ଭୁବନେଶ୍ବର : ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ ଦିଆଯାଉ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ରାଗିଂ ବିରୋଧରେ ‘ଶୂନ୍ୟ ସହନଶୀଳତା’ ଘୋଷଣା କରନ୍ତୁ। ଏହାସହ ରୁଚିକା ମୃତ୍ୟୁର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦିଅନ୍ତୁ ବୋଲି ଦାବି କରିଛି ରାଗିଂମୁକ୍ତ କ୍ୟାମ୍ପସ୍‌ ଅଭିଯାନ।

Advertisment

ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ବୁଦ୍ଧମନ୍ଦିର‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ଆବାହକ ତେଜେଶ୍ବର ପରିଡ଼ା କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ନିରୋଧ କମିଟି କେବଳ ନାମକୁମାତ୍ର ରହିଛି। ଏହା ରାଗିଂ ରୋକିବାରେ ସଫଳ ହେଉନାହିଁ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଜାମ୍ମୁକାଶ୍ମୀର ଭଳି ରାଜ୍ୟରେ ରାଗିଂ ନିରୋଧ ଆଇନ ରହିଛି। ଏହି ଆଇନ ଦ୍ବାରା ସେଠାରେ ରାଗିଂକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି। ତେଣୁ ଓଡ଼ିଶାରେ ମଧ୍ୟ ଏଭଳି ଏକ ଆଇନର ବ୍ୟବସ୍ଥା କରାଯାଉ। ଆସନ୍ତାକାଲି ବିଧାନସଭା ଅଧିବେଶନରେ ସବୁ ରାଜନୈତିକ ଦଳର ବିଧାୟକମାନେ ଏ ସଂପର୍କରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି। ଏହାବ୍ୟତୀତ ରାଜ୍ୟରେ ତୁରନ୍ତ ଏକ ରାଜ୍ୟସ୍ତରୀୟ ରାଗିଂନିରୋଧ ଟାସ୍କଫୋର୍ସ ଗଠନ ଓ ଓଡ଼ିଶା ପୁଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ଆଣ୍ଟି-ରାଗିଂ ହେଲ୍ପଲାଇନ୍‌ ଆରମ୍ଭ କରାଯିବାକୁ ସେ ଦାବି କରିଛନ୍ତି।

‌ଅଭିଯାନ କହିଛି, ୨୦୦୯ ଫେବ୍ରୁଆରି ୧୧ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଅରଜିତ୍‌ ପଶାୟତ ରାଗିଂକୁ ନେଇ ଦେଇଥିବା ରାୟକୁ ରାଜ୍ୟ ସରକାର ଅନୁପାଳନ କରନ୍ତୁ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡ. ଆର୍‌କେ ରାଘବନ୍‌ଙ୍କ ନେତୃତ୍ବରେ ଗଠନ ହୋଇଥିବା ‘କମିଟି ଅନ୍‌ ରାଗିଂ’ର ପ୍ରସ୍ତାବ ୨୦୦୭ ମେ’ ୭ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ପ୍ରସ୍ତାବକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। ଏହାସହ ୨୦୦୧ ମେ’ ୪ରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ସୁପ୍ରିମ୍‌କୋର୍ଟ ଜାରି କରିଥିବା ଗାଇଡ୍‌ଲାଇନକୁ ଓଡ଼ିଶା ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। ଏ ସଂପର୍କିତ ସମସ୍ତ ଦସ୍ତାବିଜ୍‌ ଅଭିଯାନ ପକ୍ଷରୁ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ପ୍ରଦାନ କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ସହ ଆବାହକ ମୀର ଅହମ୍ମଦ ଅଲ୍ଲୀ, ନଳିନୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।