କୋଟିଆରେ ଫେଲ୍‌ ମାରିଲା ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତି: ନାମାଙ୍କନ ଦାଖଲ କଲେ ୩ ଜିଲ୍ଲାପରିଷଦ ପ୍ରାର୍ଥୀ

କୋଟିଆରେ ୯ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ଦିନତମାମ ଛକାପଞ୍ଝା, ତିନି ବିଧାୟକଙ୍କ ସହ ହେଭିୱେଟ୍‌ ନେତାଙ୍କ ମୁଣ୍ଡବ୍ୟଥା
ଭୋଟ ଫିକ୍ସିଂ ହୋଇଛି, ହାଇକୋର୍ଟ ଯିବୁ: ବିଜେପି

କୋରାପୁଟ : ଫେଲ୍‌ ମାରିଲା ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି। ନିର୍ବାଚନ ବଦଳରେ ସମସ୍ତଙ୍କ ସହମତିରେ ଲୋକପ୍ରତିନିଧି ମନୋନୀତ କରିବାକୁ ଗତକାଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୋଟିଆ ମାଟିର ସୁରକ୍ଷା ଓ ଅଖଣ୍ଡତା ପାଇଁ ସମସ୍ତ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବନି ବୋଲି ସ୍ଥିର ହୋଇଥିଲା। ନିଷ୍ପତ୍ତି ଅନୁସାରେ ଜଣେମାତ୍ର ଜିଲ୍ଲାପରିଷଦ ପ୍ରାର୍ଥୀ ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବାର ଥିଲା। କିନ୍ତୁ ଆଜି ସକାଳୁ ଓଲଟା ଦେଖିବାକୁ ମିଳିଥିଲା। ପଟ୍ଟାଙ୍ଗି ଜୋନ-୧ ପାଇଁ ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ଘଟଣା ରାଜନୈତିକ ଦଳର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚନ୍ଦ୍ରମା ସାଉନ୍ତାଙ୍କ ନାତୁଣୀ ବୋହୂ ଟିକାଇ ଗେମେଲ୍‌ ନାମାଙ୍କନପତ୍ର ଦାଖଲ ପାଇଁ ଆସିଥିଲେ। ଏ ସମ୍ପର୍କରେ ଜାଣିବା ପରେ ଉପସ୍ଥିତ ଥିବା କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ୀ, ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ ଓ ବିଜେପି ନେତା ଜୟରାମ ପାଙ୍ଗି ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ। ଏହି ଜିଲ୍ଲାପରିଷଦ ଜୋନ ଆସନ ପାଇଁ ଟିକାଇ ଗେମେଲ କଂଗ୍ରେସ ଟିକେଟ ପାଇଥିବାରୁ ପୂର୍ବତନ ବିଧାୟକ ରାମ ଚନ୍ଦ୍ର କାଡାମ, କଂଗ୍ରେସ ନେତା ରୁପକ ତୁରୁକ ଓ କୃଷ୍ଣ କୁଲଦୀପ ନାମାନଙ୍କପତ୍ର ଦାଖଲ କରାଇବା ପାଇଁ ନେଉଥିଲେ। ଏହା‌ ଜାଣିବା ପରେ ସର୍ବଦଳୀୟ ନେତା ଏହାକୁ ତୀବ୍ର ବିରୋଧ କରିଥିଲେ।

ଖବର ପାଇ ଡିସିସି ସଭାପତି ମୀନାକ୍ଷୀ ବାହିନୀପତି ପହଞ୍ଚିଥିଲେ। ମମତାଙ୍କ ନାମ ପୂର୍ବରୁ ଶୁଣାଯାଇ ନ ଥିବାବେଳେ ସେ କିଭଳି ସର୍ବଦଳୀୟ ପ୍ରାର୍ଥୀ ହେଲେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଡିସିସି ସଭାପତି ଶ୍ରୀମତୀ ବାହିନୀପତିଙ୍କ ଆଲୋଚନା ପରେ ଟିକାଇଙ୍କ ଠାରୁ ଦଳୀୟ ଟିକେଟ ଫେରାଇ ନିଆଯାଇଥିଲା। ଏହାପରେ ଟିକାଇ ଓ ସବାନା ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କ ପରିବାରଲୋକ ଏହାକୁ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ସର୍ବଦଳୀୟ ସମର୍ଥନରେ ମମତା ଜାନୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି କୋଟିଆ ପଞ୍ଚାୟତର ସରପଞ୍ଚ ପଦବି ପାଇଁ ୯ଜଣ, ୧୪ ଜଣ ୱାର୍ଡସଭ୍ୟ ଓ ସମିତି ସଭ୍ୟ ପଦବି ପାଇଁ ଜଣେମାତ୍ର ପ୍ରାର୍ଥୀ ଭାବେ ଜୟରାମ ପାଙ୍ଗିଙ୍କ ଝିଅ ଅମ୍ବିକା ମାଝୀ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ଅପରପକ୍ଷେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଭିନ୍ନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ଗୌତମ ସାମନ୍ତରାୟ। ଗତକାଲି ହୋଇଥିବା ବୈଠକ ସର୍ବଦଳୀୟ ନୁହେଁ କିଛି ଦଳର ବୋଲି ଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ବିଜେଡି ଓ କଂଗ୍ରେସ ସଲାସୁତରା ହୋଇ ବିଜେପି ଟିକେଟ ପାଇଥିବା ରାଧିକା ଭୋଇଙ୍କଠାରୁ ପ୍ରାର୍ଥିପତ୍ର ଛଡ଼ାଇ ନେଇଛନ୍ତି। ଏନେଇ ଶ୍ରୀ ସାମନ୍ତରାୟ ଟାଉନ୍‌ ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର