କାଳିଆପାଣି : ସୁକିନ୍ଦାରେ ଫେଲ୍ ମାରିଛି ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା। ଗ୍ରାମାଞ୍ଚଳ ଆଲୋକୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନରୁ ୮କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଗାଁରେ ଅନ୍ଧାର ରାଜୁତି କରୁଛି। କୋଟିକୋଟି ଟଙ୍କାକୁ ଭାଗବଣ୍ଟାରେ ଚଳୁ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି।
୨୦୧୭ ମସିହାରେ ବିରଜା କନଷ୍ଟ୍ରକ୍ସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ଲାଇଟ୍ ଜଳିବା ମାସକ ପରେ ଅଧିକାଂଶ ଅଚଳ ଥିବା ଦେଖିବାକୁ ମିଳିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମନୋରମା ଏଜେନ୍ସି ପକ୍ଷରୁ ପୁଣି ଗାଁ ଗାଁରେ ଲାଇଟ୍ ଲଗା ଯାଇଥିଲା। କିନ୍ତୁ ପରିସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅନ୍ଧାର କାୟା ବିସ୍ତାର କରିଥିଲା। କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ କମିସନ ଅନୁଦାନରେ ଠିକାସଂସ୍ଥା ବିରଜା କନଷ୍ଟ୍ରକ୍ସନ ୨୦୧୭-୧୮ ଆର୍ଥିକ ବର୍ଷ ସୁକିନ୍ଦା ବ୍ଲକରେ ୫.୫ କୋଟି ଟଙ୍କାର କାମ କରିଛି। ସେହିପରି ଚତୁର୍ଥ ରାଜ୍ୟ ଅର୍ଥ କମିସନ ଅନୁଦାନରେ ଅନ୍ୟ ଠିକାସଂସ୍ଥା ମନୋରମା ଏଜେନ୍ସ ବ୍ଲକରେ ୨.୫ କୋଟି ଟଙ୍କାର ଲାଇଟ୍ ଲଗାଇଥିବା ସୂଚନା ମିଳିଛି। ଦୁଇ ପ୍ରଭାବଶାଳୀ ଠିକାସଂସ୍ଥା ଲାଇଟ୍ ଲଗାଇବାର ମାସକ ମଧ୍ୟରେ ବିଲ୍ ଉଠାଇ ନେଇଥିଲେ। ଏହା ପରଠାରୁ ୬ ମାସ ମଧ୍ୟରେ ନବେ ପ୍ରତିଶତ ଲାଇଟ୍ ଅଚଳ ହୋଇଥିବା ବେଳେ ଏବେ ପ୍ରାୟ ଶତ ପ୍ରତିଶତ ଅଚଳ ଥିବା ସାଧାରଣରେ ଅଭିଯୋଗ ହୋଇଛି। କାମ ସରିବାର ୨ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଓ ଫ୍ୟୁଜ୍ ବଲ୍ବ ଅପସାରଣ ପରେ ନୂଆ ଲାଇଟ୍ ଲଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଠିକାସଂସ୍ଥା ଦ୍ବୟ ଏହି ଚୁକ୍ତିକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି। ମରାମତି ପାଇଁ ଅଧିକୃତ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଉନାହାନ୍ତି। ଆଉ କିଛି ମୋବାଇଲ୍ ନମ୍ବର ସୁଇଚ୍ ଅଫ୍ ରହିଛି।
/sambad/media/post_attachments/wp-content/uploads/2022/03/ele.jpg)
ଗାଁରେ ବିଦ୍ୟୁତ୍ ବିତରଣ ଟ୍ରାନ୍ସଫର୍ମରର ଉନ୍ନତୀକରଣ ଓ ଲୋ ଭୋଲଟେଜ୍ ସମସ୍ୟା ଦୂରୀକରଣ ଯୋଜନା ହୋଇଥିଲେ ମଧ୍ୟ ଫଳ ଶୂନ। ଅତ୍ୟାଧୁନିକ ଏଲ୍ଇଡି ବଲ୍ବ ଥାଇ ଗାଁ ଗାଁରେ ମାଗଣା ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ନାଁରେ ନାହିଁ ନଥିବା ଦୁର୍ନୀତି ହୋଇଥିବା ନେଇ ବର୍ଷକ ତଳୁ ଖୋଦ୍ ସରପଞ୍ଚମାନେ ସ୍ବର ଉଠାଇଥିଲେ। ଗତବର୍ଷ ମାର୍ଚ୍ଚମାସ ଶେଷ ସପ୍ତାହ ଖଣିଅଞ୍ଚଳ ଉନ୍ନୟନ ବୈଠକରେ ପ୍ରସଙ୍ଗକୁ ନେଇ ଜଣେ ଜିଲ୍ଲାପରିଷଦ ସଭ୍ୟ ଓ ୮ ଜଣ ସରପଞ୍ଚ ଏ ପ୍ରସଙ୍ଗ ଉଠାଇ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା ଓ ତତ୍କାଳୀନ ବିଡିଓ ବିଶ୍ବଜିତ ଦାସଙ୍କୁ ଘେରିଥିଲେ। କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡ଼ପାଳ, କୁହିକା, ପିମ୍ପୁଡ଼ିଆ, ବନ୍ଧଗାଁ, ଦୁଧୁଯୋରୀ ପଞ୍ଚାୟତର ସରପଞ୍ଚମାନେ ଖୋଲାଖୋଲି ଦୁର୍ନୀତି ଅଭିଯୋଗ ଆଣି ସମସ୍ୟାର ସମାଧାନ ଦାବି କରିଥିଲେ। ଏହାକୁ ନେଇ ସରପଞ୍ଚ ହ୍ବାଟ୍ସଆପ୍ ଗ୍ରୁପରେ ସ୍ବର ତେଜିବାରୁ ଏହାର ତଦନ୍ତ ପାଇଁ ତତ୍କାଳୀନ ବିଡିଓ ଶ୍ରୀ ଦାସ ସେହି ଗ୍ରୁପ୍ରେ ପ୍ରତିଶ୍ରୁତି ଦେଇ ସମସ୍ୟା ଦୂରୀକରଣର ଆଶା ଦେଖାଇଥିଲେ। ହେଲେ ଏହାର ଖୁବ୍ କମ୍ ଦିନ ମଧ୍ୟରେ ବିଡିଓ ଶ୍ରୀ ଦାସଙ୍କ ବଦଳି ପରେ ବହୁଦିନ ଧରି ବିଡିଓ ପଦବି ଫାଙ୍କା ପଡ଼ିଥିଲା। ପରେ ପ୍ରସଙ୍ଗ ଶିଥିଳ ପଡ଼ି ଯାଇଥିଲା।
ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ସମୟରେ ଗାଁ ଆଲୁଅ ଦୁର୍ନୀତି ବିରୋଧରେ ଜନମତ ସୃଷ୍ଟି ହେବା ଆଶଙ୍କାରେ ଛକ ଜାଗା ଓ ଜନଗହଳିପୂର୍ଣ୍ଣ ସ୍ଥାନ ଚିହ୍ନଟ ପୂର୍ବକ ପଞ୍ଚାୟତ ପିଛା ୨୦ଟି ଲେଖାଏଁ ଲାଇଟ୍ ଲଗାଯାଇଛି। ଦୁର୍ନୀତି ଘୋଡ଼ାଇବା ଯୋଜନାରେ ବ୍ଲକ ପ୍ରଶାସନ ପକ୍ଷରୁ ଗାଁଗଣ୍ଡାରେ ନୂଆ ଲାଇଟ୍ ଲାଗିଥିଲେ ମଧ୍ୟ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଲାଣି। ଲକ୍ଷେ ଟଙ୍କା ବିନିମୟରେ ମାତ୍ର ୩ ରୁ ୪ଟି ଲାଇଟ୍ ଲଗାଯାଇଛି। ଅନୁଦାନ ଅର୍ଥରୁ ୫୦ ପ୍ରତିଶତ ପିସି ନାଁର ବାଟମାରଣା ହୋଇଥିବା ନେଇ ଅନ୍ତଃସ୍ବର ତୀବ୍ର ହେବାରେ ଲାଗିଛି। ଦୁର୍ନୀତି ଘୋଡ଼ାଇବା ଯୋଜନାରେ ପୁଣି ଦୁର୍ନୀତି ହୋଇଛି। ଆଲୁଅ ଦୁର୍ନୀତିର ଚେର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତରେ ମାଡ଼ିଛି। ଗାଁ ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ୮ କୋଟି ଟଙ୍କାର ବିଲ୍ ଉଠାଇ ନେଇଥିଲେ ମଧ୍ୟ ୯୫ ରୁ ୯୯ ପ୍ରତିଶତ ଲାଇଟ୍ ଜଳୁ ନଥିବା ଅଭିଯୋଗ ହୋଇଛି।