ସେପ୍‌ଟେମ୍ବର ୧ରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ କେତେକ ସ୍ଥାନରେ ଲଘୁଚାପ ବର୍ଷା ଜାରି ରହିଥିବାବେଳେ ସେପ୍‌ଟେମ୍ବର ୧ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଫଳରେ ସେପ୍‌ଟେମ୍ବର ୧ରୁ ତିନି ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିଭଳି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରକୁ ଲାଗି ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ଓଡ଼ିଶାରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ଆସନ୍ତାକାଲିଠାରୁ ଆଗାମୀ ୩୧ ତାରିଖ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଭବାନୀପାଟଣାରେ ସର୍ବାଧିକ ୧୬୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଟିଟିଲାଗଡ଼ରେ ୧୩୪ ମିମି ବର୍ଷା ହୋଇଥିବାବେଳେ ବାଲେଶ୍ୱରରେ ୬୮.୯ ମିମି, ଚାନ୍ଦବାଲିରେ ୯୬.୩ ମିମି, ବଲାଙ୍ଗୀରରେ ୯୨.୮ ମିମି, ଭୁବନେଶ୍ୱରରେ ୨୯.୭ ମିମି ବର୍ଷା ହୋଇଛି। ଆସନ୍ତାକାଲିଠାରୁ ୩୧ ତାରିଖ ଯାଏ ରାଜ୍ୟରେ ପାଗ ଖରାଟିଆ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର