ଝାରସୁଗୁଡ଼ା: ଚଳିତ ବର୍ଷ ଝାରସୁଗୁଡ଼ାରେ ହାରାହାରି ବୃଷ୍ଟିପାତରେ ଗୁରୁତର ଅନିୟମିତତା ସୃଷ୍ଟି କରିଥିଲା। ପ୍ରଥମ ପର୍ଯ୍ୟାୟରେ ବର୍ଷାଭାବ ଜନିତ ସମସ୍ୟାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ମଧ୍ୟ ହୋଇଥିଲା। ଆଷାଢ଼ ଓ ଶ୍ରାବଣ ମାସରେ ପ୍ରଚଣ୍ଡ ଖରା ଅନୁଭୂତ ହୋଇଥିଲା। ଫଳରେ ଯେଉଁ ସମୟରେ ଚାଷ ଜମିରେ ପାଣି ଭର୍ତ୍ତି ରହିବା କଥା ସେହି ସମୟରେ ଅନେକ ଜମି ଶୁଖିଲା ପଡ଼ିଥିଲା। ଆଣ୍ଟ ଜମି ଗୁଡ଼ିକର ମାଟି ଫାଟି ଆଁ କରିଥିବା ଦେଖା ଯାଇଥିଲା। ଜିଲ୍ଲାରେ ମାତ୍ରାଧିକ ପ୍ରଦୂଷଣ ଓ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁଁ ଜୈବ ବିବିଧତା ନଷ୍ଟ ହୋଇ ଏଭଳି ପରିସ୍ଥିତି ଉପୁଜିଥିବା ବହୁ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
ଜିଲ୍ଲାରେ ଏହି କାରଣରୁ କ୍ରମାଗତ ଭାବରେ ସ୍ବଳ୍ପ ବୃଷ୍ଟିପାତ କିମ୍ବା ଅନିୟମିତ ବୃଷ୍ଟିପାତ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରି ଆସୁଛି। ଜୁନ୍ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜିଲ୍ଲାରେ ଯେଉଁ ହାରାହାରି ବୃଷ୍ଟିପାତ ହେବା କଥା ତାହା ଆଉ ହେଉନାଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଜୁନ୍ ମାସ ପ୍ରଥମାର୍ଦ୍ଧରେ ଭଲ ବର୍ଷା ହୋଇନଥିଲା ମାତ୍ର ମାସ ଶେଷ ଆଡ଼କୁ କିଛି ବର୍ଷା ହୋଇଥିଲା। ରାଜ୍ୟ ସରକାରଙ୍କ ବୃଷ୍ଟିପାତ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ଜିଲ୍ଲାରେ ଜୁନ୍ ମାସରେ ହାରାହାରି ୨୧୮.୮ ମିମି ବର୍ଷା ସ୍ଥାନରେ ୨୧୫.୮୪ ମିମି ହୋଇଥିଲା। ଜୁଲାଇ ମାସରେ ୩୮୫.୮ ମିମି ସ୍ଥାନରେ ୨୨୭.୬୦ ମିମି, ଅଗଷ୍ଟରେ ୩୮୨.୯ ମିମି ସ୍ଥାନରେ ୧୪୫.୪୬ ମିମି, ସେପ୍ଟେମ୍ବର ୨୧୦.୭ ମିମି ସ୍ଥାନରେ ୨୦୩.୯୦ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲା ଦେଇ ମହାନଦୀରେ ପ୍ରଚୁର ପାଣି ବୋହି ଯାଇଥିଲେ ମଧ୍ୟ ଜିଲ୍ଲାରେ ଏହି ପାଣିକୁ ଗଚ୍ଛିତ କରାଯିବାର କୌଣସି ବ୍ୟବସ୍ଥା ନାହିଁ। ଏବେ ମୌସୁମୀ ବିଦାୟ ନେଇ ସାରିଛି। ଏହି ସମୟରେ ନଦୀ, ନାଳ, ବନ୍ଧ, କଟା ସବୁ ପରିପୂର୍ଣ୍ଣ ରହିବା କଥା ମାତ୍ର ଜିଲ୍ଲାର ସମସ୍ତ ଜଳାଶୟରେ ଏବେ ସ୍ବଳ୍ପ ପାଣି ରହିଛି। ଇବ୍ନଦୀ, ଭେଡ଼େନ୍ ଦନୀର ଧାର ମଧ୍ୟ କମି ଗଲାଣି। ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଯୋଗୁଁ ଜଳାଶୟ ଗୁଡ଼ିକ ଶୁଖି ଯାଉଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ କମି ଯାଇଥାଏ। ତେବେ ବର୍ଷା ଋତୁରେ ଭୂତଳ ଜଳ ରିଚାର୍ଯ୍ୟ ହେଉଥିବାରୁ ପୁଣି ଆଉ ଏକ ଗ୍ରୀଷ୍ମ ଋତୁରେ ଜଳାଭାବ ଦୂର ହୋଇ ଥାଏ। ତେବେ ଝାରସୁଗୁଡ଼ା ଜିଲ୍ଲାରେ ପାଣିକୁ ଅଟକାଇ ରଖିବା ପାଇଁ ସେପରି କିଛି ବଡ଼ ବ୍ୟବସ୍ଥା ନାହିଁ।
ଜିଲ୍ଲାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ଜିଲ୍ଲାର ବିଭିନ୍ନ ବ୍ଲକରେ କରାଯାଇଥିବା ଚେକ୍ ଡ୍ୟାମ୍ ଗୁଡ଼ିକର ଅବସ୍ଥା ଠିକ୍ ନଥିବା ଅଭିଯୋଗ ହୋଇଛି। ବହୁ ସ୍ଥାନରେ ମରାମତି ଅଭାବ ଯୋଗୁଁ ପାଣି ଗଳି ବୋହି ଯାଉଥିବା ବେଳେ କୋଭିଡ୍ କାରଣରୁ ଗତ ଦୁଇ ବର୍ଷ ହେଲା ନୂତନ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି। ଏହି ବିଭାଗରେ ବ୍ୟାପକ ଦୁର୍ନୀତି ଯୋଗୁଁ କୋଲାବିରା, ଲଇକେରା ବ୍ଲକ ଅଞ୍ଚଳରେ ବହୁ ଚେକଡ୍ୟାମ୍ ନିର୍ମାଣରେ ତୃଟି, ନିମ୍ନମାନର କାମ ଓ ତୃଟିପୂର୍ଣ୍ଣ ସ୍ଥାନରେ ନିର୍ମାଣ ଭଳି ବହୁ ଅଭିଯୋଗ ଥିବା ସତ୍ତ୍ବେ ଏହା ଉପରେ ବିଭାଗୀୟ ପଦକ୍ଷେପ ନିଆନଯାଇ ଠିକାଦାର ପୋଷା ନୀତିରେ ବିଭାଗ ଚାଲିଥିବା ଅଭିଯୋଗ ହେଉଛି। ଏହି ଚେକ୍ଡ୍ୟାମ ଗୁଡ଼ିକ ଯଦି ରକ୍ଷଣାବେକ୍ଷଣ ଓ ଠିକ୍ ଭାବରେ ନିର୍ମାଣ କରାଯାଇ ଥାନ୍ତା ତେବେ ଗ୍ରୀଷ୍ମ ଦିନରେ ଏହାର ଲାଭ ବହୁ ଚାଷୀଙ୍କୁ ମିଳନ୍ତା। ବ୍ୟାପକ ଖଣି ଖନନ ଓ ଶିଳ୍ପାୟନ ଜଙ୍ଗଲ କ୍ଷୟର କାରଣ ହୋଇଥିବା ବେଳେ କାରଖାନା ବର୍ଜ୍ୟ ସୁପରିଚାଳନାର ଅଭାବ ଯୋଗୁଁ ଏହା ନଦୀନାଳ, ଜଙ୍ଗଲକୁ ପ୍ରଦୂଷିତ କରିବାରେ ଲାଗିଥିବା ବେଳେ ଖାଲୁଆ ଅଞ୍ଚଳରେ ଏହି ବର୍ଜ୍ୟ ଜମା ହୋଇ ଆହୁରି ସମସ୍ୟା ସଅଷ୍ଟି କରିବା ସହିତ ଜୈବ ବିବିଧତା ଉପରେ ଗୁରୁତର ପ୍ରଭାବ ପାକାଉଛି। ଚଳିତ ବର୍ଷର ବୃଷ୍ଟିହୀନତା ଆଗାମୀ ୪ ମାସ ପରେ ଗ୍ରୀଷ୍ମ ଋତୁରେ ଉତ୍କଟ ଜଳଭାବ ଦେଖା ଦେବା ପ୍ରାୟ ନିଶ୍ଚିତ ବୋଲି ବହୁ ପରିବେଶବିତ ମତବ୍ୟକ୍ତ କରି ସାରିଲେଣି।