ଆଉ ପାଦେ ଆସିଲେ ଧର୍ମେନ୍ଦ୍ର : ଗଜପତିଙ୍କ ନେତୃତ୍ବରେ ହେଉ ‘ସମର୍ପଣ ନିଧି ସଂଗ୍ରହ’ ଅଭିଯାନ

ଶ୍ରୀମନ୍ଦିରକୁ ଅର୍ଥଦାନ ଓ ଶ୍ରମଦାନ ପାଇଁ ପ୍ରସ୍ତାବ
ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ
ଭାରତ ସରକାର ବି ଦେବେ ଆଇନଗତ ସହାୟତା
ଦେଶର ପ୍ରମୁଖ ବ୍ୟାଙ୍କମାନେ ବି ସାମିଲ ହେବେ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିରର ପରିକ୍ରମା ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଐତିହ୍ୟ ପ୍ରକଳ୍ପ କାର୍ଯ୍ୟାରମ୍ଭ ହେବାକୁ ଯାଉଛି। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ଲକ୍ଷ ଟଙ୍କା ମହାପ୍ରଭୁଙ୍କ ଦେଇ ବିକାଶ ପ୍ରକ୍ରିୟାରେ ଯୋଡ଼ି ହୋଇଥିଲେ ଓ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବା ପାଇଁ ପ୍ରବର୍ତାଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନି। ଠିକ୍ ଏମିତି ଏକ ସମୟରେ ଶ୍ରୀ ପ୍ରଧାନ ଆଜି ଶ୍ରୀମନ୍ଦିର କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିକାଶ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ପାଇଁ ସମସ୍ତଙ୍କ ଇଚ୍ଛା ରହିଛି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରାଯାଉ। ଗଜପତିଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ହେଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ।

କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଆହୁରି ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବ ପ୍ରକାଶ କରି ଆସୁଛନ୍ତି। ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି। ତେବେ ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଗଜପତି ହିଁ ସମ୍ପର୍କର ସେତୁ ସାଜିବା ସହିତ ସମନ୍ୱୟ ରଖନ୍ତୁ।

ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜିକରଣ (ନିୟମାବଳି) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଞ୍ଚ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ।

କେନ୍ଦ୍ରମନ୍ତ୍ରୀ ଗଜପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ଆମର ପୁରୁଣା ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ପୁରୀ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଓ ନିରଳସ ଉଦ୍ୟମ କରି ଆସୁଛନ୍ତି। ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଳିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା। ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରୁଛନ୍ତି। ତେଣୁ ମହାପ୍ରଭୁଙ୍କ କାମରେ ସହଯୋଗ କରିବା ନେଇ ସମସ୍ତଙ୍କ ମନରେ ଅଦମ୍ୟ ଉତ୍ସାହ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ବିଶାଳ ଧନ ସଂଗ୍ରହ ଅଭିଯାନର ସହଯୋଗର ପ୍ରକ୍ରିୟାକୁ ଜନଆନ୍ଦୋଳନ ଭାବରେ ପରିଣତ କରିବା ଏବଂ ଲୋକଙ୍କୁ ଏଥିରେ ଭାଗିଦାରୀ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଶ୍ରୀ ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆବହମାନ କାଳରୁ କଳିଙ୍ଗ, ଉତ୍କଳ ଅଥବା ଓଡିଶା କେଉଁ ବି ସମୟରେ ମହାପ୍ରଭୁଙ୍କର ସେବା କରିବା ଓଡିଶାବାସୀଙ୍କ ନିଷ୍ଠାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ରହିଆସିଛି। ନିଜର ଦୈନନ୍ଦିନ ଜୀବନରେ ମହାପ୍ରଭୁଙ୍କ ସେବାରେ ହିଁ ଓଡିଆ ଲୋକମାନେ ସେମାନଙ୍କ ଜୀବନର ଅର୍ଥ, ବଞ୍ଚିବାର କାରଣ ଏବଂ ମୋକ୍ଷର ପଥ ବୋଲି ଶତାବ୍ଦୀ ଶତାବ୍ଦୀ ଧରି ଭାବିବା ସହ ଏଥିରେ ହିଁ ଓଡିଶାର ସାର୍ଥକତା ବୋଲି ବିବେଚନା କରିଆସିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ପୁରୀ ଗଜପତି ମହାରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା। ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା କିମ୍ବା ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କୋରିଡ଼ର ଯୋଜନାକୁ ଆଗେଇ ନେବାରେ କୋଟି କୋଟି ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗ, ଶ୍ରଦ୍ଧା ଏବଂ ଭକ୍ତିଭାବନାକୁ ଉଜ୍ଜୀବିତ କରିଥିବାରୁ ପୁରୀ ଗଜପତି ମହାରାଜାଙ୍କ ନିକଟରେ ଶ୍ରୀ ପ୍ରଧାନ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର