ଫୁଲବାଣୀ : କନ୍ଧମାଳରେ ଏଡ୍ସ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ବିଶେଷତଃ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ଏପରିକି କୋଭିଡ୍ ସଂକ୍ରମଣ ବେଳେ ବି ବିପଦକୁ ବରଣ କରି କିଛି ସମର୍ପିତ ସ୍ବାସ୍ଥ୍ୟକର୍ମୀ ଓ ସ୍ବେଚ୍ଛାସେବୀ ଏଡ୍ସ ରୋଗୀଙ୍କ ପାଇଁ ଦେବଦୂତ ସାଜିଥିଲେ ବୋଲି ଜଣାପଡ଼ିଛି।
କନ୍ଧମାଳ ଜିଲ୍ଲାରେ ଆଜି ସୁଦ୍ଧା ୩୨ ଜଣଙ୍କ ଏଡ୍ସରେ ମୃତ୍ୟୁ ହେଲାଣି।। ଏବେ ୨୧୦ ଜଣ ଏଡ୍ସ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କୁ ନିୟମିତ ବଟିକା ଦିଆଯାଉଛି। କରୋନା ସମୟରେ ବି ରୋଗୀଙ୍କ ଘରକୁ ଯାଇ ବଟିକା ଦେବାର ବ୍ୟବସ୍ଥା ହୋଇଛି। କରୋନା କଟକଣା ସମୟରେ ରୋଗୀଙ୍କ ସମ୍ପର୍କୀୟ ବଟିକା ନେବାକୁ ଆସିବା ସମ୍ଭବ ହୋଇ ନଥିଲା। ଯାହା ଫଳରେ ରୋଗୀଙ୍କ ଘରେ ବଟିକା ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ପରାମର୍ଶଦାତା ଦେବାଶିଷ ମିଶ୍ର, ଗୋବିନ୍ଦଚନ୍ଦ୍ର ଜେନା ଓ ଗୀତାଞ୍ଜଳି ପଣ୍ଡା। ଏମାନେ ତାଲିକା ଅନୁଯାୟୀ ଘରକୁ ଘର ଯାଇ ଏଡ୍ସ ରୋଗୀଙ୍କୁ ବଟିକା ବାଣ୍ଟିଥିଲେ। ଏଥିସହ ଲକ୍ଡାଉନ୍ ପାଇଁ କନ୍ଧମାଳରେ ଅଟକି ଯାଇଥିବା କଟକ, ବଲାଙ୍ଗୀର ଓ ବ୍ରହ୍ମପୁର ଅଞ୍ଚଳର ଏଡ୍ସ ରୋଗୀଙ୍କୁ ମଧ୍ୟ ଔଷଧ ସେମାନେ ବଣ୍ଟନ କରିଥିଲେ।
କହିବାକୁ ଗଲେ କନ୍ଧମାଳରେ ଥିବା ସମସ୍ତ ଏଡ୍ସ ରୋଗୀ ସୁରତ ସହ ଅନ୍ୟ ରାଜ୍ୟ ଫେରନ୍ତା। କାମଧନ୍ଦା ଅନ୍କେଷଣରେ ସେମାନେ ବାହାର ରାଜ୍ୟକୁ ଯାଇଥିଲେ। ଫେରିବା ପରେ ସୋମନେ ଏଡ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଡ୍ସରେ ପ୍ରାଣ ହରାଉଥିବା ରୋଗୀଙ୍କ ପରିବାରକୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି ଆକ୍ରାନ୍ତଙ୍କୁ ଆବାସ ଘରଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରୋଗୀଙ୍କୁ ନୁହେଁ, ରୋଗକୁ ଘୃଣା କରନ୍ତୁ। ଏଭଳି ସ୍ଲୋଗାନ୍ ଦେଇ କନ୍ଧମାଳରେ ଏଡ୍ସ ସଚେତନତାକୁ ଗୁରୁତ୍ବ ଦିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି। ଏଡ୍ସ ମୁକ୍ତ କନ୍ଧମାଳ ପାଇଁ ସମସ୍ତେ ସଚେତନ ହେବା, ଅନ୍ୟଙ୍କୁ ସଚେତନ କରିବା ଏବଂ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/cofff.jpg)