ଆଜି ଘନୀଭୂତ ହେବ ଅବପାତ : ବର୍ଷା ଆରମ୍ଭ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିବା ବେଳେ ଉପକୂଳ ପୁରୀ, ଜଗତ୍‌ସିଂହପୁର, ଭୁବନେଶ୍ୱର ଆଦି ସ୍ଥାନରେ ସାମାନ୍ୟ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଆଗାମୀ ୧୨ ଯାଏଁ ଲାଗି ରହିବ ବର୍ଷା। କେଉଁଠି ସ୍ୱଳ୍ପ ବର୍ଷା ତ ଅନ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବର୍ଷା ଆସିଯାଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ ଆଜି ସନ୍ଧ୍ୟା ସୁଦ୍ଧା ଗୋପାଳପୁର ଠାରୁ ପ୍ରାୟ ୭୭୦ କିମି ଦୂରରେ ରହିଛି ଏହି ଅବପାତ। ଆସନ୍ତାକାଲି ସକାଳେ ଏହା ଭୀଷଣ ଅବପାତ ବା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବ। ଏହା ପ୍ରଭାବରେ ବର୍ଷା, ପବନ ବଢ଼ିବା ଆରମ୍ଭ ହୋଇଯାଇଛି। ଉପକୂଳ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଉଭୟ ଗୋପାଳପୁର, ପାରାଦୀପ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ଗତକାଲି ୧ ନଂ ସତର୍କ ସଙ୍କେତ ଜାରି କରାଯାଇଥିଲା। ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ଶୁକ୍ରବାର ଦକ୍ଷିଣ ସମେତ ଉପକୂଳ ଜିଲ୍ଲାର ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାଗୁଡ଼ିକରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଅବପାତ ଘନୀଭୂତ ହେଲେ ମଧ୍ୟ ଏହା ସମୁଦ୍ର ଭିତରେ ରହିପାରେ। ନହେଲେ ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳକୁ ଛୁଇଁପାରେ। ଏ ନେଇ ବର୍ତମାନ ସୁଦ୍ଧା ରୂପରେଖ ସ୍ପଷ୍ଟ ହୋଇନାହିଁ। ସେ ଯାହାହେଉ ଅବପାତ ଘନୀଭୂତ ହେବାର କିଛି ସମୟ ମଧ୍ୟରେ ଦୁର୍ବଳ ହୋଇଯିବ ବୋଲି ଡ. ସାହୁ କହିଛନ୍ତିି।

ଏହି ବ୍ୟବସ୍ଥା ପ୍ରଭାବରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ସକାଳୁଆ କୁହୁଡ଼ି ଦେଖିବାକୁ ମିଳିଛି। ଆଜି ସକାଳୁ ସାରା ରାଜ୍ୟରେ ଆକାଶ ମେଘାଛନ୍ନ ରହିଛି। ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ତାରତମ୍ୟ କମିବାର ସମ୍ଭାବନା ଅଧିକ। ଏହା ସତ୍ତ୍ୱେ ଥଣ୍ଡା ଅନୁଭୂତ ହେବ। ଆଜି ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫° ସେଲ୍‌ସିୟସ ରେକର୍ଡ ହୋଇଥିବାବେଳେ ଦାରିଙ୍ଗବାଡ଼ିରେ ୯°, ଅନୁଗୁଳରେ ୧୧.୬°, କେନ୍ଦୁଝରରେ ୧୧.୪°, ସୁନ୍ଦରଗଡ଼ରେ ୧୧°, ହୀରାକୁଦରେ ୧୧.୨°, ଭବାନିପାଟଣାରେ ୧୧.୫°, କୋରାପୁଟରେ ୧୧.୫°, ଢେଙ୍କାନାଳରେ ୧୨.୫°, ଭୁବନେଶ୍ୱର ଓ କଟକରେ ୧୩°, ବାଲେଶ୍ୱର, ସମ୍ବଲପୁରରେ ୧୩.୪° ରହିଛି। ବର୍ଷା କମିବା ପରେ ୧୪ ତାରିଖ ବେଳକୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର