କୋଭିଡ଼ କଟକଣା ଉଠିବା ପରେ କଳାହାଣ୍ଡି ଉତ୍ସବ ଆୟୋଜନର ନିଷ୍ପତ୍ତି : ଜିଲ୍ଲାପାଳ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଡ଼ା ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଭିଡ଼ିଓ କନଫରେସିଂରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗତ କଳାହାଣ୍ଡି ଉତ୍ସବର ଆୟବ୍ୟୟ ବିବରଣୀ ଉପସ୍ଥାପନ ହୋଇ ଅନୁମୋଦନ କରାଯାଇଥିଲା । ଏଥି ସହ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ୨୦୨୧ ମସିହାରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରକୁ ଚୂଡ଼ାନ୍ତ କରାଯାଇଥିଲା ।

ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଉତ୍ସବ ଆୟୋଜନ ଉପରେ ସରକାରୀ କଟକଣା ରହିଛି । ଏଣୁ ଜାନୁଆରୀ ୧୪ ତାରିଖରେ ଧାର୍ଯ୍ୟ ଦିନରେ ୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ଆୟୋଜନ ହୋଇପାରିବ ନାହିଁ । କରୋନା ପରିସ୍ଥିତି ସାମାନ୍ୟ ହେଲେ ଏବଂ କୋଭିଡ଼ କଟକଣା ହଟିବା ପରେ କଳାହାଣ୍ଡି ଉତ୍ସବର ଋଜତ ଜୟନ୍ତୀ ଘୁମୁରା-୨୦୨୧ ଆୟୋଜନ ସଂପର୍କରେ ନିଷ୍ପତ୍ତି ନିଆଯିବ ଓ ତାରିଖ ଧାର୍ଯ୍ୟ କରିବାକୁ ଜିଲ୍ଲା ସଂସ୍କୃତି ପରିଷଦର କାର୍ଯ୍ୟକାରୀ ବୈଠକରେ ସ୍ଥିର କରାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭର୍ଚ୍ଚୁଆଲ ମୋଡ଼ରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟମାନେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.