ଭୁବନେଶ୍ବର: ଅଗଷ୍ଟ ୭ ଭିତରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ଅପାରଗ ବାବୁଙ୍କ ତାଲିକା ଦେବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ବିଭାଗ ତାଲିକା ଦେଲେନି। ଯେତିକି ବିଭାଗ ତାଲିକା ଦେଲେ ସେଥିରେ ଅପାରଗ ବାବୁ ନାହାନ୍ତି ବୋଲି ଲେଖିଛନ୍ତି। ବାସ୍ତବରେ କୌଣସି ବିଭାଗୀୟ ମୁଖ୍ୟ ଏବେ ନିଜ ହାତରେ କାହାକୁ ଅପାରଗ ଲେଖି ଚାକିରି ନେବାକୁ ଚାହୁଁନାହାନ୍ତି। ବିଭାଗଗୁଡ଼ିକ ଅପାରଗ ବାବୁଙ୍କ ତାଲିକା ନଦେବାରୁ ଆଜି ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ସଚିବମାନଙ୍କୁ କହିଛନ୍ତି ଯେ ଆପଣମାନେ ଯାହାକୁ ଅପାରଗ ବୋଲି ଭାବୁଛନ୍ତି, ଯିଏ କାମ ନକରି ଠକୁଛନ୍ତି ତାଙ୍କୁ କାମ ଦିଅନ୍ତୁ। ଧାର୍ଯ୍ୟ ସମୟ ଭିତରେ କାମ ଆଦାୟ କରନ୍ତୁ। ଯିଏ ଠିକ୍ ଭାବେ କାର୍ଯ୍ୟ ସମ୍ପାଦନା କରୁନଥିବେ, ସେମାନଙ୍କର ପ୍ରତି ମାସରେ ଥରେ କାର୍ଯ୍ୟ ସମୀକ୍ଷା କରି ରିପୋର୍ଟ ଦିଅନ୍ତୁ। ସେମାନଙ୍କୁ ଅବସର ପୂର୍ବରୁ ଚାକିରିରୁ ଅବସର ଦେବାକୁ ପଦକ୍ଷେପ ନିଆଯିବ। ଏଥିପାଇଁ ଏବେଠୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯିବ।
ସେହିପରି ଲୋକସେବା ଭବନ, ଖାରବେଳ ଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କେତେକ କର୍ମଚାରୀ ବାୟୋମେଟ୍ରିକ ଉପସ୍ଥାପନ ଦେଉଥିଲେ ହେଁ ଅଫିସରେ ଉପସ୍ଥିତ ରହୁନାହାନ୍ତି। କାମ ନକରି ବାହାରେ ବୁଲୁଛନ୍ତି। ଏହିଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ଲୋକସେବା ଭବନ ଓ ଖାରବେଳ ଭବନର ସମସ୍ତ କରିଡର ଏବଂ ପ୍ରମୁଖ ଅଞ୍ଚଳରେ ଏଆଇ କ୍ୟାମେରା ଲାଗିବ। ଯାହା କର୍ମଚାରୀଙ୍କର ଟିକିନିଖି ଖବର ରଖିବ। ଏହି ଦୁଇ କାର୍ଯ୍ୟାଳୟରେକୁ ଜିଓ ଫେନ୍ସିଂ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ କୁହାଯାଇଛି। ଏହାପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏଆଇ ଭିତ୍ତିକ ଉପସ୍ଥାପନ ଯାଞ୍ଚ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ବିଭାଗ ପାଇଁ ଆସିଥିବା ୩୯ଟି ପଏଣ୍ଟ୍ ଉପରେ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ କହିଥିଲେ।
ଏହି ବୈଠକରେ କର୍ମଚାରୀଙ୍କ କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ନ ରହିବା, ଅଭିଯୋଗ ଶୁଣାଣିରେ ପ୍ରଭାବହୀନ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାରେ ଦୁର୍ବଳ ହାର, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା ନ କରାଯିବା, ଆଦି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରାଯାଇଥିଲା। ଏ ନେଇ ସର୍ବଦା ସତର୍କ ଓ ସଚେତନ ହୋଇ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି ସରକାରୀ କ୍ରୟ ପ୍ରକ୍ରିୟା, ସେବା ଓ ଦ୍ରବ୍ୟ ବିକ୍ରୟ, ମାନବ ସମ୍ବଳ ପରିଚାଳନା, ଲୋକମାନଙ୍କୁ ସେବା ପ୍ରଦାନ ଏବଂ ପ୍ରବର୍ତ୍ତନ(ଚଢ଼ଉ)ରେ ଅନିୟମିତତା ଆଦି ଦୁର୍ନୀତିର ସମ୍ଭାବ୍ୟ କ୍ଷେତ୍ର ହୋଇଥିବାବେଳେ ଏହାକୁ ରୋକିବାକୁ ଭିଜିଲାନ୍ସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ବୈଠକରେ କୁହାଯାଇଛି।
ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି
କାମ ଦିଆଯିବ, ପ୍ରତି ମାସରେ ସମୀକ୍ଷା ହେବ
ଅଫିସରେ ଉପସ୍ଥାନ ଠକୁଥିବା କର୍ମଚାରୀଙ୍କ ଉପରେ ରହିବ ନଜର
ଅକ୍ଟୋବର ୧ରୁ ମୁଖ୍ୟମନ୍ତ୍ରୀ ଡ୍ୟାସ୍ବୋର୍ଡ କାର୍ଯ୍ୟକାରୀ ହେବ
ଅକ୍ଟୋବର ୧ରୁ ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ କାର୍ଯ୍ୟକ୍ଷମ ହେବ। ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗ ଆବଶ୍ୟକୀୟ ତଥ୍ୟ ଦେବାକୁ କୁହାଯାଇଛି। ଏହି ଡ୍ୟାସ୍ବୋର୍ଡରେ ମୁଖ୍ୟତଃ ବିଭିନ୍ନ ଯୋଜନାର ସବିଶେଷ ତଥ୍ୟ, ପିଏମ୍ଜି ଓ ପ୍ରଗତିରେ ଅନ୍ତର୍ଭୁକ୍ତ ପ୍ରକଳ୍ପ, ବିକଶିତ ଓଡ଼ିଶା ପାଇଁ ହୋଇଥିବା ଯୋଜନା, ଶିଳ୍ପ ପ୍ରକଳ୍ପଗୁଡ଼ିକର ସବିଶେଷ ବିବରଣୀ ରହିବ। କେଉଁ ପ୍ରକଳ୍ପ କେତେ ଆଗେଇଲା, କ’ଣ ସମସ୍ୟା ରହିଲା ସେନେଇ ମୁଖ୍ୟମନ୍ତ୍ରୀ ଯେଉଁ ମୁହୂର୍ତ୍ତରେ ଚାହିଁବେ ସେହି ମୁହୂର୍ତ୍ତରେ ତଥ୍ୟ ପାଇବେ। ଏହି ଡ୍ୟାସ୍ବୋର୍ଡ ପୂରା ଅପ୍ ଟୁ ଡେଟ୍ ରହିବ। ଏଥିପାଇଁ ସମସ୍ତ ବିଭାଗ କ’ଣ କାର୍ଯ୍ୟ କରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଣିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ମଞ୍ଜୁରି ପାଇଁ ଆବଶ୍ୟକ ଭୂ-ଅଧିଗ୍ରହଣ, ପିଏମ୍ଜି ଓ ପ୍ରଗତିରେ ଅନ୍ତର୍ଭୁକ୍ତ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳମାନେ ପ୍ରତି ମାସ ୭ତାରିଖରେ ସମୀକ୍ଷା କରିବେ। ଯେଉଁ ପ୍ରକଳ୍ପ ହେଉଥିବ ସେହି ବିଭାଗର ମୁଖ୍ୟ, ବିଶେଷକରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟମାନେ ପ୍ରତି ମାସର ୧୨ ତାରିଖ ସୁଦ୍ଧା ସମୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ମାସର ଶେଷ ଶନିବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।
ଏହାସହ ବୈଠକରେ କୁହାଯାଇଛି, ଅଧିକାରୀମାନେ ଜିଲ୍ଲା ପରିଦର୍ଶନ ସମୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ପରିଦର୍ଶନରେ ଯିବେ, ସେଠାରେ ଆଇସିସି ଗଠନ ହୋଇଛି କି ନାହିଁ ତାହା ଦେଖିବେ।
ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ ବିଭିନ୍ନ ପରାମର୍ଶ ଦେବା ସହ କହିଛନ୍ତି ଯେ ଆସନ୍ତା ୨୧ତାରିଖରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ‘ବିକଶିତ ଓଡ଼ିଶା- ଭିଜନ- ୨୦୩୬ ଓ ୨୦୪୭’ ପ୍ରମୁଖ ପ୍ରଦର୍ଶନ ସୂଚକ(କେପିଆଇ) ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହେବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଦେଓରଂଜନ କୁମାର ସିଂହ, ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବମାନେ ଉପସ୍ଥିତ ଥିଲେ।