ଦ୍ବାଦଶ ପରୀକ୍ଷା ନିଷ୍ପତ୍ତି ଜୁନ୍ ପହିଲାରେ

ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ବିକଳ୍ପ ପ୍ରସ୍ତାବ
୨୫ ସୁଦ୍ଧା ମତ ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ

ଭୁବନେଶ୍ବର : କୋଭିଡ ମହାମାରୀ ସ୍ଥିତିରେ ଯୁକ୍ତ-୨ କିମ୍ବା ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା କିପରି କରାଯିବ। ଏ ନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଶିକ୍ଷା ମନ୍ତ୍ରୀମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ପାଇଁ କେନ୍ଦ୍ରର ଦୁଇଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଗୋଟିଏ ହେଉଛି ସ୍ବାଭାବିକ ପରୀକ୍ଷା ଏବଂ ଅନ୍ୟଟି ହେଉଛି ସଂକ୍ଷିପ୍ତ ପ୍ରଶ୍ନ ବ୍ୟବସ୍ଥାରେ ପରୀକ୍ଷା। କେନ୍ଦ୍ର ସରକାରଙ୍କ ଏହି ଦୁଇଟି ପ୍ରସ୍ତାବ ଉପରେ ଭଲଭାବେ ବିଚାର କରି ମତ ରଖିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବୈଠକରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରାଥମିକତା ଦେଇଛନ୍ତି। ମହାରାଷ୍ଟ୍ର ଓ ଦିଲ୍ଲୀ ପ୍ରସ୍ତାବିତ ପରୀକ୍ଷାକୁ ବିରୋଧ କରିଥିବା ବେଳେ ଅନ୍ୟମାନେ ପରୀକ୍ଷା ସପକ୍ଷରେ ମତ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍ବାଭାବିକ ପରିସ୍ଥିତି ଆସିଲେ ସାଧାରଣ ଭାବେ ଯେପରି ପରୀକ୍ଷା ହୁଏ, ସେଭଳି ପରୀକ୍ଷା ଅନୁଷ୍ଠିତ ହେବାକୁ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସଂକ୍ଷିପ୍ତ ଭାବେ ପରୀକ୍ଷା କରିବାକୁ ମଧ୍ୟ ବିକଳ୍ପ ପ୍ରସ୍ତାବ ରହିଛି। ଏବେ ଓଡ଼ିଶାକୁ ‘ୟାସ୍‌’ ବାତ୍ୟା ବିପଦ ରହିଛି। ଏହି ପରିସ୍ଥିତି ଟଳିଲା ପରେ ଯାଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ତର୍ଜମା କରି ଓଡ଼ିଶା ତାର ମତାମତ ଜଣାଇବ।

ରବିବାରର ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ଗୋଆ ମୁଖ୍ୟମନ୍ତ୍ରୀ, ଉତ୍ତପ୍ରଦେଶ ଓ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ, ଅନ୍ୟ ରାଜ୍ୟର ଶିକ୍ଷାମନ୍ତ୍ରୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଶିକ୍ଷା ପରିଷଦ ଅଧ୍ୟକ୍ଷମାନେ ସାମିଲ ହୋଇଥିଲେ। ଏହାସହିତ ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନି, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜା​​ବଡ଼େକର, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ, କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖାରେ, ବିଦ୍ୟାଳୟ ଶିକ୍ଷା ସଚିବ ଅନିତା କାରଓ୍ବାଲ ଓ ବରିଷ୍ଠ ପଦାଧିକାରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୧୪ ତାରିଖରେ କୋଭିଡ ପରିସ୍ଥିତିକୁ ଦେଖି ସାରା ଦେଶରେ ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବାକୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର