଟଙ୍କା ବିଲ୍ ବାକି ରହିଛି। ୧୮୮୪ଟି ସରକାରୀ ଓ ଘରୋଇ ଏଲ୍ଆଇ ସଂଯୋଗ ଥିବା ବେଳେ ସେଥିମଧ୍ୟରୁ ୨୫ଟି ଏଲ୍ଆଇ୍ ପଏଣ୍ଟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ତେବେ କାର୍ଯ୍ୟକ୍ଷମ ଏଲ୍ଆଇ ପଏଣ୍ଟଗୁଡ଼ିକର ମୋଟ ୪ କୋଟି ୯୫ ଲକ୍ଷ ଟଙ୍କା ବିଲ୍ ବାକି ଅଛି। ତେବେ ମୋଟାମୋଟି ଭାବେ ହିସାବ କଲେ ଜଳେଶ୍ବର ଡିଭିଜନ୍ରେ ୧୯୯୦ ମସିହାରୁ ଅଦ୍ୟାବଧି ମୋଟ ୮୦ କୋଟି ଟଙ୍କାର ବିଲ୍ ବକେୟା ରହିଛି। ଯାହାର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସମୟରେ ବକେୟା ବିଲ୍ କେମିତି ଆଦାୟ ହେବ, ସେ ନେଇ ବିଦ୍ୟୁତ୍ ଡିଭିଜନ୍ ଅଧିକାରୀ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟପଟେ ଡିଭିଜନ୍ ପକ୍ଷରୁ ପ୍ରତି ମାସ ୨୦୦ଟି ନୂଆ ବିଦ୍ୟୁତ୍ ସଂଯୋଗ ଦିଆଯିବା ନେଇ କୁହାଯାଇଛି। ସରକାରୀ ଭାବେ ୨୫୦୦ରୁ ଊର୍ଦ୍ଧ୍ବ ଲୋକ ବିଦ୍ୟୁତ୍ ସଂଯୋଗ ପାଇବା ପାଇଁ ଚାହିଁ ରହିଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ୭ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏନେଇ ଟାଟା ପାୱାର, ଜଳେଶ୍ବର ଡିଭିଜନ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମ୍ୟରଞ୍ଜନ ନାୟକଙ୍କୁ ପଚରାଯିବାରୁ ସେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ସରକାରୀ ଭାବେ ଚିହ୍ନଟ ହୋଇଥିବା ୨ ହଜାର ୫୦୦ ଜଣଙ୍କୁ ଆସନ୍ତା ୩ରୁ ୪ ମାସ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଦିଆଯିବ। ଯେଉଁମାନେ ବାକି ରହିଯାଉଛନ୍ତି, ସେମାନଙ୍କ କଥା ଏହା ପରେ ବିଚାର କରାଯିବ ବୋଲି କହିଛନ୍ତି।