ମାଲକାନଗିରି: ଚାଲିବା ପାଇଁ ଶରୀରରେ ବଳ ନାହିଁ। ବିଛଣାରୁ ଉଠି ପାରୁ ନାହିଁ। ଖାଇବା ଠାରୁ ସ୍ନାନ ପର୍ଯ୍ୟନ୍ତ ସବୁ ସେଠାରେ ହିଁ କରୁଛନ୍ତି। କିନ୍ତୁ ଏଭଳି ଅବସ୍ଥାରେ ଭିନ୍ନକ୍ଷମ ଭଉଣୀ ପାଇଁ ସେବା ଯୋଗାଇ ଆସୁଛନ୍ତି। ଭଉଣୀ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଅହରହ ପରିଶ୍ରମ କରୁଛନ୍ତି। ନିଜ ସୁଖ ଓ ସଂସାରକୁ ଭୁଲି ସକାଳୁ ରାତି ଯାଏ ଭଉଣୀ ସେବା କରୁଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ୧୫ ବର୍ଷ ହେଲାଣି ଭଉଣୀ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ରଗେଇପୁଷପାଲ୍ଲୀ ଗ୍ରାମର ରୁକୁଣା କବାସୀ। ରୁକୁଣା ନିଜେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ସାନ ଭଉଣୀ ବୃନ୍ଦା କବାସୀର ସେବା ଆଜି ପର୍ଯ୍ୟନ୍ତ କରି ଆସୁଛନ୍ତି। ଭାଇ ଭଉଣୀର ସମ୍ପର୍କ ଆଗରେ ଭଉଣୀର ଏଭଳି ସେବା ଦେଖିବାକୁ ମିଳିଛି।

Advertisment

ରୁକୁଣାଙ୍କ ପରିବାର କହିଲେ ବାପା, ମା, ୫ ଭାଇ ଓ ୨ ଭଉଣୀ। ବାପା ଗଙ୍ଗାଧର ପିଲାମାନେ ସାନ ଥିବା ବେଳେ ମୃତ୍ୟୁବରଣ କରିଥିଲେ। ମା ଗୁରୁବାରୀ ମୂଲ କାମ କରି ୭ଟି ପିଲାକୁ ନେଇ ପରିବାର ଚଳାଉଥିଲେ। ସେଥିରୁ କିଏ ବିଦ୍ୟାଳୟ ଯାଇଛି ତ ଆଉ କିଏ ଅଧାରୁ ପାଠ ଛାଡି ଦେଇଛି। ରୁକୁଣା ପିଲାଟି ଦିନରୁ ଭିନ୍ନକ୍ଷମ ଅଟନ୍ତି। ତାଙ୍କର ଗୋଟିଏ ପାଦ ବଙ୍କେଇ ରହୁଥିବାରୁ ଚାଲିବା କଷ୍ଟକର ହୋଇଥାଏ। କିନ୍ତୁ ସେହି ପାଦରେ ମଧ୍ୟ ସେ ଘର କାମ କରିବା ପାଇଁ କେବେ ପଛଘୁଞ୍ଚା ଦେଇଥିନଥିଲେ। ଏଭଳି ସ୍ଥିତିରେ ସବୁଠାରୁ ସାନ ଭଉଣୀ ବୃନ୍ଦା କବାସୀ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଦିଶାରୀ ପାଖକୁ ନେଇଥିଲେ ସେ ସୁସ୍ଥ ନ ହେବାରୁ କୋରୁକୋଣ୍ଡା ଏହାପରେ ମାଲକାନଗିରି ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବୃନ୍ଦା ସୁସ୍ଥ ହୋଇପାରନଥିବା ବେଳେ ପରିବାରଲୋକେ ଅର୍ଥ ଅଭାବରୁ ଘରକୁ ନେଇ ଆସିଥିଲେ। ବୃନ୍ଦା ଚାଲବୁଲା କରିପାରୁନଥିବା ବେଳେ ଠିଆ ମଧ୍ୟ ହୋଇପାରୁନଥିଲେ। ଅଣ୍ଟା ତଳ ଠାରୁ ଚଳପ୍ରଚଳ ହୋଇପାରୁନଥିଲା। ଯାହାଫଳରେ ଆଜିକୁ ପ୍ରାୟ ୧୫ ବର୍ଷ ହେଲାଣି ବୃନ୍ଦା ବିଛଣାରେ ହିଁ ପଡି ରହିଛନ୍ତି।

publive-image

ସରକାରଙ୍କୁ ବହୁ ନିବେଦନ ପରେ କଟକ ଠାରେ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଅଣ୍ଟା, ଆଣ୍ଠୁ, ପାଦ ଓ ହାତରେ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଅସ୍ତ୍ରୋପଚାର ପରେ ମଧ୍ୟ ବୃନ୍ଦାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିପାରିଲା ନାହିଁ। ବହୁ ନେହୁରା ପରେ ଚିକିତ୍ସାଳୟ ପକ୍ଷରୁ ଗୋଟିଏ ଖଟ ଦେଇଛନ୍ତି ଓ ହ୍ବିଲ ଚେୟାର ମିଳିଛି। ସେହି ଖଟରେ ଦିନରାତି ବୃନ୍ଦା ଶୋଇ ରହୁଛନ୍ତି। ବୃନ୍ଦାର ଏଭଳି ସ୍ଥିତି ହୋଇଥିବା ବେଳେ ପରିବାରରେ ଥିବା ୫ ଭାଇ ବିବାହ ପରେ ଜଣେ ଜଣେ ଘର ଛାଡି ବାହାରେ ରହୁଛନ୍ତି। ସେଥିରୁ ୨ ଭାଇ ମଧ୍ୟ ମୃତ୍ୟୁବଣର କରିସାରିଲେଣି। ପରିବାର କଥା କେହି ବୁଝୁନଥିବା ବେଳେ ମା ଗୁରୁବାରୀ ଓ ରୁକୁଣା ବହୁ କଷ୍ଟରେ ପରିବାର ଚଳାଉଥିଲେ। ମାଙ୍କ ମୃତ୍ୟୁ ପରେ ଘରେ ଆଉ କେହି ନଥିବା ବେଳେ ରୁକୁଣା ବୃନ୍ଦାର ଦାୟିତ୍ବ ତୁଲାଇ ଆସୁଛନ୍ତି। ରକୁଣା ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ କୁଲି କାମକୁ ଯାଉଛନ୍ତି, ବହୁ କଷ୍ଟ ହେଲେ ମଧ୍ୟ କିଛି ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟପକ୍ଷରେ ଭଉଣୀକୁ ଖୁଆଇବା ଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ରୁକୁଣାକୁ କରିବାକୁ ପଡୁଛି। ଭଉଣୀକୁ ଛାଡି ସବୁ ସମୟରେ କାମକୁ ଯିବା ମଧ୍ୟ ରୁକୁଣା ପକ୍ଷରେ ସମ୍ଭବ ହେଉନାହିଁ। ଭଉଣୀକୁ ପାଖେ ପାଖେ ଛାଇ ଭଳି ସେ ଜଗି ରହୁଛନ୍ତି।

publive-image

ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଛି ସତ କିନ୍ତୁ ଦୁଇ ଭଉଣୀ ଭିନ୍ନକ୍ଷମ ହୋଇଥିବାରୁ ଘର ମଧ୍ୟ ତିଆରି କରିପାରୁନାହାନ୍ତି। ସେହି ଭଙ୍ଗା ଦଦରା କୁଡିଆ ଘରେ ଜୀବନ କାଟୁଛନ୍ତି। ରୁକୁଣା ବୃନ୍ଦା ସହିତ ମୃତକ ଜଣେ ଭାଇର ୨ଟି ସନ୍ତାନର ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ସରକାରଙ୍କ ପକ୍ଷରୁ ୩୫ କିଲୋ ଚାଉଳ ଓ ରୁକୁଣାକୁ ୫ ଶହ ଓ ବୃନ୍ଦାକୁ ୭ ଶହ ଟଙ୍କା ଭତ୍ତା ମିଳୁଛି। ସରକାରଙ୍କ ପକ୍ଷରୁ ଔଷଧ, ଉନ୍ନତମାନର ଶଯ୍ୟା, ଶୌଚାଳୟ ଓ ଖାଦ୍ୟ ପାଇଁ ସହାୟତା ଦରକାର ବୋଲି ରୁକୁଣା ନିବେଦନ କରିଛନ୍ତି।