ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଲିଙ୍ଗଗତ ଅସମାନତା। ଜନ୍ମ ସମୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି। ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ରହିଛି। ଗତ ୪ବର୍ଷରେ ୨୩ ପଏଣ୍ଟ ହ୍ରାସ ପାଇଛି। ଝିଅଙ୍କ ସଂଖ୍ୟା ହ୍ରାସରେ ଦେଶରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ତେଣୁ ଝିଅଙ୍କ ସଂଖ୍ୟା ହ୍ରାସରେ କିଭଳି ରୋକ୍ ଲାଗିବ ଓ ଲିଙ୍ଗଗତ ଅସମାନତା ହ୍ରାସ ପାଇବ ସେଥିପାଇଁ ବିଭିନ୍ନ ଅଂଶୀଦାରଙ୍କୁ ନେଇ ମାନସ ମନ୍ଥନ ଆରମ୍ଭ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ୨୦୩୦କୁ ନଜରରେ ରଖି ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଏହାର ଉନ୍ମୋଚନ କରାଯିବ।
ରାଜ୍ୟରେ ଝିଅଙ୍କ ସଂଖ୍ୟାରେ ହ୍ରାସ ଆଜିର ସମସ୍ୟା ନୁହେଁ। ୧୯୬୧ ମସିହା ଜନଗଣନାରୁ ଏହା ପ୍ରତିଫଳିତ ହେଉଛି। ୧୯୬୧ ଜନଗଣନାରେ ରାଜ୍ୟରେ ୧ହଜାର ପୁଅଙ୍କ ତୁଳନାରେ ୧୦୩୫ ଝିଅ ରହିଥିଲେ। ୧୯୭୧ରେ ଏହା ୧୦୨୦, ୧୯୮୧ରେ ୯୯୫, ୧୯୯୧ରେ ୯୬୭, ୨୦୦୧ରେ ୯୫୩ ଓ ୨୦୧୧ ଜନଗଣନାରେ ୯୪୧ ରହିଥିଲା। ସେହିପରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୫(୨୦୨୦-୨୧)ରେ ଝିଅଙ୍କ ହାର ୮୯୪କୁ ଖସି ଆସିଥିବା ଜଣାପଡ଼ିଥିଲା। ଯାହାକି ଏନ୍ଏଫ୍ଏଚ୍ଏସ୍-୪ରେ ଏହା ୯୩୨ ରହିଥିଲା। ଏହାସହ ସାମ୍ପୁଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍(ଏସ୍ଆରଏସ୍) ୨୦୧୪-୨୦୧୮ରେ ଏହି ସଂଖ୍ୟା ୯୪୮ ଥିବା ବେଳେ ୨୦୧୮-୨୦ରେ ଏହା ୯୨୫କୁ ଖସି ଆସିଛି। ମାତ୍ର ରାଜ୍ୟରେ ସାମୂହିକ ଲିଙ୍ଗ ହାରରେ ବୃଦ୍ଧି ଘଟିଛି। ୨୦୧୫-୧୬ରେ ଏହା ୧୦୩୬ ଥିବା ବେଳେ ୨୦୨୦-୨୧ରେ ଏହା ୧୦୬୩କୁ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୯୦୭ ରହିଛି।
ଝିଅଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ରାଜ୍ୟ ମଧ୍ୟରେ କେରଳ, ଛତିଶଗଡ଼, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଲିଙ୍ଗଗତ ଅସମାନତା ବଢ଼ିବାରେ ଲାଗିଛି। ନୟାଗଡ଼ରେ ୮୧୧, ଢେଙ୍କାନାଳ ୮୫୬, ସୋନପୁର ୮୮୦, ଅନୁଗୁଳ ୮୮୫, ଜଗତସିଂହପୁର ୮୯୭, କେନ୍ଦ୍ରାପଡ଼ା ୮୯୮ ରହିଛି। ଜନ୍ମ ସମୟରେ ଲିଙ୍ଗ ନିରୂପଣ ଜନିତ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଆଦି ଲିଙ୍ଗଗତ ଜନ୍ମହାର ହ୍ରାସର ପ୍ରମୁଖ କାରଣ। ଆଜିର କର୍ମଶାଳାରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା.ବିଜୟ ପାଣିଗ୍ରାହୀ, ୟୁଏନ୍ଏଫ୍ପିଏ ଓଡ଼ିଶା ମୁଖ୍ୟ ମହମ୍ମଦ ନଦ୍ଦିମ ନୁର ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।