ବାତ୍ୟା ଆଶଙ୍କା ନାହିଁ, ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଲା: ୪ ଜିଲ୍ଲାରେ ବର୍ଷା

କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର ଜିଲ୍ଲାବାସୀଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର: ସମୁଦ୍ରରେ ସୃଷ୍ଟି ବାତ୍ୟା ଗଭୀର ଅବପାତ ରୂପ ନେଇଛି। ରାତି ପ୍ରାୟ ୯ଟାରେ ପଶ୍ଚିମବଙ୍ଗ ଦୀଘା ନିକଟରେ ଏହା ସ୍ଥଳଭାଗ ଛୁଇଁଛି। ଫଳରେ ନିକଟସ୍ଥ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବର୍ଷା ଜାରି ରହିଛି। କେନ୍ଦ୍ର ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ସମୁଦ୍ରରେ ସୃଷ୍ଟ ଲଘୁଚାପ ଏହା ବାତ୍ୟାର ରୂପ ନେବ ନାହିଁ। ଗଭୀର ଅବପାତ ରୂପ ନେଇ ଉପକୂଳ ଅତିକ୍ରମ କରିଛି। ଫଳରେ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିଛି। ଶନିବାର ପ୍ରବଳ ବର୍ଷା ହେବ। ଏହି ଗଭୀର ଅବପାତ ଉତ୍ତର – ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଅଧିକ ଘନିଭୂତ ହେବନାହିଁ ବୋଲି ସେ କହିଛନ୍ତି। ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ବର୍ଷାକୁ ନଜରରେ ରଖି ଉପରୋକ୍ତ ୪ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରି ଦିଆଯାଇଛି। କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାକୁ ଏନଡିଆରଏଫ ଓ ଓଡ୍ରାଫ ଟିମ ସହିତ ଅଗ୍ନିଶମ କର୍ମଚାରୀମାନଙ୍କୁ ପଠାଯାଇଛି ।

ବର୍ତ୍ତମାନ ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକରେ ବର୍ଷା ଜାରି ରହିଛି। ଶନିବାର କେନ୍ଦୁଝରରେ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ଭଦ୍ରକ ଜିଲ୍ଲାକୁ ୨ ଏନଡିଆରଏଫ, ୨ ଓଡ୍ରାଫ ଟିମ ଓ ୬ ଅଗ୍ନିଶମ ବିଭାଗର ଟିମକୁ ପଠାଯାଇଛି। ମୟୂରଭଞ୍ଜ ଜିଲ୍ଲାକୁ ୨ ଏନଡିଆରଏଫ, ଗୋଟିଏ ଓଡ୍ରାଫ ଓ ୪ ଅଗ୍ନିଶମ ଟିମକୁ ପଠାଯାଇଛି। କେନ୍ଦୁଝର ଜିଲ୍ଲାକୁ ୧ ଏନଡିଆରଏଫ ଓ ଗୋଟିଏ ଅଗ୍ନିଶମ ଟିମକୁ ପଠାଯାଇଛି। ସେହିପରି ବାଲେଶ୍ବର ଜିଲ୍ଲାକୁ ୨ ଏନଡିଆରଏଫ, ୨ ଓଡ୍ରାଫ ଓ ୪ ଅଗ୍ନିଶମ ଟିମକୁ ପଠାଯାଇଛି।  ଲଘୁଚାପ ପ୍ରଭାବରେ ଆଭ୍ୟନ୍ତର ଓଡ଼ିଶାରେ ୩୦ରୁ ୫୦ କିମି ବେଗରେ ଓ ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିପାରେ।  ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ନିଜର ଓ ପରିବାରର ସୁରକ୍ଷା କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି। ବାଲେଶ୍ବର ଜିଲ୍ଲାରୁ ୩ ହଜାର ଲୋକଙ୍କୁ ଉଚ୍ଚାସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର