ପୁଣି ଲଘୁଚାପ, ୩୦ରୁ ବର୍ଷା!

ଭୁବନେଶ୍ୱର: ଉପକୂଳବର୍ତୀ ଚାଷୀଙ୍କ ପାଇଁ ଆଉ ଗୋଟିଏ ବିପର୍ଯ୍ୟୟ ଘନେଇ ଆସୁଛି। ଯଦି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସତ ହୁଏ, ତେବେ ଆସନ୍ତା ୩୦ ତାରିଖରୁ ତିନିଦିନ ଧରି ହେବାକୁ ଥିବା ଲଘୁଚାପ ବର୍ଷା ଉପକୂଳ ଚାଷୀଙ୍କ ବିଲରେ ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ଉଜାଡ଼ି ଦେବା ନିଶ୍ଚିତ। ନୂଆବର୍ଷ ୨୦୧୮ର ରଙ୍ଗ ବି ଫିକା ପଡ଼ିବ। ପହିଲି ଦିନରୁ ଉପକୂଳବାସୀ ବର୍ଷାରେ ଜଡ଼ସଡ଼ ହେବାର ଡର ରହିଛି। ଏଭଳି ଲଘୁଚାପ ପ୍ରଭାବରେ ୨୮ ତାରିଖରୁ ଉପକୂଳରେ ସକାଳୁଆ ଘନ କୁହୁଡ଼ି ସୃଷ୍ଟି ହେବ।

ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପୂର୍ବାନୁମାନ ଅନୁଯାୟୀ ଆଜି ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଏବଂ ଆଖପାଖ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବୟାନ କରୁଛି ଯେ ଆସନ୍ତା ୩୦ ତାରିଖ ରାତିରୁ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ଏହାର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ।
୧ ତାରିଖ ପର୍ଯ୍ୟନ୍ତ ବର୍ଷିବ। ତେବେ ଲଘୁଚାପର ଗତି, ପ୍ରଭାବ ସଂପର୍କିତ ରୂପରେଖ ଦିନେ ଦୁଇଦିନ ଭିତରେ ଆହୁରି ସ୍ପଷ୍ଟ ହେବ। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ୩୦ ବେଳକୁ ଉପକୂଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ ଆଦି ଜିଲ୍ଲାରେ ଲଘୁଚାପ ବର୍ଷିବ। ଏହା ସହିତ ଦକ୍ଷିଣ ଉପକୂଳବର୍ତୀ ଗଂଜାମ, ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଧାର କିଛି ଅଂଶରେ ବି ବର୍ଷା ହୋଇପାରେ।
ଡ. ସାହୁଙ୍କ କହିବାନୁସାରେ ଲଘୁଚାପର ଦିଗ ସ୍ପଷ୍ଟ ହୋଇନଥିଲେ ବି ଏହା ଉପକୂଳବର୍ତୀ ସ୍ଥାନଗୁଡ଼ିକର ସମାନ୍ତରାଳ ଭାବେ ସିଧାସଳଖ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ଅଧିକ। ଏହାର ପ୍ରଭାବ ପରିଲକ୍ଷିତ ହେବ

୨୮ ତାରିଖ ସକାଳୁ। ୨୮, ୨୯, ୩୦ ତାରିଖରେ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ସକାଳୁଆ ଘନ କୁହୁଡ଼ି ସୃଷ୍ଟି ହେବ। ତାପମାତ୍ରା ବଢ଼ିବାକୁ ଆରମ୍ଭ କରିବ। ଏହା ସତ୍ତ୍ୱେ ଥଣ୍ଡା ଅନୁଭୂତି ଅପରିବର୍ତିତ ରହିବ। ଗତ ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ପାରଦ ଖସିଥିଲା। ଥଣ୍ଡା ବି କମିଆସିଥିଲା। କିନ୍ତୁ ଆଜି ଥଣ୍ଡା ସାମାନ୍ୟ ବଢ଼ିବାକୁ ଆରମ୍ଭ କରିଛି।
ଆଜି ୧୦° ସେଲ୍‌ସିୟସ ତଳେ ରହିଛି ଦାରିଙ୍ଗିବାଡ଼ି(୮°), ହୀରାକୁଦ(୮.୯°), ସୁନ୍ଦରଗଡ଼(୯°)। ଫୁଲବାଣୀ(୧୦°), କେନ୍ଦୁଝର(୧୦.୨°), ଝାରସୁଗୁଡ଼ା(୧୦.୫°), ଭବାନୀପାଟଣା(୧୧.୫°), ସମ୍ବଲପୁର(୧୧.୮°), ଅନୁଗୁଳ ଏବଂ କୋରାପୁଟ(୧୨°), ସୋନପୁର(୧୨.୨°), ଟିଟିଲାଗଡ଼(୧୨.୫°), ବାଲେଶ୍ୱର(୧୨.୭°), ବଲାଙ୍ଗୀର(୧୩°), କଟକ(୧୩.୬°) ଏବଂ ଭୁବନେଶ୍ୱରରେ ୧୩.୭° ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର