ରଞ୍ଜନ ପ୍ରଧାନ
ଫୁଲବାଣୀ: ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ କରାଯିବା ନେଇ କଣ୍ଟ ଧାର୍ଯ୍ୟ କରାଯାଇଛି। ଓଡ଼ିଶାକୁ ମାଓମୁକ୍ତ କରିବାକୁ ହେଲେ ପ୍ରଥମେ କନ୍ଧମାଳକୁ ମାଓମୁକ୍ତ କରିବାକୁ ହେବ ଏବଂ ଏହା ଏତେ ସହଜ ବ୍ୟାପାର ନୁହେଁ ବୋଲି ପୁଲିସର ହୃଦ୍ବୋଧ ହେଲାଣି। କନ୍ଧମାଳର ଜଳବାୟୁ, ଭୌଗୋଳିକ ଅବସ୍ଥିତି ଏବଂ ଏଠାକାର ସ୍ଥାନୀୟ ଲୋକଙ୍କ ସମର୍ଥନ ମାଓବାଦୀଙ୍କୁ ସବୁବେଳେ ସୁହାଇ ଆସିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାଓ କାର୍ଯ୍ୟକଳାପ ହ୍ରାସ ପାଉଥିବା ବେଳେ କନ୍ଧମାଳ ଜିଲ୍ଲାକୁ ମାଓବାଦୀ କାହିଁକି ଛାଡ଼ୁ ନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ଏକଦା ମାଓବାଦୀ ଅଧିକ ସକ୍ରିୟ ଥିଲେ। ମାତ୍ର ଏସବୁ ଜିଲ୍ଲାରେ ମାଓ ସଂଗଠନ ନିଷ୍କ୍ରିୟ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବେଶ୍ ସକ୍ରିୟ ହେଉଛନ୍ତି। କନ୍ଧମାଳକୁ ଚାରିପଟେ ନୟାଗଡ଼, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲା ଘେରି ରହିଛି। ଏକଦା କନ୍ଧମାଳର ଏ ସମସ୍ତ ପଡ଼ୋଶୀ ଜିଲ୍ଲାରେ ମାଓବାଦୀ ସକ୍ରିୟ ଥିଲେ। ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ନେତୃତ୍ବରେ ଗଠିତ ଓଡ଼ିଶା ମାଓବାଦୀ ପାର୍ଟିରେ ସିପିଆଇଏମ୍ଏଲ୍ ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ବେଶ୍ ସକ୍ରିୟ ଥିଲା।
୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ମାମଲା ହେଉ କି, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା, ସବୁଥିରେ ସବ୍ୟସାଚୀ ପଣ୍ଡାଙ୍କ ସଂପୃକ୍ତି କଥା ଉଠିଥିଲା। କାଳକ୍ରମେ ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ବେଳେ କନ୍ଧମାଳରେ ଏବେ କିନ୍ତୁ ମାଓବାଦୀ ବେଶ୍ ସକ୍ରିୟ ରହିଛନ୍ତି। ସବ୍ୟସାଚୀ ପଣ୍ଡା ଗିରଫ ପରେ କନ୍ଧମାଳରେ ଅନ୍ୟ ଦୁଇ ମାଓ ଗୋଷ୍ଠୀ ସକ୍ରିୟ ହୋଇ ପଡ଼ିଲେ। କନ୍ଧମାଳ-ବୌଦ୍ଧ ଏବଂ କନ୍ଧମାଳ-କଳାହାଣ୍ଡି ସୀମାରେ କେକେବିଏନ୍ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ସକ୍ରିୟ ରହିଥିବା ବେଳେ କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-ଗଜପତି ସୀମାରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ ସକ୍ରିୟ ରହିଛି। ଗୋଟିଏ ପଟେ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ, ଗୋଛାପଡ଼ା, ଲୁଇସିଂ, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବାବେଳେ ଅନ୍ୟପଟେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକର ବେଲଘର, ସିର୍ଲା, ମୁଣ୍ଡିଗଡ଼, ଭଣ୍ଡରଙ୍ଗି, ବାଲିଗୁଡ଼ାର ଖମଣଖୋଲ, ବାରଖମା, କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଇଲାକା କୋଟଗଡ଼ର ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି ଏବଂ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ଇଲାକା ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁ, ମୋହନା, ଅଡ଼ବା ଜଙ୍ଗଲରେ ବି ମାଓବାଦୀମାନେ ସକ୍ରିୟ ରହିଛନ୍ତି। କହିବାକୁ ଗଲେ, କନ୍ଧମାଳ ଜିଲ୍ଲାକୁ ଚାରିପଟେ ମାଓବାଦୀମାନେ ଘେରାବନ୍ଦୀ କରି ରଖିଛନ୍ତି। କେକେବିଏନ୍ ମାଓ ଡିଭିଜନର ଟପ୍ନେତା ଦସୁରୁର ନିଧନ ପରେ ତା’ପତ୍ନୀ ମମତା ଏବେ ଏହି ଡିଭିଜନର ନେତୃତ୍ବ ନେଉଛି।
ଅନ୍ୟପଟେ, ବିଜିଏନ୍ ମାଓ ଡିଭିଜନ୍ର ନେତୃତ୍ବ ନେଉଛି ଟପ୍ ମାଓନେତା ନିଖିଲ ଓ ତା’ ପତ୍ନୀ ଇନ୍ଦୁ। ମାଓନେତ୍ରୀ ମମତା ନେତୃତ୍ବରେ କେକେବିଏନ୍ ମାଓ ଡିଭିଜନ ଏବେ ୪ଟି ପ୍ରମୁଖ ଏରିଆ କମିଟିରେ ବିଭକ୍ତ ହୋଇ ସେମାନଙ୍କର ନେଟ୍ୱର୍କ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ମମତା ଏହି ୪ଟି ଏରିଆ କମିଟିର ସର୍ବୋଚ୍ଚ ନେତ୍ରୀ ଭାବେ ସଂଗଠନକୁ ବଢ଼ାଉଛି। ବାଘନଦୀ ଏରିଆ କମିଟି, ରାହୁଲ ନଦୀ ଏରିଆ କମିଟି, କାଡ଼ାଙ୍ଗ ଏରିଆ କମିଟି ଏବଂ ମହାନଦୀ ଏରିଆ କମିଟି ଏବେ କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ରହିଛି। କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଘୋଷଣା କରିବାକୁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବେଳେ ଗୋଟିଏ ପରେ ଗୋଟିଏ ମାଓବାଦୀ କାର୍ଯ୍ୟକଳାପ ପୁଲିସର ଏ ସ୍ବପ୍ନକୁ ଧୂଳିସାତ୍ କରିଦେଉଛି। ମାଓ ଦମନ ନେଇ ପୁଲିସ ଯେ କାର୍ଯ୍ୟ କରୁନି ତାହା ନୁହେଁ। ମାଓ ଦମନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସିଆର୍ପିଏଫ୍ ଏବଂ ଓଡ଼ିଶା ପୁଲିସର ଏସ୍ଓଜି ଯବାନଙ୍କୁ କନ୍ଧମାଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ଏହାପରେ ସିଆର୍ପିଏଫ୍ ଯବାନଙ୍କ ସମେତ ବିଏସ୍ଏଫ୍ ଯବାନ ଏବଂ ଡିଭିଏଫ୍ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ୨୦୨୪ରେ ପୁଲିସ ୫ ଜଣ ମାଓବାଦୀଙ୍କୁ ଏନ୍କାଉଣ୍ଟର କରିଥିଲା। ଗତ ଚାରିବର୍ଷ ମଧ୍ୟରେ କନ୍ଧମାଳ ପୁଲିସ ନିକଟରେ ୧୨ ମାଓବାଦୀ ଆତ୍ମସମର୍ପଣ କରି ସାରିଲେଣି। ତଥାପି କନ୍ଧମାଳ ଜିଲ୍ଲା ମାଓମୁକ୍ତ ହୋଇପାରୁନି। କନ୍ଧମାଳ-କଳାହାଣ୍ଡି, କନ୍ଧମାଳ-ବୌଦ୍ଧ, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-ଗଜପତି ସୀମାବର୍ତ୍ତୀ ଜଙ୍ଗଲ ଏତେ ଘଞ୍ଚ ଓ ଅପହଞ୍ଚ ଯେ ତାହା ମାଓବାଦୀଙ୍କୁ ବେଶ୍ ସୁହାଉଛି ବୋଲି ଆଲୋଚନା ହେଉଛି। ଛତିଶଗଡ଼ରେ ମାଓ ଦମନ ତୀବ୍ର ହେଲେ ମାଓବାଦୀ ଲୁଚିଛପି ଚାଲିଆସି କନ୍ଧମାଳ ଜଙ୍ଗଲରେ ଆତ୍ମଗୋପନ କରୁଛନ୍ତି। ଯାହା ଏବେ ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।