ପୁଅର ଶ୍ରାଦ୍ଧବାର୍ଷିକୀରେ ବଶା ପରିବାରର ମହତ୍ ସଂକଳ୍ପ: ୨ ମେଧାବୀ ଅଭାବୀ ଡାକ୍ତର ଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ
ପ୍ରତିବର୍ଷ ୫୦ ଗରିବ ଡାକ୍ତର ବିଦ୍ୟାର୍ଥୀଙ୍କୁ ପୃଷ୍ଠପୋଷକ ଯୋଗାଇ ଦିଆଯିବ
ସ୍ବପ୍ନକୁ ଏତେ ବଡ଼ କରିଦିଅ ଯେ ଏକୁଟିଆ ଅନୁଭବ ହେବ ନାହିଁ: ସୌମ୍ୟ
ଭୁବନେଶ୍ବର : ସମାଜରେ ବହୁ ମେଧାବୀ ଓ ଅତ୍ୟନ୍ତ ବିଚକ୍ଷଣ ବୁଦ୍ଧିସଂପନ୍ନ ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନଙ୍କ ପାଇଁ ଅର୍ଥ ବାଧକ ସାଜିଛି। ଅର୍ଥାଭାବରୁ ସେମାନେ ଆଗକୁ ଯାଇ ପାରୁନାହାନ୍ତି। କିନ୍ତୁ ସୌଭାଗ୍ୟବଶତଃ, ଆମ ସମାଜରେ ଏମିତି ବହୁ ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସେହି ଅଭାବୀ, ଗରିବ ମେଧାବୀ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସବୁବେଳେ ଆଗଭର। ଏ ଦୁଇ ବର୍ଗଙ୍କ ମିଳନ ହୋଇପାରିଲେ, ଆଉ ଅର୍ଥାଭାବରୁ କୌଣସି ମେଧାବୀଙ୍କ ପାଠପଢ଼ାରେ ଅଧାରୁ ଡୋରି ବନ୍ଧା ହେବନି। ଏଭଳି ଏକ ନିଆରା ପ୍ରୟାସର ବୀଜରୋପଣ କରିଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପ୍ରୀତୀଶ ଚନ୍ଦ୍ର ବଶା ଓ ତାଙ୍କ ପରିବାର। ଏକମାତ୍ର ପୁଅ ମିତ୍ ବଶାର ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ଏହି ମହତ୍ ପ୍ରୟାସର ଶୁଭାରମ୍ଭ କରିଛନ୍ତି।
ସରକାରୀ ମେଡିକାଲରେ ପାଠ ପଢ଼ୁଥିବା ପ୍ରଥମ ବର୍ଷର ଦୁଇ ଅଭାବୀ ମେଧାବୀ ଛାତ୍ରୀଙ୍କ ପୂରା ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ଛାତ୍ରୀଦ୍ବୟଙ୍କୁ ସେ ପ୍ରତି ମାସ ୫ ହଜାର ଟଙ୍କା ପ୍ରଦାନ କରିବା ସହ ପ୍ରତିବର୍ଷ କଲେଜ ଓ ହଷ୍ଟେଲ୍ ଆଡମିସନ୍ ଫି’ ବାବଦରେ ୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ପ୍ରାଥମିକ ଭାବେ ସେ ଛାତ୍ରୀଦ୍ବୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଛନ୍ତି। ତେେବ ତାଙ୍କର ଏ ମହତ୍ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ପରିବାର ସହ ବହୁ ବନ୍ଧୁ ଆଗେଇ ଆସିଛନ୍ତି। ଭୁବନେଶ୍ବରର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବଜିତ ମିଶ୍ର, ବ୍ରହ୍ମପୁର ମେଡିକାଲ କଲେଜ ଆନାଟୋମି ବିଭାଗ ଏଚଓଡି ଡା.ଜାମିସାଗର ପୃଷ୍ଟି, ଏମ୍ସ କର୍କଟ ରୋଗ ବିଶେଷଜ୍ଞ ସରୋଜ ଦାସ ମଜୁମଦାର, ଡାକ୍ତର ଶୁଭଲକ୍ଷ୍ମୀ ରାଉତରାୟଙ୍କ ସହାୟତାରେ ସେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ଶ୍ରୀ ବଶାଙ୍କ ଅନ୍ୟ ଜଣେ ଅନ୍ତରଙ୍ଗ ବନ୍ଧୁ (ନାମ ଗୋପନ ରଖିବାକୁ ଅନୁରୋଧ କରି) ମଧ୍ୟ ଅନ୍ୟ ୨ ଗରିବ ମେଧାବୀ ଡାକ୍ତର ଛାତ୍ରଙ୍କ ପାଠପଢ଼ା ବାବଦ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଶ୍ରୀ ବଶା କହିଛନ୍ତି, ଇଏ ଆରମ୍ଭମାତ୍ର। ତାଙ୍କର ଏହି ପ୍ରୟାସକୁ ସେ ଏକ ଅଭିଯାନର ରୂପ ଦେବାକୁ ଚାହୁଛନ୍ତି। ଏପରି ଆଉ ୫ଜଣ ଅଭାବୀ ଡାକ୍ତରୀ ବିଦ୍ୟାର୍ଥୀଙ୍କ ପାଇଁ ସେ ଖୁବ୍ଶୀଘ୍ର ପୃଷ୍ଠପୋଷକ ଯୋଗାଡ଼ କରିବେ। ବର୍ଷକ ମଧ୍ୟରେ ସେ ଏଭଳି ୫୦ ଗରିବ ମେଡିକାଲ ବିଦ୍ୟାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ପାଠପଢ଼ା ଖର୍ଚ ବହନ କରିପାରୁଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡ଼ାଯିବ। ସେ ଆହୁରି କହିଥିଲେ, ଯେଉଁ ବିଦ୍ୟାର୍ଥୀଙ୍କୁ ସହାୟତା କରାଯିବ, ସେମାନେ ମଧ୍ୟ ସଂକଳ୍ପ ନେବେ ଯେ ସେମାନେ ଡାକ୍ତର ହୋଇ ଆର୍ଥିକ ରୂପେ ସକ୍ଷମ ହେବା ପରେ ନିଜ ନିଜ ଉଦ୍ୟମରେ ଅନ୍ତତଃ ଜଣେ ଲେଖାଏଁ ଗରିବ ମେଧାବୀଙ୍କ ଡାକ୍ତର ହେବାର ସ୍ବପ୍ନ ପୂରଣ କରିବେ।
ଅନ୍ଲାଇନ୍ରେ ଆୟୋଜିତ ଏହି ସ୍ମୃତିସଭାରେ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ଚର୍ଚ୍ଚିତ ବିଜ୍ଞାପନର ଉଦାହରଣ ଦେଇ କହିଲେ ଯେ ସ୍ବପ୍ନକୁ ଏତେ ବଡ଼ କରି ଦିଅ ଯେ ନିଜକୁ କେବେ ବି ଏକୁଟିଆ ଅନୁଭବ ହେବ ନାହିଁ। ଶ୍ରୀ ବଶାଙ୍କ ଏହି ସଂକଳ୍ପ ଓ ଅଭିଯାନ ପାଇଁ ଏହି ଉକ୍ତିଟି ସଂପୂର୍ଣ୍ଣ ପ୍ରଯୁଜ୍ୟ। ସମସ୍ତଙ୍କ ସହଯୋଗ ରହିଲେ, ପ୍ରତିବର୍ଷ ୫୦ ଗରିବ ମେଡିକାଲ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇବାର ଲକ୍ଷ୍ୟ ହାସଲ କରିବା କିଛି ବଡ଼ କଥା ହେବ ନାହିଁ। ତାଙ୍କର ଏହି ପ୍ରୟାସ ପ୍ରତିବର୍ଷ ରାଜ୍ୟକୁ ଅନେକ ଡାକ୍ତର ଉପହାର ଦେବ। ‘ସମ୍ବାଦ ଆମ ଓଡ଼ିଶା’ର ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ ଭଳି ପ୍ରୀତୀଶଙ୍କ ଏହି ପ୍ରୟାସର ସ୍ଲୋଗାନ୍ ‘ଅର୍ଥାଭାବରୁ କେହି ଡାକ୍ତର ହେବାରୁ ବଞ୍ଚିତ ନ ହୁଅନ୍ତୁ’ ହେଉ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ଏସ୍.ଏନ ମହାନ୍ତି, ବି.ବି ମହାନ୍ତି, ଡାକ୍ତର ପ୍ରସନ୍ନ କର, ସଞ୍ଜୁ, ଅଶୋକ ବଶା, ଡାକ୍ତର ପ୍ରସନ୍ନ ପ୍ରମୁଖ ଅନ୍ଲାଇନ୍ରେ ଯୋଡ଼ି ହୋଇ ମିତ୍ଙ୍କ ସ୍ମତିଚାରଣ କରିବା ସହ ଶ୍ରୀ ବଶାଙ୍କ ଏହି ସାଧୁ ଉଦ୍ୟମର ପ୍ରଶଂସା କରିଥିଲେ। ଶ୍ରୀ ବଶାଙ୍କ ସହ ତାଙ୍କ ପତ୍ନୀ ମାଳତୀ ବଶା ଓ ମା’ ଉପସ୍ଥିତ ଥିଲେ।