ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ; ସତ୍ୟପାଠ ମାଧ୍ୟମରେ ମତ ରଖିବେ ଢିଙ୍କିଆବାସୀ

ସତ୍ୟପାଠ ସହିତ ମାର୍ଚ୍ଚ ୫ ବୈଠକର ଭିଡିଓ ଦାଖଲ କଲେ ଜିଲ୍ଲାପାଳ

କଟକ: ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ମାର୍ଚ୍ଚ ୫ ତାରିଖ ଦିନ ଅନୁଷ୍ଠିତ ବୈଠକରେ ଯେଉଁ ଗ୍ରାମବାସୀମାନେ ଆଇନଜୀବୀ କମିଟି ସମ୍ମୁଖରେ ମତ ରଖି ପାରି ନଥିଲେ ସେମାନେ ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରି ପାରିବେ। ଜାନୁଆରି ୧୪ରେ ଢିଙ୍କିଆରେ ହୋଇଥିବା ଘଟଣା ସହିତ ପ୍ରକଳ୍ପ ସପକ୍ଷ ବା ବିପକ୍ଷ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ବୈଠକରେ ମତ ରଖି ପାରି ନଥିବା ସ୍ଥାନୀୟ ବାସିନ୍ଦା ନିଜ ମତ ଦେଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଢିଙ୍କିଆ ସଂପର୍କିତ ତିନୋଟି ଜନସ୍ବାର୍ଥ ମାମଲାର ଏକତ୍ର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦାଖଲ କରାଯିବାକୁ ଥିବା ସତ୍ୟପାଠ ଗୁଡିକୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଏହାପରେ ଜିଲ୍ଲାପାଳ ଏହି ସବୁ ସତ୍ୟପାଠ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ନିକଟକୁ ପଠାଇବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ସବୁ ସତ୍ୟପାଠ ହାଇକୋର୍ଟ ରେକର୍ଡର ମଧ୍ୟ ଅଂଶ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆଉ ଥରେ ଆଇନଜୀବୀ କମିଟି ବୈଠକ ପାଇଁ ନିର୍ଦ୍ଦେଶ ନ ଦେଇ ଯେଉଁମାନେ ମତ ରଖିବାକୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ସତ୍ୟପାଠ ମାଧ୍ୟମରେ ନିଜ ମତ ରଖିବାକୁ ସୁଯୋଗ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଫେବ୍ରୁଆରି ୨୩ର ନିର୍ଦ୍ଦେଶ ଅନୁସାରେ ମାର୍ଚ୍ଚ ୫ରେ ଅନୁଷ୍ଠିତ ବୈଠକ ସଂପର୍କିତ ରିପୋର୍ଟ ଜଗତସିଂହପୁର ଜିଲ୍ଲାପାଳ ଦାଖଲ କରିଥିଲେ। ଏଥି ସହିତ ମାର୍ଚ୍ଚ ୫ ବୈଠକର ଭିଡିଓ ରେକର୍ଡିଂ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ କରାଯାଇଥିଲା।

ଭର୍ଚୁଆଲ ବ୍ୟବସ୍ଥାରେ ଜିଲ୍ଲାପାଳ ମଧ୍ୟ ଶୁଣାଣି ସମୟରେ ଉପସ୍ଥିତ ଥିଲେ। ବୈଠକରେ ଆଇନଜୀବୀ କମିଟି ନିକଟରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ୬୯ଜଣ ନିଜ ନିଜ ମତ ରଖିଥିଲେ। ଏଥିରୁ ୧୬ଜଣ ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ ମତ ଦେଇଥିଲେ। ପୁଲିସ ନିର୍ୟାତନା ନେଇ କେତେକ ଅଭିଯୋଗ ରହିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ମାମଲାର ପରିଚଳାନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ ଯେ ଢିଙ୍କିଆରେ ମାର୍ଚ୍ଚ ୫ରେ ଆଇନଜୀବୀ କମିଟି ବୈଠକ ସମୟରେ ବହୁ ଗ୍ରାମବାସୀଙ୍କୁ ନିଜ ମତ ରଖିବାକୁ ଦିଆଯାଇ ନଥିଲା। କେତେକ ଗ୍ରାମବାସୀ ଗିରଫଦାରୀ ଭୟରେ ଢିଙ୍କିଆ ଅଞ୍ଚଳ ଛାଡି ବାହାରେ ରହୁଛନ୍ତି। ସେମାନେ ବୈଠକସ୍ଥଳକୁ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଆସି ପାରି ନଥିବା ବେଳେ ଆଉ କେତେକଙ୍କୁ ବୈଠକ ହେଉଥିବା ସ୍ଥାନ ବାହାରେ ଅଟକା ଯାଇଥିଲା। ଢିଙ୍କିଆର ଝିଅ ଓ ବୋହୂମାନେ ପଞ୍ଚାୟତ ବାସିନ୍ଦା ନୁହେଁ ବୋଲି ଦର୍ଶାଯାଇ ସେମାନଙ୍କୁ ଆଇନଜୀବୀ କମିଟି ସମ୍ମୁଖରେ ମତ ରଖିବାକୁ ଦିଆଯାଇ ନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ଢିଙ୍କିଆର ୧୨ଜଣ ବାସିନ୍ଦାଙ୍କ ତରଫରୁ ପକ୍ଷଭୁକ୍ତ ଆବେଦନ ସହିତ ସତ୍ୟପାଠ ଦାଖଲ କରାଯାଇ ସେମାନଙ୍କୁ ମାର୍ଚ୍ଚ ୫ ବୈଠକରେ ମତ ରଖିବାକୁ ଦିଆଯାଇ ନଥିଲା ବୋଲି ଦର୍ଶାଯାଇଥିଲା।

ସେହିଭଳି ଭାବେ ସମାନ ଅଭିଯୋଗ କରି ଆଉ ଚାରିଟି ସତ୍ୟପାଠ ମଧ୍ୟ ଦାଖଲ କରାଯାଇଥିଲା ଯେଉଁଥିରେ ଢିଙ୍କିଆର ଝିଅ-ବୋହୂଙ୍କୁ ବୈଠକରେ ମତ ରଖିବାରୁ ବଞ୍ଚିତ କରାଯାଇଥିବା ନେଇ ତଥ୍ୟ ରହିଥିଲା। ଆଉ ଏକ ମାମଲାରେ ଦର୍ଶାଯାଇଥିଲା ଯେ ଏଭଳି ୩୦ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ପୁଲିସ ଗିରଫଦାରୀ ଭୟରେ ଢିଙ୍କିଆ ବାହାରେ ରହିବାକୁ ବାଧ୍ୟ ହୋଉଛନ୍ତି ଓ ବୈଠକରେ ମତ ରଖି ପାରି ନାହାନ୍ତି। ପୂର୍ବରୁ ଏଭଳି ବାହାରେ ରହିବାକୁ ବାଧ୍ୟ ହୋଇଥିବା ୮୫ଜଣଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରାଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଜଗତସିଂହପୁର ଏସପି ଦର୍ଶାଇଥିଲେ ଯେ ପୂର୍ବରୁ ପ୍ରଦାନ କରାଯାଥିବା ତାଲିକାର ୮୫ଜଣଙ୍କ ମଧ୍ୟରୁ ଏବେ ୮୧ଜଣ ଢିଙ୍କିଆରେ ଅଛନ୍ତି। ଆଉ ଯେଉଁମାନେ ବାହାରେ ଅଛନ୍ତି ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରୁ କେତେକଙ୍କ ବିରୋଧରେ ପୁରୁଣା ଅପରାଧିକ ମାମଲା ରହିଛି। ହାଇକୋର୍ଟ ଏହି ପ୍ରସଂଗରେ ଜଗତସିଂହପୁର ଏସପିଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

ଯେଉଁ ୩୦ଜଣ ବ୍ୟକ୍ତି ଗିରଫଦାରୀ ଭୟରେ ଢିଙ୍କିଆ ବାହାରେ ରହିବାକୁ ବାଧ୍ୟ ହେଇଛନ୍ତି ବୋଲି କୁହାଯାଉଛି ସେମାନଙ୍କ ତାଲିକା ଏଜିଏଙ୍କୁ ମାର୍ଚ୍ଚ ୧୬ ସୁଦ୍ଧା ପ୍ରଦାନ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ତାଲିକାରେ ଥିବା ୩୦ଜଣଙ୍କ ବିରୋଧରେ କଣ ସବୁ ପୁରୁଣା ମାମଲା ରହିଛି ସେ ନେଇ ତଥ୍ୟ ଦାଖଲ ପାଇଁ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୧୪ ଘଟଣା ପରେ କେତେ ଜଣଙ୍କୁ କେଉଁ ଦଫାରେ ରୁଜୁ ମାମଲାରେ ଗିରଫ କରାଯାଇଛି ଓ ଗିରଫଦାରୀ ପ୍ରସଂଗରେ ସାନି ସ୍ଥିତି କଣ ରହିଛି ସେ ନେଇ ସତ୍ୟପାଠ ମାଧ୍ୟମରେ ବିସ୍ତୃତ ଭାବେ ତଥ୍ୟ ଦାଖଲ ପାଇଁ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୭କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର