ଭୁବନେଶ୍ବର: ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ପର୍ଯ୍ୟନ୍ତ ଏହି ଗାଇଡଲାଇନ ବଳବତ୍ତର ରହିବ। ଏଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ପ୍ରଥମତଃ ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ବୋଲି ଘୋଷଣା କରାଯାଇଛି।
ଏ ନେଇ ଗତ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋଭିଡ-୧୯ ଯୋଗୁଁ ବନ୍ଦ ହୋଇଥିବା ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ପୁଣି ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍ ,ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିଵାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ତେବେ କରୋନା କଟକଣା ସହ ମାର୍ଗଦର୍ଶିକା ମାନି କଲେଜ ଖୋଲିବାକୁ ସମସ୍ତ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି |
ବର୍ତ୍ତମାନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ ବୋଲି ଘୋଷଣା ହୋଇଥିବା ବେଳେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏହା ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଗାଇଡ଼ଲାଇନରେ ସ୍ପଷ୍ଟ କରାଯାଇଛି। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ।
ସେହିପରି କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ। କଲେଜଗୁଡ଼ିକ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ନା ବନ୍ଦ ଅବଧିକୁ ଆହୁରି ବଢ଼ାଯିବ, ସେ ନେଇ ବିଭାଗ ନିଷ୍ପତ୍ତି ନେବେ। ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ। ତେବେ ଏଥିଲାଗି ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହେବ।
ତେବେ ସ୍କୁଲ-କଲେଜ ନଖୋଲିଲେ ମଧ୍ୟ ପରୀକ୍ଷା ସହ ଖାତାଦେଖା ଚାଲୁ ରହିବ। ଏ ମଧ୍ୟରେ ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ତେବେ ମେଡିକାଲ କଲେଜ ଗୁଡ଼ିକ ଖୋଲିବା ପରେ କର୍ତ୍ତୃପକ୍ଷ ସାମାଜିକ ଦୂରତ୍ବ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦେଶାବଳୀକୁ ମାନିବାକୁ କୁହାଯାଇଛି।