ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ରାଜ୍ୟ ସନ୍ତୁଳି ହେଉଥିବାବେଳେ ଆଜି ଲଗାତାର ଦ୍ବିତୀୟ ଦିନ ପାଇଁ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ରେକର୍ଡ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ବୌଦ୍ଧ ଉତ୍ତପ୍ତ ସହର ଭାବେ ଦିନ ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରିଛି। ଏହା ପଛକୁ ରହିଛି ଅନୁଗୁଳ। ଏହାର ସର୍ବୋଚ୍ଚ ତାପମାତ୍ରା ୪୪.୭ ଡିଗ୍ରି ରହିଥିଲା। ୪୪ ଡିଗ୍ରି ଉପରେ ରାଜ୍ୟର ୫ ସହର ତାପମାତ୍ରା ‌ରେକର୍ଡ ହୋଇଥିବା ବେ‌ଳେ ୨୫ ସହରର ଦିନ ତାପମାତ୍ରା ଆଜି ୪୦ ହିଗ୍ରି ଅତିକ୍ରମ କରିଛି। ତେବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ କଲବଲ ହେଉଥିବା ଓଡ଼ିଶା ପୁଣି ଏକ ସାମ୍ଭାବ୍ୟ ବାତ୍ୟାକୁ ସାମ୍‌ନା କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି।

Advertisment

ବାତ୍ୟା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ କିଛି ମଡେଲର ଆକଳନ ସାମ୍ଭାବ୍ୟ ବାତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଆସନ୍ତା ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଏହା ଆହୁରି ଘନୀଭୂତ ହେବ। ତେବେ ଏହା କେତେ ଘନୀଭୂତ ହେବ? ବାତ୍ୟା ରୂପ ନେବ କି ନାହିଁ? ଏହାର ଦିଗ କେଉଁ ଆଡ଼କୁ ରହିବ ଓ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ପଡ଼ିବ, ସେ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କୌଣସି ସ୍ପଷ୍ଟ ଆକଳନ ଦେଇନାହିଁ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ ତିନିଦିନ ହେଲା ବିଭିନ୍ନ ମଡେଲ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ଆକଳନ କରୁଛନ୍ତି ଓ ଆକଳନ ବାରମ୍ବାର ପରିବର୍ତ୍ତନ ହୋଇଛି। ତେବେ ଆଜି ଉପରବେଳା ଉଭୟ ଜିଏଫ୍‌ଏସ୍‌ ଓ ଇସିଏଚ୍‌ଡବ୍ଲ୍ୟୁଏଫ୍‌ ମଡେଲ ଆକଳନରେ ଅନେକ ସମାନତା ଆସିଛି। ମେ’ ୪ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଏକ ଲଘୁଚାପ ସୃଷ୍ଟି ହେବ। ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପାଗ ଲଘୁଚାପକୁ ଅଧିକ ଘନୀଭୂତ କରିବା ପାଇଁ ଅନୁକୂଳ ରହିଛି। ଫଳରେ ମେ’ ୬ ତାରିଖରେ ଅବପାତ, ୭ ତାରିଖରେ ବାତ୍ୟା ଓ ୮ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବୋଲି ଯେ କହିଛନ୍ତି।

ଏଥିସହ ସେ କହିଛନ୍ତି, ବର୍ତ୍ତମାନ ମଡେଲ କହୁଛି ମେ’ ୬ ତାରିଖ ପରେ ଏହି ସିଷ୍ଟମଟି ଉତ୍ତର-ପଶ୍ଚିମ ବା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବ। ଯଦି ଏହା ହୁଏ, ୮ ତାରିଖ ରାତିଠାରୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ସହ କିଛି ବର୍ଷା ଆରମ୍ଭ ହୋଇପାରେ। ୧୦ ତାରିଖରେ ଆନ୍ଧ୍ର ଉପକୂଳ ଛୁଇଁପାରେ। ଅଷ୍ଟ୍ରେଲିଆର ଏକ ମଡେଲ କହୁଛି, ଏହା ୮ ତାରିଖ‌ରେ ଦିଗ ପରିବର୍ତ୍ତନ କରିପାରେ। ଏହି ପ୍ରାଥମିକ ଆକଳନରେ ପରିବର୍ତ୍ତନ ହେବ। ଏଣୁ ଲଘୁଚାପ ହେବାପରେ ଏନେଇ ସ୍ପଷ୍ଟ ଚିତ୍ର ଆଙ୍କି ହେବ ବୋଲି ଡ. ପଶୁପାଳକ କହିଛନ୍ତି। ମେ’ ମାସରେ ବଙ୍ଗୋପସାଗରରେ ‌ଲଘୁଚାପ ସୃଷ୍ଟି ହେଲେ ଏହା ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ହୁଏ। ଫନି, ଅମ୍ଫାନ୍‌ ଓ ୟସ୍‌ ଆଦି ସାମୁଦ୍ରିକ ଝଡ଼ ମେ’ରେ ସୃଷ୍ଟି ହୋଇଥିବା ବେଳେ ଏସବୁ ବାତ୍ୟା ବେଶ୍‌ ଶକ୍ତିଶାଳୀ ମଧ୍ୟ ଥିଲା। ଏଣୁ ଏବେ ଲଘୁଚାପଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ ବୋଲି ଅନୁମାନ କରାଯାଉଛି।

ଅନ୍ୟପଟେ ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ଲହରିର ପ୍ରବାହିତ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ ଥିବାରୁ ସିଧାସଳଖ ବାହାରକୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଦ୍ବୈତନଗରୀ ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଅତିକ୍ରମ କରିଥିଲା। ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୪୦.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ଥିଲା ୪୦.୧ ଡିଗ୍ରି। ଆସନ୍ତାକାଲିଠାରୁ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ଓ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ ବୋଲି କେନ୍ଦ୍ର କହିଛି।