ମଦବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ୍ ଫି ଛାଡ଼ ନିଷ୍ପତ୍ତି, ସରକାରଙ୍କ ଏତେ ଦରଦ କାହିଁକି: ପିସିସି ସଭାପତି
ଭୁବନେଶ୍ବର : ମହାପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀଙ୍କୁ ରକ୍ଷା କରନ୍ତୁ। ମଦ ବ୍ୟବସାୟୀଙ୍କ ଲାଇସେନ୍ସ୍ ଫି ଛାଡ଼ ନେଇ ଗତକାଲି ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ପ୍ରେସ୍ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ସରକାର ୨୦୨୦ ଜୁନ୍ ମାସରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ୍ ଫି ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଲେ। କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟର ମଦ ବ୍ୟବସାୟୀଙ୍କ ଦ୍ବାରା ପରିଚାଳିତ କି? କୌଣସି କ୍ୟାବିନେଟ୍ ମନ୍ତ୍ରୀ ସରକାରଙ୍କୁ ଏପରି ନ କରିବାକୁ ପରାମର୍ଶ ଦେଲେ ନାହିଁ କିପରି ତାହା ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି। ବହୁ ଅନ୍ୟ ବ୍ୟବସାୟୀମାନେ ସେମାନଙ୍କର ସ୍ବଳ୍ପ ଆୟକାରୀ ବ୍ୟବସାୟ କରୁଛନ୍ତି। କରୋନା ମହାମାରୀ ଯୋଗୁ ଜାରି ଲକ୍ଡାଉନ୍ କଟକଣା ସ୍ଥିତିରେ ସେମାନଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଛି। ଅଥଚ ସେମାନଙ୍କୁ କୌଣସି ସାହାଯ୍ୟ କରିବାକୁ ସରକାର ଇଚ୍ଛା କଲେନାହିଁ। କେବଳ ମଦବ୍ୟବସାୟୀଙ୍କ ପାଇଁ ଏପରି ନିଷ୍ପତ୍ତି ନିଆଗଲା। ଯେପରି ତେଲିଆ ମୁଣ୍ଡରେ ତେଲ ଦେବା ସଦୃଶ। ଯେବେଠାରୁ କରୋନା ମହାମାରୀ ଦେଖାଦେଇଛି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଡାଲି ଓ ଖାଇବା ତେଲର ଦର ଆଜିକୁ ଦେଢ଼ ବର୍ଷ ହେଲାଣି ବଢ଼ିଚାଲିଛି। ଗରିବ ଓ ମଧ୍ୟବିତ୍ତ ଲୋକମାନେ ମହଙ୍ଗା ମାଡ଼ରେ ସନ୍ତୁଳି ଗଲେଣି। ଅଥଚ ଏସବୁକୁ ସରକାର ଦୃଷ୍ଟି ଦେଲେନାହିଁ। ସିଧାସିଧା କୋଟି କୋଟି ଅର୍ଜନ କରୁଥିବା ମଦବ୍ୟବସାୟୀମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ସରକାର ଫି ଛାଡ଼ର ନିଷ୍ପତ୍ତି ନେଇଗଲେ। ବୋଧହୁଏ ଦେଶର ଗଣତନ୍ତ୍ର ଇତିହାସରେ ଏପରି ନିଷ୍ପତ୍ତି ପ୍ରଥମ ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଏହା ଆମ ଶାସନ ବ୍ୟବସ୍ଥାକୁ କେଉଁ ସ୍ତରକୁ ନେଇଯାଉଛି ତାକୁ ରାଜ୍ୟବାସୀ ବିଚାର କରିବା ଉଚିତ୍।
ରାଜ୍ୟ ସରକାର ସମ୍ବିଧାନରେ ଅହିଂସା ଶବ୍ଦକୁ ଯୋଡ଼ିବା ପାଇଁ ରାଜ୍ୟସାରା ଡିଣ୍ଡିମ ପିଟୁଛନ୍ତି। ଏ ନେଇ ବିଧାନସଭାରେ ସଂକଳ୍ପ ପାରିତ କରାଇଛନ୍ତି। ଲାଇସେନ୍ସ ଫି ଛାଡ଼ କରିବା ମହାତ୍ମା ଗାନ୍ଧୀଙ୍କର କେଉଁ ନୀତି ଓ ଆଦର୍ଶକୁ ଦର୍ଶାଉଛି? ଯଦି ବାସ୍ତବରେ ରାଜ୍ୟବାସୀଙ୍କ ମଙ୍ଗଳ ହେଉ ବୋଲି ସରକାର ଚାହୁଁଛନ୍ତି ତାହେଲେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଉପରୁ ବର୍ଦ୍ଧିତ ଭାଟକୁ ହ୍ରାସ କରି ଖାଦ୍ୟ ପଦାର୍ଥର ଦରଦାମକୁ ନିୟନ୍ତ୍ରଣ କରନ୍ତୁ। ଏହାସହିତ କୋଭିଡ ଟିକାକରଣ କିପରି ଅଧିକରୁ ଅଧିକ ହୋଇପାରିବ ସେ ବାବଦରେ ଏକ ସର୍ବଦଳୀୟ ବୈଠକ ଡାକି ଦୃଢ଼ ନିଷ୍ପତି ନିଆଯାଉ। ରାଜ୍ୟର ଜନସାଧାରଣଙ୍କୁ ରକ୍ଷା କରିବା ଦିଗରେ ପ୍ରତ୍ୟେକ ପ୍ରୟାସକୁ ରାଜ୍ୟ କଂଗ୍ରେସ ଦୃଢ଼ ଭାବରେ ସମର୍ଥନ କରୁଛି ଓ ଆଗକୁ କରିବ ବୋଲି ସେ କହିଛନ୍ତି ।