ବରଗଡ଼ : ଓଡ଼ିଶାର ଭାତହାଣ୍ଡି କହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ପାଣି ଅଭାବ। ଜିଲ୍ଲାର ୧୨ରୁ ୯ଟି ବ୍ଲକ୍ ଅଣଜଳସେଚିତ। ଅଣଜଳସେଚିତ ବ୍ଲକ୍ଗୁଡ଼ିକର ଚାଷୀମାନେ କେବଳ ବର୍ଷା ଉପରେ ଚାଷବାସ ପାଇଁ ନିର୍ଭର କରୁଛନ୍ତି। କିନ୍ତୁ ବର୍ଷା ଏବେ ଚାଷୀଙ୍କୁ ଧୋକା ଦେବା ଆରମ୍ଭ କଲାଣି। ଜିଲ୍ଲାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୩୩୭.୫ ମିମି ହେବା କଥା। କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ଏହା ହଜାରେ ପାଖାପାଖି ରହୁଛି। ଖରିଫ୍ ଚାଷ ପାଇଁ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ ଧାନ ଚାଷ ପାଇଁ ବର୍ଷା ଆବଶ୍ୟକ। କିନ୍ତୁ ମୌସୁମୀ କିମ୍ବା ପ୍ରାକ୍ ମୌସୁମୀ ବର୍ଷା ପର୍ଯ୍ୟାପ୍ତ ହେଉନଥିବାରୁ ବରଗଡ଼ ଜିଲ୍ଲା ବାରମ୍ବାର ମରୁଡ଼ିର ଶିକାର ହେଉଛି।
ଗତ ୧୦ ବର୍ଷର ପରିସଂଖ୍ୟାନ କହୁଛି, ଜିଲ୍ଲାରେ ଯେଉଁ ବର୍ଷ ସ୍ବାଭାବିକ ପାଖାପାଖି ବର୍ଷା ହେଉଛି, ତାହା ଲଘୁଚାପଜନିତ; ମୌସୁମୀ ବର୍ଷାର ଆଉ ଦେଖାନାହିଁ। ଏଣୁ ସ୍ବାଭାବିକ ଭାବେ ଏଥର ବି ମୌସୁମୀର ଆଗମନକୁ ନେଇ ବି ଜିଲ୍ଲାର ଚାଷୀମାନେ ଉତ୍ସାହିତ ନାହାନ୍ତି। ଏବର୍ଷ ପ୍ରଥମ ତିନି ମାସ (ଏପ୍ରିଲ୍ରୁ ଜୁନ୍ ଯାଏ) ଜିଲ୍ଲାରେ ହାରାହାରି ବୃଷ୍ଟିପାତ ହାର ମାତ୍ର ୧୨ ମିମି ରହିଛି। ଏପ୍ରିଲ୍ରେ ମାତ୍ର ୫.୪୦ ମିମି ବର୍ଷା ହୋଇଛି। ମେ' ମାସରେ ୧୯.୩୩ ମିମି ଏବଂ ଜୁନ୍ ୧୭ ତାରିଖ ଯାଏ ୧୨.୦୩ ମିମି ବର୍ଷା ରେକର୍ଡ ହୋଇଛି। ଏହି ତିନିମାସରେ ଜିଲ୍ଲାରେ ହାରାହାରି ୨୫୦ ମିମି ବର୍ଷା ହେବା କଥା।
ଏଣୁ ପୁନର୍ବାର ଅଣଜଳସେଚିତ ବ୍ଲକ୍ରେ ଖରିଫ୍ ଚାଷ ପ୍ରଭାବିତ ହେବା ନିଶ୍ଚିତ। ଗତ ଖରିଫରେ ରାଜ୍ୟରେ ୧୫,୪୩,୩୭୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ଏଥିରୁ କେବଳ ବରଗଡ଼ ଜିଲ୍ଲାର ଚାଷୀ ସଂଖ୍ୟା ହେଲା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ରାଜ୍ୟରେ ଗତ ଖରିଫରେ ମୋଟ୍ ୫,୭୨,୨୩,୦୩୭ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏଥିରୁ ବରଗଡ଼ ଜିଲ୍ଲାର ଭାଗ ହେଲା ୬୧,୪୧,୦୨୧ କ୍ବିଣ୍ଟାଲ। ସରକାରୀ ଭାବେ ବରଗଡ଼ ଜିଲ୍ଲାରେ ରାଜ୍ୟର ୧୧% ପାଖାପାଖି ଧାନ ଖରିଫ୍ ଋତୁରେ ବାହାରୁଛି। ଅଣପଞ୍ଜୀକୃତ ଚାଷୀଙ୍କ କଥା ବିଚାରକୁ ନେଲେ ଏହି ପ୍ରତିଶତ ୧୫ ଉପରକୁ ଟପିଯିବ। ତେଣୁ ବରଗଡ଼ ଜିଲ୍ଲାରେ ଠିକଣା ସମୟରେ ବର୍ଷା ନହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଜଳବାୟୁ ପରିବର୍ତ୍ତନ ହିଁ ଏହାର ଏକମାତ୍ର କାରଣ ପାଲଟିଛି। ବାରମ୍ବାର ବର୍ଷା ଧୋକା ଦେଉଥିବାରୁ ଚାଷୀମାନେ ଚାଷରୁ ବିମୁଖ ହେଉଛନ୍ତି। ଯଦ୍ବାରା ପ୍ରତିବର୍ଷ ଧାନ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ନିଅଣ୍ଟିଆ ବର୍ଷା ଗୋଟିଏ ହିସାବରେ ଭାତହାଣ୍ଡିକୁ ସର୍ବସ୍ବାନ୍ତ କରିବାକୁ ଲାଗିଛି। ଅନ୍ୟପଟେ ଚାଷୀର ବିଲମୁଣ୍ଡକୁ ପାଣି ପହଞ୍ଚାଇବାରେ ସରକାର ବି ବିଫଳ।