୨୨ରୁ ରକ୍ତଭଣ୍ଡାର କର୍ମଚାରୀଙ୍କ ରକ୍ତଦାନ ଶିବିର ବର୍ଜନ ନିଷ୍ପତ୍ତି

ଭୁବନେଶ୍ବର : ୩ ଦଫା ଦାବି ନେଇ ଆସନ୍ତା ୨୨ତାରିଖରୁ ସମସ୍ତ ରକ୍ତଦାନ ଶିବିର(ଇନଡୋର, ଆଉଟଡୋର) ବର୍ଜନ ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ। ସଂଘର ରହିଥିବା ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗକୁ କର୍ମଚାରୀମାନେ ଆମରଣ ଅନଶନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ସଭାପତି ମଳୟ କୁମାର ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ରକ୍ତଭଣ୍ଡାର କର୍ମଚାରୀମାନଙ୍କ ରହିଥିବା ବିଭିନ୍ନ ଦାବିକୁ ପୂରଣ କରିବା ଲାଗି ୨୦୧୫ ମସିହାରୁ ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି। ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ଓ ପେନସନ ତଥା ଅନ୍ୟ ସରକାରୀ କର୍ମଚାରୀ ପାଉଥିବା ଅନ୍ୟାନ୍ୟ ସୁବିଧା ଭଳି ଦାବି ରହିଛି। ୨୦୧୭ ମସିହାରେ ରାଜ୍ୟ ସରକାର ସମସ୍ତ ରକ୍ତଭଣ୍ଡାରକୁ ନିଜ ଅଧୀନକୁ ନେବା ପରେ ଦାବି ପୂରଣ ନେଇ କର୍ମଚାରୀମାନଙ୍କ ମନରେ ଏକ ଆଶା ସଞ୍ଚୟ ହୋଇଥିଲା। ହେଲେ ଏହା ଭିତରେ ୫ବର୍ଷ ବିତି ଗଲାଣି ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ସଂଘ ଅଧୀନରେ ଥିବା ୧୪୦ଜଣ କର୍ମଚାରୀ ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ସଂଘ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିଥିଲା। କର୍ମଚାରୀମାନଙ୍କ ରହିଥିବା ସମସ୍ୟାର ସମାଧାନ ହେବ ବୋଲି ଅନୁମାନ କରାଯାଉଥିଲା। ସରକାରଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଗଲେ ମଧ୍ୟ କୌଣସି ପ‌ଦକ୍ଷେପ ନିଆ ନ ଯିବାରୁ ଅଗଷ୍ଟମାସ ୧୨ତାରିଖରୁ ରକ୍ତଭଣ୍ଡାର କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଆରମ୍ଭ କରିଛନ୍ତି।

ଏହା ଭିତରେ ୧ମାସ ପୂରିଛି। ମାତ୍ର ସରକାର କୌଣସି ପଦକ୍ଷେପ ନ ନେବା କାରଣରୁ ଚଳିତମାସ ୨୨ରୁ ସମସ୍ତ ପ୍ରକାର ରକ୍ତଦାନ ଶିବିର ବର୍ଜନ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କୌଣସି ରୋଗୀ ସେବା ବ୍ୟାହତ ହେଲେ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର