ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଭବ୍ୟ ଆୟୋଜନ କରାଯାଇଛି। ପ୍ରତିଦିନ ଚାରିଦ୍ବାରରେ ବେଦପାଠ ସାଙ୍ଗକୁ ସଂକୀର୍ତ୍ତନ, ଆଠସାହି ଆଖଡ଼ା ପକ୍ଷରୁ ସମରକଳା ପ୍ରଦର୍ଶିତ ହେବ। ସେପଟେ ନିମନ୍ତ୍ରିତ ଅତିଥିଙ୍କୁ ସ୍ବାଗତ ପାଇଁ ବି ଆୟୋଜନ କରାଯାଇଛି। ଏଥିଲାଗି ସ୍ବତନ୍ତ୍ର ଭାବେ ଆତିଥେୟତା ଓ ଅଭ୍ୟର୍ଥନା ଡେସ୍କ ଗଠନ କରାଯାଇଛି। ରାଜ୍ୟ, ଦେଶ ତଥା ଦେଶ ବାହାରୁ ଆସୁଥିବା ଅତିଥିମାନଙ୍କ ରହିବା, ଖାଇବା, ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଅତିଥିମାନେ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି।

Advertisment

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ନିମନ୍ତ୍ରଣପତ୍ର ଦେବାକୁ ଯାଇଥିବା ପ୍ରତିନିଧି ଦଳ ପ୍ରତି ଜିଲ୍ଲାର ଦୁଇ ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ କରିଛନ୍ତି। ଦେଶର ୬୦ଟି ମନ୍ଦିରରେ ନିମନ୍ତ୍ରଣପତ୍ର ଦିଆଯାଇଛି। ଏହି ଅତିଥିମାନଙ୍କୁ ଆତିଥେୟତା ଦେବା ପାଇଁ ଏକ ଡେସ୍କ କାମ କରୁଛି। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଏହାର ପରିଚାଳନା କରୁଛନ୍ତି। ପ୍ରତିନିଧି ଦଳ ଓଡ଼ିଶା ସମେତ ଦେଶ ଓ ଦେଶ ବାହାର ଯେଉଁ ଯେଉଁ ସ୍ଥାନକୁ ନିମନ୍ତ୍ରଣପତ୍ର ଦେବାକୁ ଯାଇଥିଲେ, ସେମାନଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଉଛି। କେଉଁମାନେ ଆସିବେ ଓ କେଉଁମାନେ ଆସିବେନି, ସେ ତାଲିକା ପ୍ରସ୍ତୁତ କରାଯାଉଛି। ସେମାନଙ୍କୁ ଆଣିବାର ବ୍ୟବସ୍ଥା ଆମେ କରୁଛୁ। ସେମାନଙ୍କ ପାଇଁ ଭକ୍ତ ନିବାସ ଓ ଅନ୍ୟ ଜାଗାରେ ରୁମ୍‌ ବୁକିଂ ଶେଷ ହୋଇଛି। ଯେଉଁ ଅଧିକାରୀ ଯେଉଁ ମନ୍ଦିର ଓ ଅନ୍ୟ ଜାଗାକୁ ନିମନ୍ତ୍ରଣପତ୍ର ଦେବାକୁ ଯାଇଥିଲେ, ସେମାନେ ସେହି ସେହି ଜାଗାରୁ ଆସୁଥିବା ଅତିଥିଙ୍କ ଆତିଥେୟତା କଥା ବୁଝିବେ। ଏଥିସହ ରଥଯାତ୍ରା ଡ୍ୟୁଟିରେ ଡେପୁଟେସନ୍‌ରେ ଆସୁଥିବା ଅଧିକାରୀଙ୍କୁ ବି ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଶ୍ରୀ ବର୍ମା କହିଛନ୍ତି।