ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ

ଉଚ୍ଛେଦ ବିଜ୍ଞପ୍ତି ବିରୋଧରେ ଦାୟର ୬ ମାମଲା ଖାରଜ

କଟକ : ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଉଚ୍ଛେଦ ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ହାଇକୋର୍ଟରେ କ‌ାଏମ ରହିଛି। ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯, ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାର୍ଚ୍ଚ ୩ରେ ହାଇକୋର୍ଟ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ସ୍ୟାଟ୍ ଉଚ୍ଛେଦ ସଂପର୍କିତ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ହାଇକୋର୍ଟ କହିବା ସହିତ ସମସ୍ତ ୬ଟି ରିଟ୍ ପିଟିସନକୁ ଖାରଜ କରିଛନ୍ତି। ଏଥି ସହିତ ସ୍ୟାଟରେ ବିଚାରାଧୀନ ମାମଲା ଅନ୍ୟ ଅଦାଲତକୁ ସ୍ଥାନାନ୍ତର ପ୍ରସଂଗରେ ଅଙ୍କୁଶ ଜାରି କରି ୨୦୧୯, ଅଗଷ୍ଟ ୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ଓଏଟି ବାର୍ ଆସୋସିଏସନ୍, ଭୁବନେଶ୍ବର ଓଏଟି ବାର୍ ଆସୋସିଏସନ୍, ଓଡ଼ିଶା ଅବସରପ୍ରାପ୍ତ ପୁଲିସ ଅଧିକାରୀ

କଲ୍ୟାଣ ସଂଘ ଓ ଅନ୍ୟ ତିନିଜଣଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଯେହେତୁ ସ୍ୟାଟ୍‌ରେ ବିଚାରାଧୀନ ମାମଲା ଆପେ ଆପେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇ ଆସିବ ତେଣୁ ଅଗଷ୍ଟ ୭ର ଅନ୍ତରୀଣ ନିର୍ଦ୍ଦେଶ ଜାରି ରହିବା ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଏହାକୁ ଉଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଉଚ୍ଛେଦ ସମୟରେ ସ୍ୟାଟ୍‌ରେ ବିଚାରାଧୀନ ଥିବା ପ୍ରାୟ ୭୦ ହଜାର ମାମଲାର ଭବିଷ୍ୟତକୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି।

ରଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏଜିଏ ଏମ୍.ଏସ.ସାହୁ, କେନ୍ଦ୍ର ସରକାରଙ୍କ ତରଫରୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ ଓ ଇଣ୍ଟରଭେନରଙ୍କ ତରଫରୁ ଆଇନଜୀବୀ ରବି ଆୟର ମାମଲା ପରିଚଳାନା କରୁଥିଲେ।

ସମ୍ବନ୍ଧିତ ଖବର