କୁଜଙ୍ଗ: ବ୍ୟାଙ୍କ ଋଣଭାରରେ ଅତିଷ୍ଠ ହୋଇ ଜଣେ ପିଅନ ସ୍କୁଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି। ମୃତବ୍ୟକ୍ତି ହେଉଛନ୍ତି ପାରାଦୀପ ପୋର୍ଟ ହାଇସ୍କୁଲ୍‌ର ପିଅନ ଦିଲ୍ଲୀପ କୁମାର ସ୍ବାଇଁ। ଦିଲ୍ଲୀପ ଘର ଭୂତମୁଣ୍ଡାଇରେ। ‌ସେ ସ୍କୁଲ୍‌ ପରିସରରେ ଥିବା ବାଳିକା ଶୌଚାଳୟ ଭିତରେ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀପ ପିଅନ ଭାବେ କାର୍ଯ୍ୟ କରିବା ସହିତ ଜଣେ ମୃଦଙ୍ଗ ଓ ତବଲା ବାଦକ ଭାବେ ବେଶ୍ ଜଣାଶୁଣା। ସେ ବ୍ୟାଙ୍କରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଋଣ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଟଙ୍କା ଉଚ୍ଚ ସୁଧ ହାରରେ ବାହାରୁ ଋଣ ଆଣିଥିଲେ। ଋଣଦାତାଙ୍କ ଜୁଲମ ସହିନପାରି ସେ କିଛିଦିନ ହେବ ତାଙ୍କ ଭୂତମୁଣ୍ଡାଇସ୍ଥିତ ଘରେ ନରହି ସ୍କୁଲ୍‌ରେ ରହୁଥିଲେ।

Advertisment

ଆଜି ସ୍କୁଲ୍‌ ଖୋଲିବା ପରେ ଦିନ ପ୍ରାୟ ସାଢ଼େ ୧୦ ଟାରେ ଦିଲ୍ଲୀପଙ୍କୁ ସ୍କୁଲ୍‌ରେ ନଦେଖି ପ୍ରଧାନଶିକ୍ଷକ କୁମରବର ସାମଲ ତାଙ୍କୁ ଖୋଜାଖୋଜି କରିଥିଲେ। ଅନ୍ୟଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଦିଲ୍ଲୀପଙ୍କ ଚପଲ ଓ ପୋଷାକ ବାହାରେ ପଡ଼ିଥିବା କହିଥିଲେ। ଏହି ସମୟରେ ଜଣେ ଛାତ୍ରୀ ସୂଚନା ଦେଇଥିଲେ ଯେ, ଶୌଚାଳୟ ଭିତରେ ଦିଲ୍ଲୀପଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଅଛି। ସ୍କୁଲ୍‌ର ଡୋରସ୍କ୍ରିନ୍‌କୁ ବେକରେ ଗୁଡ଼ାଇ ସେ ଫ୍ୟାନ୍‌ ହୁକରେ ଝୁଲି ପଡ଼ିଥିଲେ। ପ୍ରଧାନଶିକ୍ଷକ କୁମରବର ସାମଲ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ। ପୁଲିସ୍‌ ପହଞ୍ଚିବା ପରେ ମୃତଦେହ କଢାଯାଇଥିଲା। ଏନେଇ ସ୍ଥାନୀୟ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରଯାଇ ତଦନ୍ତ ଜାରି ରହିଛି।