କମୁଛି ଲଙ୍କା ଦର, ଚାଷୀ ମୁଣ୍ଡରେ ଚଡ଼କ: କେଜି ପ୍ରତି ୧୦/୧୫ ଟଙ୍କାରେ ବିକୁଛନ୍ତି ଚାଷୀ

ରାଉରକେଲା: ମାତ୍ର ଦେଢ଼ ମାସ ପୂର୍ବେ ଚାଷୀମାନେ ୭୦/୮୦ ଟଙ୍କାରେ ଲଙ୍କା ବିକୁଥିଲେ। କିନ୍ତୁ ଏବେ ଏଥିରେ ଆଶାତୀତ ହ୍ରାସ ପାଇଛି। ବର୍ତ୍ତମାନ ଏହାର ଦର କେଜି ପ୍ରତି ମାତ୍ର ୧୦/୧୫ ଟଙ୍କା। ଛୋଟ ବେପାରୀମାନେ ୪/୫ କେଜି କିଣିଲେ ୧୦ ଟଙ୍କାରେ ଦେଉଛନ୍ତି। ଅପରପକ୍ଷରେ ସାମାନ୍ୟ ଛୋଟ ଲଙ୍କାକୁ ମାତ୍ର ୫/୭ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଲଙ୍କାର ଏଭଳି କମ୍‌ ଦର ଯୋଗୁଁ ଗ୍ରାହକ ଖୁସି ଅଛନ୍ତି; କିନ୍ତୁ ଲଙ୍କା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଇସ୍ପାତ ସହରର ଆମ୍ବାଗାନ ମୁଣ୍ଡା ମାର୍କେଟ୍‌, ଟ୍ରାଫିକ୍‌ ଗେଟ୍‌, ଡେଲିମାର୍କେଟ୍‌, ପାନପୋଷ ମାର୍କେଟ ଆଦିରେ ଲଙ୍କାର ଏଭଳି ସ୍ଥିତି ଲାଗିରହିଛି। ବିଶେଷକରି ଗତ ସପ୍ତାହେ ହେଲା ଦର ହ୍ରାସ ପାଇଥିବାବେଳେ ବଢ଼ିବାର ନାଁ ନେଉନି। ବଜାରରେ ଛୋଟ ଲଙ୍କାର ଦର ମାତ୍ର ୧୦ ଟଙ୍କା ଥିବାବେଳେ ଅପେକ୍ଷାକୃତ ବଡ଼ ଲଙ୍କାର ଦାମ୍‌ ୧୫/୨୦ ଟଙ୍କା ରହିଛି। ପ୍ରତିଦ୍ବନ୍ଦିତାମୂଳକ ବ୍ୟାପାର ଯୋଗୁଁ କିଛି ବେପାରୀ ବଡ଼ ଲଙ୍କାକୁ ମଧ୍ୟ ୧୦ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ପ୍ରକୃତରେ ଏହି ସ୍ବଳ୍ପ ଦରର ମୁଖ୍ୟ କାରଣ ହେଉଛି ବଜାରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଲଙ୍କାର ଉପଲବ୍ଧତା। ରାଉରକେଲାର ବେପାରୀମାନେ ମୁଖ୍ୟତଃ ଜିଲ୍ଲାର ନୂଆଗାଁ ଅଞ୍ଚଳରୁ ହିଁ ଲଙ୍କା ଆମଦାନୀ କରିଥାନ୍ତି।

ଏବେ ନୂଆଗାଁ ଅଞ୍ଚଳରେ ମଧ୍ୟ ଏକାଧିକ ଲଙ୍କା ଚାଷୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଉତ୍ପାଦନ ମଧ୍ୟ ତଦନୁଯାୟୀ ଢ଼େର୍‌ ଅଧିକ। ଏହି ଚାଷୀମାନେ ଖୋଦ୍‌ ରାଉରକେଲା ବଜାରକୁ ଆସି ବିକ୍ରି କରିବାସହ ସିଧାସଳଖ ହୋଲସେଲର୍‌କୁ ଦେଇଥାନ୍ତି। ଏବେ କିନ୍ତୁ ଦର ଢ଼େର୍‌ କମ୍‌ ରହିଥିବାରୁ ଚାଷୀଙ୍କୁ ଭଲ ଦି’ ପଇସା ଲାଭ ହେଉନି। ମାତ୍ର ଢ଼େଦ ମାସ ବ୍ୟବଧାନରେ ଲଙ୍କାର ଦର ଏତେ ହ୍ରାସ ହେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଚାଷୀକୂଳ। ଉଲ୍ଲେଖଯୋଗ୍ୟ, ପ୍ରାୟ ଦେଢ଼ ମାସ ପୂର୍ବେ ନୂଆଗାଁର ଲଙ୍କା ଚାଷୀ କେଜି ପିଛା ୭୦ ଟଙ୍କାରେ ହୋଲସେଲରଙ୍କୁ ବିକିଥିଲେ। ଏହାଥିଲା ଏ ଋତୁର ସର୍ବାଧିକ ଦର। ଅବଶ୍ୟ, ସେତେବେଳେ ଖୁବ ସଂଖ୍ୟକ ଚାଷୀ ଲଙ୍କା ଉତ୍ପାଦନ କରୁଥିବାବେଳେ ବଜାରରେ ନିଅଣ୍ଟ ପଡ଼ୁଥିଲା। ଏବେ କିନ୍ତୁ ସ୍ଥିତିରେ ବିରାଟ ପରିବର୍ତ୍ତନ ଘଟିଛି।

ମାତ୍ରାଧିକ ଉତ୍ପାଦନ ଦର ହ୍ରାସର ମୁଖ୍ୟ କାରଣ ପାଲଟିଛି। ଜଣେ ଚାଷୀ କହିଛନ୍ତି, ପ୍ରଥମେ ଯେତେବେଳେ ଲଙ୍କା ମାର୍କେଟ୍‌କୁ ଆସିଲା, ସେତେବେଳେ ଦର ଢ଼େର୍‌ ଅଧିକ ଥିଲା। ଆମେ ହୋଲସେଲରଙ୍କୁ ୭୦ ଟଙ୍କାରେ ବିକ୍ରି କରୁଥିବାବେଳେ ଖୁଚୁରା ଦୋକାନି ମାନେ ଶହେରୁ ଅଧିକ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରିଥିଲେ। ଏବେ କିନ୍ତୁ ଆମେ ମାତ୍ର ୧୫/୨୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ। ଗଚ୍ଛିତ କରି ରଖିଲେ, ଲଙ୍କା ନଷ୍ଟ ହେଉଥିବାରୁ କ୍ଷତି ସତ୍ତ୍ବେ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଥିବା କହିଥିଲେ। ଟ୍ରାଫିକ୍‌ ଗେଟ୍‌ର ଲଙ୍କା ବେପାରୀ ଶଶୀକାନ୍ତ ସାହୁ କହିଲେ, ଗତ ୩/୪ ବର୍ଷ ହେଲା ଲଙ୍କା ବ୍ୟବସାୟ କରୁଛି; କିନ୍ତୁ କେବେହେଲେ କୌଣସି ସିଜନ୍‌ରେ ଦର ଏତେ କମିବା ଜାଣିନଥିଲି। ଦର ଢ଼େର୍‌ କମିଥିବାରୁ ଭଲ ଲାଭ ବି ହେଉନି। ମାର୍କେଟ୍‌ରେ ଆବଶ୍ୟକତାରୁ ଢ଼େର୍‌ ଅଧିକ ପରିମାଣର ଲଙ୍କା ରହିଛି, ଏଣୁ ଦର ହ୍ରାସ ହେବା ସ୍ବାଭାବିକ୍‌। ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କଲେ ନିକଟ ଭବିଷ୍ୟତରେ ଦର ବୃଦ୍ଧି ହେବା ଆଶା କ୍ଷୀଣ।

ସମ୍ବନ୍ଧିତ ଖବର