ଟଳିଲା ଲଘୁଚାପ ବିପଦ : ଏବେ ପଶ୍ଚିମବଙ୍ଗ-ବାଙ୍ଗଲାଦେଶ ମୁହାଁ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଅଭିମୁଖେ ଅଗ୍ରସର ହେବ। ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କେବଳ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ପାଇଁ ପ୍ରବଳ ବର୍ଷା ଆଶଙ୍କା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ୧ ସେମିରୁ ଅଧିକ ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି। ଏଥିସହ ଉପକୂଳ ଓଡ଼ିଶା ଯଥା- କେନ୍ଦ୍ରାପଡ଼ା, କଟକ, ପୁରୀ, ଗଞ୍ଜାମ, ଜଗତ୍‌ସିଂହପୁର, ଖୋର୍ଧା ଜିଲ୍ଲାରେ ବର୍ଷା ହେବ। ସେଭଳି ପବନ ହେବାର ଆଶଙ୍କା ନାହିଁ।

ଓଡ଼ିଶା ପ୍ରତି ସେପରି ବିପଦ ନ ଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୯ ଓ ୧୦ ତାରିଖରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୯ରୁ ୧୧ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଏଚ୍‌.ଆର. ବିଶ୍ୱାସ।

ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ କହୁଛି ଯେ ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ବଙ୍ଗଲାଦେଶ ମୁହାଁ ହୋଇଛି। ସମୁଦ୍ର ଭିତରେ ପବନର ବେଗ ଅଧିକ ରହିବ। ତେବେ ଓଡ଼ିଶା ପ୍ରତି ବିପଦର ଆଶଙ୍କା ନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ମହାରାଷ୍ଟ୍ରର କିଛି ଅଞ୍ଚଳ, କର୍ଣ୍ଣାଟକର ବାକି ଅଂଶ, ରୟାଲସୀମା, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ଆଶଙ୍କା ରହିଛି। ପାଗ ଅନୁକୂଳ ଥିବାରୁ ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍‌, ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ମୌସୁମୀ ଛୁଇଁବାର ବହୁତ ସମ୍ଭାବନା ରହିଛି।

ଜୁନ୍‌ ୮ ତାରିଖ ଅର୍ଥାତ୍‌ ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୯ ଓ ୧୦ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ୧୨ ତାରିଖ ପରେ ପାଗରେ ପରିବର୍ତନ ଆସିବ ବୋଲି କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇଥିବା ବେଳେ ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଆସିଛି।

ସମ୍ବନ୍ଧିତ ଖବର