ଭୁବନେଶ୍ବର: ବହୁ ବର୍ଷ ପରେ ଗଠନ ହୋଇଥିବା ବିଜେଡି ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ୍ ୪ଟି ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ କିପରି ଦଳ ଆଗାମୀ ଦିନରେ ବିଭିନ୍ନ ରାଜନୈତିିକ ଆହ୍ବାନର ସମ୍ମୁଖୀନ ହେବ, ଏହାର ମୁକାବିଲା ପାଇଁ ଦଳର ବିଭିନ୍ନ ଶାଖା ଓ ତୃଣମୂଳ ସଂଗଠନକୁ ଏବେଠୁ ମଜଭୁତ କରିବାକୁ ହେବ, ସେନେଇ ରାଜନୈତିକ ବ୍ୟାପାର କମିଟି କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଗୃହୀତ ହୋଇଥିବା ୪ଟି ପ୍ରସ୍ତାବ ହେଲା ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡ଼ିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାରଜନିତ। ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ସେନାର ବୀରତ୍ବକୁ ପ୍ରଶଂସା କରାଯାଇଥିଲା। ଭାରତୀୟ ସେନାର ପ୍ରତିଟି ପଦକ୍ଷେପକୁ ବିଜେଡିର ସମର୍ଥନ ରହିବ ବୋଲି କୁହାଯାଇଥିଲା।

Advertisment

ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟର ବିକାଶ କ୍ଷେତ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥାଣୁତା ଦୂର କରି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ  ଦିଗରେ  ସରକାର  ଯେପରି ଯତ୍ନବାନ  ହେବେ ସେନେଇ ବିଜେଡି ବିରୋଧୀ ଦଳ ଭାବେ ଯେଉଁଭଳି ପଦକ୍ଷେପ ନେବା କଥା ନେବ ବୋଲି ନିଷ୍ପତ୍ତି ହୋଇଛି। ଦଳର ସାଙ୍ଗଠନିକ ନିର୍ବାଚନ କେତେକାଂଶରେ ଶେଷ ହୋଇଥିବାବେଳେ ଆଗାମୀ ଦିନରେ ବାକି ପଦପଦବି ପୂରଣ ନେଇ ଦଳର ସଭାପତି ଯେଉଁ ପଦକ୍ଷେପ ନେବେ ତାହାକୁ ସମସ୍ତେ ସମର୍ଥନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। 

ସେହିପରି ୨୦୧୫ରୁ ୨୦୨୪ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ପ୍ରକାଶିତ ଆଇସିଆର୍‌ଏ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ଗତ ୧୦ବର୍ଷରେ ବି‌େଜଡି ସରକାର ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରୁଥିବାବେଳେ ଏବେକାର ବିଜେପି ସରକାରରେ ରାଜ୍ୟର ଆର୍ଥିକ ଓ ଶିଳ୍ପ ବିକାଶ ନିମ୍ନମୁଖୀ ହୋଇଛି। ରାଜନୈତିକ ଫାଇଦା ପାଇଁ ବିଜେପି ସରକାର ଟିକସଦାତାଙ୍କ ଅର୍ଥରେ ରଙ୍ଗ ପରିବର୍ତ୍ତନ କରୁଥିବାବେଳେ କେବଳ ପୁରୁଣା ସରକାରଙ୍କ ଯୋଜନାର ନାମ ବଦଳାଉଛି। ଏହାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଯିବ, ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତାକୁ ସାମ୍ନାକୁ ଅଣାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।